ପ୍ରାବନ୍ଧିକ ଅରବିନ୍ଦ ପଟ୍ଟନାୟକ ପାଇଲେ ସାହିତ୍ୟ ଭାରତୀ ସମ୍ମାନ

ସାହିତ୍ୟିକ, ନେତା ମିଳିମିଶି ସମାଜର ହିତ ପାଇଁ କାର୍ଯ୍ୟ କରନ୍ତୁ: ସୌମ୍ୟରଞ୍ଜନ

କଟକ: ଆମ ସାହିତ୍ୟିକମାନେ ଯେତିକି ସଫଳ, ଓଡ଼ିଆ ସାହିତ୍ୟ ସାମଗ୍ରିକ ଭାବେ ‌ସେତିକି ସଫଳ ହୋଇପାରି ନାହିଁ। ସମ୍ମାନ ପାଉଥିବା ଜଣେ ସାହିତ୍ୟିକଙ୍କୁ ଯେତିକି ଅଭିନନ୍ଦନ ମିଳୁଛି, ତାଙ୍କ ଯୋଗ୍ୟତାକୁ ନେଇ ଅଧିକ ଅଭିଯୋଗ ଆସୁଛି। ଏଭଳି ପରିସ୍ଥିତି ଦୂର କରିବା ପାଇଁ ସାହିତ୍ୟିକମାନେ ପରସ୍ପର ପ୍ରତି ସମ୍ବେଦନଶୀଳ ଓ ସହନଶୀଳ ହେବା ଉଚିତ ବୋଲି କହିଛନ୍ତି ‘ସମ୍ବାଦ’ର ସଂପାଦକ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଶ୍ରୀ ଗଙ୍ଗାଧର ରଥ ଫାଉଣ୍ଡେସନ୍‌ ପକ୍ଷରୁ ସପ୍ତବିଂଶତିତମ ‘ସାହିତ୍ୟ ଭାରତୀ’ ସମ୍ମାନ ପ୍ରଦାନ ସମାରୋହରେ ଶ୍ରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ସେ କହିଥିଲେ, ଉତ୍କର୍ଷର ଉପାସନା ସଭ୍ୟ ସମାଜର ଲକ୍ଷଣ। ହେଲେ, ଗଣତନ୍ତ୍ର ବ୍ୟବସ୍ଥାରେ ଉତ୍କର୍ଷର ଉପାସନାକୁ ନେଇ ବିବାଦ ସୃଷ୍ଟି ହେଉଥିବାବ‌େଳେ ଗଙ୍ଗାଧର ରଥ ଫାଉଣ୍ଡେସନ୍‌ ଭଳି ଅନୁଷ୍ଠାନ ଏଭଳି କାର୍ଯ୍ୟକ୍ରମକୁ ସରସ, ସୁନ୍ଦର ଭାବେ କରୁଥିବା ନେଇ ଶ୍ରୀ ପଟ୍ଟନାୟକ ସନ୍ତୋଷ ବ୍ୟକ୍ତ କରିଥିଲେ। ଭାଷା ଓ ଭାବରୁ ସାହିତ୍ୟର ସୃଷ୍ଟି। କିନ୍ତୁ ଓଡ଼ିଶାରେ ଏବେ ଭାବର ଘୋର ଅଭାବ। ଏହାକୁ ଅନୁଭବ ନ କରି ସାହିତ୍ୟିକମାନେ ରାଜନୀତିକୁ ଓ ରାଜନେତାମାନେ ସାହିତ୍ୟକୁ ଘୃଣା କରୁଛନ୍ତି। ସାହିତ୍ୟ ଓ ରାଜନୀତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସାହିତ୍ୟିକ ଓ ରାଜନେତା ସମାଜର ହିତ ପାଇଁ ମିଳିମିଶି କାର୍ଯ୍ୟ କଲେ, ପ୍ରକୃତ ବ୍ୟକ୍ତି ହିଁ ଉପକୃତ ହେବେ ବୋଲି ଶ୍ରୀ ପଟ୍ଟନାୟକ ଉପସ୍ଥିତ ସାହିତ୍ୟିକ ଓ ବୁଦ୍ଧିଜୀବୀଙ୍କୁ ପରାମର୍ଶ ଦେଇଥିଲେ। ଗଙ୍ଗାଧର ରଥଙ୍କ ସ୍ମୃତିଚାରଣ କରି ଶ୍ରୀ ପଟ୍ଟନାୟକ କହିଲେ ଯେ, ଗଙ୍ଗାଧର ରଥ ଅଦ୍ଭୁତ ପ୍ରତିଭା ଥିଲେ। ସେ ଜଣେ ସଫଳ ନାୟକ ଓ ଆଗାମୀ ପିଢ଼ି ପାଇଁ ସେ ଉଦାହରଣ ହୋଇରହିବେ ବୋଲି ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ।

