ଓଡ଼ିଶା‌ରେ ପହଞ୍ଚିଲା ୬ଟି ପ୍ରବାସୀ ଟ୍ରେନ୍‌, ଆଜି ଆସିବ ଆଉ ୪

ଭୁବନେଶ୍ବର : ପ୍ରବାସୀ ଓଡ଼ିଆଙ୍କ ଆଗମନ ଜାରି ରହିଛି। ଆଜି ଆଉ ୬ଟି ଟ୍ରେନ୍‌ରେ ପାଖାପାଖି ୭ ହଜାର ପ୍ରବାସୀ ଓଡ଼ିଶା‌ରେ ପହଞ୍ଚିଥିବା ସୂଚନା ମିଳିଛି। ବାଲେଶ୍ବରରେ ସର୍ବାଧିକ ୩ଟି ‌ଟ୍ରେନ୍‌ ଲାଗିଥିବା ବେଳେ ଜଗନ୍ନାଥପୁରରେ ୨ଟି ଓ ଭଦ୍ରକରେ ଗୋଟିଏ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଲାଗିଥିବା‌ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ସୁରତରୁ ଆସିଥିବା ଦୁଇଟି ଟ୍ରେନ୍‌ ଜଗନ୍ନାଥପୁର ଷ୍ଟେସନରେ ଲାଗିଥିବା ବେଳେ ତାମିଲନାଡ଼ୁର କୋଇମ୍ବାଟୁରରୁ ଭଦ୍ରକୁ ଗୋଟିଏ ଟ୍ରେନ୍‌ ଆସିଛି। ଗୁଜୁରାଟର ମୋରବି, ତେଲେଙ୍ଗାନାର ବିନିନଗର ଓ ଆନ୍ଧ୍ରପ୍ରଦେଶର ନମ୍ବୁରୁରୁ ଗୋଟିଏ ଲେଖାଏ ଟ୍ରେନ୍‌ ଆସି ବାଲେଶ୍ବରରେ ପହଞ୍ଚିଛି। ପ୍ରତି ଟ୍ରେନ୍‌ରେ ପ୍ରାୟ ୧୨୦୦ ଯାତ୍ରୀ ରହିଥିଲେ। ଏହି ଟ୍ରେନ୍‌ଗୁଡ଼ିକ ଗତକାଲିଠାରୁ ଯାତ୍ରା ଆରମ୍ଭ କରିଥିଲା। ଆଜି ଆଉ ୪ଟି ଟ୍ରେନ୍‌ ଓଡ଼ିଶା ଅଭିମୁଖେ ବାହାରିଛି, ଯାହାକି ଶନିବାର ପହଞ୍ଚିବାର ସମ୍ଭାବନା ରହିଛି। ତାମିଲନାଡ଼ୁର କୋଇମ୍ବାଟୁର ଓ ଆ‌ନ୍ଧ୍ରପ୍ରଦେଶର କୁରନୁଲ୍‌ରୁ ଗୋଟିଏ ଲେଖାଏ ଟ୍ରେନ୍‌ ବାଲେଶ୍ବରରେ ଲାଗିବ। ଏହାବ୍ୟତୀତ ସୁରତରୁ ଜଗନ୍ନାଥପୁର ଓ ଚେନ୍ନାଇରୁ ଖୋର୍ଧାରୋଡକୁ ଗୋଟିଏ ଲେଖାଏ ଟ୍ରେନ୍‌ ଆସିବ।

ସମ୍ବନ୍ଧିତ ଖବର