ଭୁବନେଶ୍ବର: ବହୁ ଚର୍ଚ୍ଚିତ ସିସୋର୍ ଠକେଇ ମାମଲାରେ କଟକ-ଚୌଦ୍ବାର ନିର୍ବାଚନମଣ଼୍ଡଳୀର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀ ଲକ୍ଷ୍ମୀବିଳାସିନୀ ବିଶ୍ବାଳଙ୍କର ଅଡ଼ୁଆ ବଢ଼ିବାରେ ଲାଗିଛି। ସିବିଆଇ କୋର୍ଟରେ ଚାର୍ଜଫ୍ରେମ୍ ପରେ ଏବେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ ଦାଖଲ କରିଛି। କଳାଧନ ଠୁଳ ମାମଲାର ଶୁଣାଣି ପାଇଁ ଉଦ୍ଦିଷ୍ଟ ସ୍ବତନ୍ତ୍ର କୋର୍ଟ ତଥା ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଇଡି ପକ୍ଷରୁ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ, ପତ୍ନୀ ଲକ୍ଷ୍ମୀବିଳାସିନୀ, ସିସୋର୍ ସିକ୍ୟୁରିଟିଜ୍ ଲିମିଟେଡ୍ ଓ ସିସୋର୍ ମଲ୍ଟିପର୍ପୋଜ କୋ-ଅପରେଟିଭ୍ ଲିମିଟେଡ୍ କମ୍ପାନି, ଦୁଇ ନିର୍ଦ୍ଦେଶକ ପ୍ରଶାନ୍ତ କୁମାର ଦାଶ ଓ ତାଙ୍କ ଭାଇ ପ୍ରଭାତ କୁମାର ଦାଶ ଓ ଅନ୍ୟ ୩ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଏହାପରେ ଖୁବଶୀଘ୍ର ମାମଲାର ଶୁଣାଣି ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଗୋଟିଏ ପଟେ ସିବିଆଇରେ ସିସୋର୍ ମାମଲାର ଶୁଣାଣି ଆରମ୍ଭ ହେବାକୁ ଯାଉଥିବା ବେଳେ ଅନ୍ୟପକ୍ଷରେ ଇଡି ସ୍ବତନ୍ତ୍ର କୋର୍ଟରେ ମଧ୍ୟ ଶୁଣାଣି ଚାଲିବ।
ସୂଚନାଯୋଗ୍ୟ, ଇଡି ପ୍ରାୟ ୫ ଶହ କୋଟି ଟଙ୍କା ଏହି ଚିଟଫଣ୍ଡ ଠକେଇ ମାମଲାର ତଦନ୍ତଭାର ନେବା ପରେ ୨୦୧୬ ଏପ୍ରିଲ ୧ରେ ସିସୋର୍ କମ୍ପାନି ବିରୋଧରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଥିଲା। ଇଡି ଜବତ କରିଥିବା ସିସୋର୍ କମ୍ପାନିର ୨୪୨ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କାରଯାଇଥିଲା। ଆଉ ଏବେ ପୂର୍ଣ୍ଣାଙ୍ଗ ଚାର୍ଜସିଟ୍ ଦାଖଲ କରାଯାଇଛି। ଏଠାରେ ଉଲ୍ଲେଖଯୋଗ୍ୟ, ସିସୋର୍ ଚିଟଫଣ୍ଡ ଠକେଇ ମାମଲାରେ ପ୍ରମାଣ ଏକାଠି କରିବା ପରେ ୨୦୧୭ ସେପ୍ଟେମ୍ବର ୧୯ରେ ପ୍ରଭାତଙ୍କୁ ଗିରଫ କରିଥିଲା ସିବିଆଇ। ଅଭିଯୋଗ ଥିଲା ଯାଜପୁରରେ ସିସୋର୍ ଏମଡି ପ୍ରଶାନ୍ତ ଦାଶ ଏକ ଜମି କିଣିବାକୁ ଚାହିଥିଲେ। ସେହି ଜମିର ମାଲିକାନା ଲକ୍ଷ୍ମୀବିଳାସିନୀଙ୍କ ନାଁରେ ରହିଥିଲା। ଜମି କିଣାବିକା ନେଇ ୨୫ ଲକ୍ଷ ଟଙ୍କାରେ ଚୂଡ଼ାନ୍ତ ହୋଇଥିଲା। ଏଥିପାଇଁ ପ୍ରଶାନ୍ତ ଓ ଲକ୍ଷ୍ମୀବିଳାସିନୀଙ୍କ ମଧ୍ୟରେ ଏକ ଚୁକ୍ତିନାମା ପ୍ରସ୍ତୁତ ହୋଇଥିଲା। ପ୍ରଶାନ୍ତଙ୍କ ଆକାଉଣ୍ଟରୁ ଲକ୍ଷ୍ମୀବିଳାସିନୀଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର୍ ହୋଇଥିଲା। ଲକ୍ଷ୍ମୀବିଳାସିନୀଙ୍କ ଆକାଉଣ୍ଟରୁ ସ୍ବାମୀ ପ୍ରଭାତଙ୍କ ଆକାଉଣ୍ଟକୁ ୯ ଲକ୍ଷ ଟଙ୍କା ଟ୍ରାନ୍ସଫର୍ ହୋଇଥିଲା। ପରବର୍ତ୍ତୀ ସମୟରେ ଜମି କିଣାବିକା ହୋଇ ନ ଥିଲା। ପ୍ରଶାନ୍ତ ଦାଶ ୯ ଲକ୍ଷ ଟଙ୍କା ଫେରସ୍ତ ପାଇ ପାରି ନ ଥିଲେ। ସିବିଆଇ ଏହି ତଥ୍ୟ ପାଇବା ପରେ ପ୍ରଭାତ ବିଶ୍ବାଳଙ୍କୁ ଗିରଫ କରିଥିଲା। ଗତ ୨୩ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟରେ ପ୍ରଭାତ ଓ ଲକ୍ଷ୍ମୀବିଳାସିନୀଙ୍କ ବିରୋଧରେ ଚାର୍ଜଫ୍ରେମ୍ ହୋଇଥିଲା।