ଫାଉଣ୍ଡେସନ୍‌ର ଟ୍ରଷ୍ଟି ଡାକ୍ତର ଜୟନ୍ତ ରଥଙ୍କ ପୌରୋହିତ୍ୟରେ କଳାବିକାଶ କେନ୍ଦ୍ରରେ ଆୟୋଜିତ ସାହିତ୍ୟ ଭାରତୀ ସମ୍ମାନ ପ୍ରଦାନ ସମାରୋ‌ହରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ ସାରସ୍ବତ ସାଧକ ଦେବେନ୍ଦ୍ର କୁମାର ଦାଶ କହିଥିଲେ, ସାହିତ୍ୟ ହିଁ ମଣିଷକୁ ମଣିଷରେ ପରିଣତ କରିଛି। ସମାଜ ହିଁ ସାହିତ୍ୟ ସୃଷ୍ଟି କରେ। ସାହିତ୍ୟ ମଣିଷ ଜୀବନର ଅନ୍ତର ଭଳି। ମଣିଷ କଥା ‌କହିବା ଦିନରୁ କାହାଣୀ ଓ ଗୀତ ସହ ସଂପୃକ୍ତ ରହିଛି। ଏହି ପ୍ରକ୍ରିୟା ହିଁ ଲୋକସାହିତ୍ୟ ବୋଲି ଶ୍ରୀ ଦାଶ କହିଥିଲେ।

ସମାରୋହରେ ଫାଉଣ୍ଡେସନ୍‌ ପକ୍ଷରୁ ଚଳିତବର୍ଷର ମର୍ଯ୍ୟାଦାଜନକ ‘ସାହିତ୍ୟ ଭାରତୀ ସମ୍ମାନ’ ବିଶିଷ୍ଟ ସାହିତ୍ୟିକ ତଥା ଗବେଷକ ଡକ୍ଟର ଅରବିନ୍ଦ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଥିଲା। ସମ୍ମାନସ୍ବରୂପ ଡକ୍ଟର ପଟ୍ଟନାୟକଙ୍କୁ ଏକ ଲକ୍ଷ ଟଙ୍କାର ଚେକ୍‌, ରୌପ୍ୟ ନିର୍ମିତ କୋଣାର୍କର ପ୍ରତିକୃତି, ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇଥିଲା। ସେହିପରି ବରିଷ୍ଠ ଆଇନଜୀବୀ ଜଗନ୍ନାଥ ପଟ୍ଟନାୟକଙ୍କୁ ସମ୍ମାନଜନକ ‘ଗଙ୍ଗାଧର ରଥ ସ୍ମାରକୀ ପୁରସ୍କାର’ ପ୍ରଦାନ କରାଯାଇଥିଲା। ବିଶିଷ୍ଟ କବି ତଥା ପ୍ରଶାସକ ଅମରେନ୍ଦ୍ର ଖଟୁଆଙ୍କୁ ‘ଭାନୁଜୀ ରାଓ ସ୍ମାରକୀ ପୁରସ୍କାର’ ଓ କଥାକାର ଡକ୍ଟର ସୁରେଶ ଛୋଟରାୟଙ୍କୁ ‘ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଉଭୟ ଶ୍ରୀ ଖଟୁଆ ଓ ଡକ୍ଟର ଛୋଟରାୟଙ୍କୁ ୨୫ହଜାର ଟଙ୍କା ଲେଖାଏର ଚେକ୍‌, ମାନପତ୍ର ଓ ରୌପ୍ୟଫଳକ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଏଥିସହିତ ତରୁଣ ସାହିତ୍ୟିକା ଡକ୍ଟର ସଂଘମିତ୍ରା ଭଞ୍ଜ ଓ ଯୁବକ ଲେଖକ-ସାମ୍ବାଦିକ କ୍ଷେତ୍ରବାସୀ ନାଏକଙ୍କୁ ‘ସୁବ୍ରତ ରଥ ସ୍ମାରକୀ ପୁରସ୍କାର’ ପ୍ରଦାନ କରାଯାଇଥିଲା। ଉଭୟ ଡକ୍ଟର ଭଞ୍ଜ ଓ ଶ୍ରୀ ନାଏକଙ୍କୁ ୧୦ ହଜାର ଟଙ୍କାର ଚେକ୍‌, ମାନପତ୍ର ଓ ରୌପ୍ୟ ପ୍ରତିକୃତି ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ଫାଉଣ୍ଡେସନ୍‌ର ସଂପାଦିକା ସୁସ୍ମିତା ରଥ ସ୍ବାଗତ ଭାଷଣ ଦେଇଥିବା ବ‌େଳେ ଅନୁଷ୍ଠାନର ଉପଦେଷ୍ଟା ପ୍ରଫେସର ଡକ୍ଟର ବିଜୟାନନ୍ଦ ସିଂହ ଅତିଥି ପରିଚୟ ପ୍ରଦାନ କରିଥିଲେ। ଡାକ୍ତର ଅଳକା ରଥ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ପ୍ରଫେସର ବନ୍ଦିତା ଦାଶ, ଲିପ୍‌ସିତା ରଥ, ବିଦ୍ୟୁତ ପ୍ରଧାନ ସମ୍ମାନିତ ପ୍ରତିଭାଙ୍କ ଉଦ୍ଦେଶ୍ୟରେ ମାନପତ୍ର ପାଠ କରିଥିଲେ। ହର୍ଷବର୍ଦ୍ଧନ ରଥ ଅତିଥିମାନଙ୍କୁ ସ୍ବାଗତ କରିଥିବା ବ‌େଳେ ଆଇନଜୀବୀ ସଞ୍ଜୟ ରଥ, ଅଧ୍ୟାପକ କମଳ ମାହୁନ୍ତ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର