ଧର୍ମଶାଳା: ଆସନ୍ତା ୧୨ତାରିଖରେ ପଞ୍ଚାୟତ ସମିତି ଅଧୢକ୍ଷ ଓ ୨୩ତାରିଖରେ ପଞ୍ଚାୟତ ସମିତି ଉପାଧୢକ୍ଷ ନିର୍ବାଚନ ହେବାକୁ ଯାଉଛି। ୪୫ ପଞ୍ଚାୟତବିଶିଷ୍ଟ ଏହି ବ୍ଲକର ଅଧୢକ୍ଷ ଓ ଉପାଧୢକ୍ଷ ପଦବୀ ନିମନ୍ତେ ୨୩ଜଣ ସମିତିସଭ୍ୟଙ୍କ ସମର୍ଥନ ଆବଶ୍ୟକ। ବିଜେଡି ବୁଧବାର ୪୩ଜଣଙ୍କୁ ଏକତ୍ରିତ କରି ନିଜର ଶକ୍ତି ପ୍ରଦର୍ଶନ କରିଛି। ବିଜେଡି ଲଗାତାର ପଞ୍ଚମଥର ଧର୍ମଶାଳା ପଞ୍ଚାୟତ ସମିତି ଦଖଲ କରିବାକୁ ଯାଉଥିବାବେଳେ ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ସାନଭାଇ ପ୍ରଭାତ କୁମାର ବଳବନ୍ତରାୟ ପୁଣିଥରେ ସମିତି ଅଧୢକ୍ଷ ମୁକୁଟ ପନ୍ଧିବା ପାଇଁ ପଥ ପରିଷ୍କାର ହୋଇଯାଇଛି।

Advertisment

ଏପଟେ ବିଧାୟକଙ୍କ ସାନଭାଇ ସମିତି ଅଧୢକ୍ଷ ହେଉଥିବାରୁ ଦଳରେ ଅନ୍ୟ କେହି ଆଶାୟୀ ହେବାକୁ ସାହସ ଜୁଟାଇ ପାରିନାହାନ୍ତି। ଅଧୢକ୍ଷ ପଦ ଅସ˚ରକ୍ଷିତ ଥିବାରୁ ପ୍ରଭାତ ଲଗାତାର ଦୁଇଥର ଅଧୢକ୍ଷ ହେବାକୁ ଯାଉଛନ୍ତି। ବୁଧବାର ଜାରକାସ୍ଥିତ କଳ୍ପତରୁ ଦାସ ଷ୍ଟାଡିୟମ ପରିସର ଇଣ୍ତୋର ହଲ୍‌ରେ ବିଜେଡିର ପ୍ରସ୍ତୁତି ବୈଠକରେ ୪୩ ସମିତି ସଭ୍ୟ ପ୍ରଭାତଙ୍କୁ ସର୍ବସମ୍ମତିକ୍ରମେ ଅଧୢକ୍ଷ ପ୍ରାର୍ଥୀ ଭାବେ ମନୋନୀତ କରିଛନ୍ତି। ଧର୍ମଶାଳା ଗାର୍ଲସ୍‌ ୱିଙ୍ଗ୍‌ ପକ୍ଷରୁ ନବ ନିର୍ବାଚିତ ସମିତି ସଭ୍ୟମାନଙ୍କୁ ବନ୍ଦାପନା କରାଯାଇଥିଲା।

ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟ, ରାଜ୍ୟ ବିଜେଡି ସମ୍ପାଦକ ରମେଶ ଚନ୍ଦ୍ର ପରିଡ଼ା, ନବ ନିର୍ବାଚିତ ଜିଲ୍ଲା ପରିଷଦ ସଭ୍ୟ ଜଳଧର ମହାନ୍ତି, ଭାଗ୍ୟଧର ସେଠୀ, ସୁଧା˚ଶୁ ଭୂଷଣ ସାହୁ, ପ୍ରଣତି ଲେଙ୍କା, ସ୍ମୃତିରେଖା ବେହେରା ଓ ଯୁବନେତା ପ୍ରତାପ କୁମାର ପ୍ରଧାନ ଏହି ବୈଠକରେ ଯୋଗ ଦେଇଥିଲେ।

୧୯୬୦ରେ ଧର୍ମଶାଳା ବ୍ଲକ ପ୍ରତିଷ୍ଠା ହେବା ପରଠାରୁ ଏପର୍ଯ୍ୟନ୍ତ ଲଗାତାର ଦୁଇଥର କେହି ଅଧୢକ୍ଷ ହୋଇ ନାହାନ୍ତି। ଗଡ଼ମଧୁପୁର ରାଜା ନାରାୟଣ ଚନ୍ଦ୍ର ଧୀର ନରେନ୍ଦ୍ର ପ୍ରଥମେ ଧର୍ମଶାଳା ବ୍ଲକ ଅଧୢକ୍ଷ ହୋଇଥିଲେ। ଏହାପରେ ରବି ଦାଶ (ଲାବଣ୍ୟ), ସ୍ବର୍ଗତ ବୈରାଗୀ ବିଶ୍ବାଳ, ଗୁରୁଚରଣ ଟିକାୟତ ଓ ସ୍ବର୍ଗତ ଗୋପବନ୍ଧୁ ମଲ୍ଲିକ ସେ ସମୟରେ ପ୍ରଚଳିତ ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କ ଦ୍ବାରା ବ୍ଲକ ଅଧୢକ୍ଷ ନିର୍ବାଚିତ ହୋଇଥିଲେ। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ସମୟରେ ୧୯୯୨ରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ପରିବର୍ତ୍ତନ ଆଣି ସମିତିସଭ୍ୟ ପଦବି ସୃଷ୍ଟି କରିଥିଲେ।

ସେବେଠାରୁ ସମିତିସଭ୍ୟମାନେ ପଞ୍ଚାୟତ ସମିତି ଅଧୢକ୍ଷ ନିର୍ବାଚନ କରୁଛନ୍ତି। ୧୯୯୨ରେ ସ୍ବର୍ଗତ ରମେଶ ଚନ୍ଦ୍ର ତ୍ରିପାଠୀ ସମିତି ଅଧୢକ୍ଷ ହୋଇଥିଲେ। ୧୯୯୭ରେ କିଶାନ ପଣ୍ତା, ୨୦୦୨ରେ ସଞ୍ଜୁଲତା ପରିଡ଼ା ଓ ୨୦୦୭ରେ ରମେଶ ଚନ୍ଦ୍ର ପରିଡ଼ା ଅଧୢକ୍ଷ ହୋଇଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ଶ୍ରୀ ପରିଡ଼ା ବିଧାୟକ ପ୍ରାର୍ଥୀ ହେବାପରେ ସେ ଏହି ପଦବିରୁ ଇସ୍ତଫା ଦେଇଥିଲେ। ୨୦୦୯ରେ ଦୁଃଶାସନ ସାହୁ ସମିତି ଅଧୢକ୍ଷ ହୋଇଥିଲେ। ୨୦୧୨ରେ ମମତା ମଲିକ ଓ ୨୦୧୭ରେ ପ୍ରଭାତ କୁମାର ବଳବନ୍ତରାୟ ସମିତି ଅଧୢକ୍ଷ ଭାବେ ନିର୍ବାଚିତ ହୋଇଥିଲେ।