‘ରଙ୍ଗବତୀ’ର ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ ଆଉ ନାହାନ୍ତି

ସମ୍ବଲପୁର: ସମ୍ବଲପୁରୀ ଭାଷାର ସବୁଠାରୁ ଲୋକପ୍ରିୟ ଗୀତ ‘ରଙ୍ଗବତୀର ସ୍ୱର ସଂଯୋଜନା କରିଥିବା ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ପ୍ରଭୁଦତ୍ତ ପ୍ରଧାନ ଆଉ ନାହାନ୍ତି। ଆଜି ଭୋର ସାଢେ ଚାରିଟା ସମୟରେ ଏହି ପ୍ରସିଦ୍ଧ ସଙ୍ଗୀତକାର, ବାଦ୍ୟକାର ପ୍ରଭୁଦତ୍ତ ପ୍ରଧାନ ସମ୍ବଲପୁରର ଏକ ଘରୋଇ ନର୍ସିଂ ହୋମ୍‌ରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।
ମୃତ୍ୟୁ ବେଳକୁ ପ୍ରଭୁଦତ୍ତ ପ୍ରଧାନଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ୧୯୪୩ ମସିହା ନଭେମ୍ବର ୧୧ ତାରିଖରେ ତାଙ୍କର ଜନ୍ମ । ତାଙ୍କର ବିଧବା ପତ୍ନୀ ଓ ଦୁଇ ପୁତ୍ର ଆଶିଷ ଓ ଅସୀମ ଅଛନ୍ତିି। ପ୍ରାପ୍ତ ସୂଚନା ଅନୁଯାୟୀ ଆସନ୍ତାକାଲି ସକାଳ ୯ ଟା ସମୟରେ ତାଙ୍କର ମୃତ ଶରୀରକୁ କବର ଦିଆଯିବ।

ସଙ୍ଗୀତକାର ପ୍ରଭୁଦତ୍ତ ପ୍ରଧାନ ଦୀର୍ଘ ୪୫ ବର୍ଷ ହେବ ସଙ୍ଗୀତ କ୍ଷେତ୍ରରେ କାର୍ଯ୍ୟ କରିଛନ୍ତି। ସେ ସମ୍ବଲପୁର ଆକାଶବାଣୀ କେନ୍ଦ୍ରରେ ବାଦ୍ୟ ଶିଳ୍ପୀଭାବେ ୧୯୫୯ ମସିହାରୁ କାର୍ଯ୍ୟ କରି ଆସୁଥିଲେ। ତାଙ୍କର ପ୍ରଭୁଦତ୍ତ ଢୋଲ ଓ ମାଦାଳ ବାଦ୍ୟରେ ବିଶେଷ ଦଖଲ ଥିଲା।


ତେବେ ‘ ରଙ୍ଗବତୀ’ ଗୀତର ସ୍ୱରକାର ଭାବେ ସେ କେବଳ ଓଡ଼ିଶାରେ ନୁହେଁ, ବରଂ ଭାରତ ଓ ଭାରତ ବାହାରେ ମଧ୍ୟ ପରିଚିତ। ଏହି ରଙ୍ଗବତୀ ଗୀତର ଗୀତିକାର ହେଲେ ମିତ୍ରଭାନୁ ଗୌନ୍ତିଆ। ଏଥିରେ କଣ୍ଠଦାନ କରିଥିଲେ ଜିତେନ୍ଦ୍ର ହରିପାଲ୍‌ ଓ କ୍ରିଷ୍ଣା ପଟେଲ୍‌। ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଭୁଦତ୍ତ ପ୍ରଧାନ।

ଲୋକପ୍ରିୟ ସଙ୍ଗୀତକାର ପ୍ରଭୁଦତ୍ତ ପ୍ରଧାନ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ଆଓ୍ଵାର୍ଡ ,ଅରୁନ୍ଧତୀ ସମ୍ମାନ, କାଦମ୍ବିନୀ ପୁରସ୍କାର, ଜୁହାର ସମ୍ମାନ, ଡାଲଖାଇ ସମ୍ମାନ, ଓଡ଼ିଶା ଲିଭିଂ ଲିଜେଣ୍ଡ ଆଓ୍ଵାର୍ଡ, ପଶ୍ଚିମ ଓଡ଼ିଶା ସଂସ୍କୃତି ସମ୍ମାନ ଓ ନୂଆଖାଇ ସମ୍ମାନ ସମେତ ବହୁ ପୁରସ୍କାର ଲାଭ କରିଥିଲେ। ସେ ଆକାଶବାଣୀ ପାଇଁ ବହୁ ଗୀତର ସ୍ୱର ସଂଯୋଜନା କରିଥିଲେ। ତା’ଛଡା ଅନେକ ଲୋକପ୍ରିୟ ସମ୍ବଲପୁରୀ କ୍ୟାସେଟ୍‌ ଓ ରେକର୍ଡସରେ ମଧ୍ୟ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ। ପ୍ରଭୁଦତ୍ତ ପ୍ରଧାନଙ୍କ ବିୟୋଗରେ ସମ୍ବଲପୁରରେ ଶୋକର ଛାୟା ଖେଳିଯାଇଛି।

ସମ୍ବନ୍ଧିତ ଖବର