ପ୍ର‌ବୋଧ ରଥ ଓଡ଼ିଶା ସଂଗୀତ ନାଟକ ଏକାଡେମିର ନୂଆ ସଚିବ

ଭୁବନେଶ୍ବର: ଓଡ଼ିଶା ସଂଗୀତ ନାଟକ ଏକାଡେମିର ନୂତନ ସଚିବ ପଦରେ ଅବସ୍ଥାପିତ ହୋଇଛନ୍ତି ଜଣାଶୁଣା ଅଭିନେତା, ନିର୍ଦେଶକ ତଥା ନାଟ୍ୟକାର ପ୍ରବୋଧ ରଥ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି ହୋଇଛି। କଳାହାଣ୍ଡି ଭବାନୀପାଟଣା ମନ୍ଦର ବଗିଚାପଡ଼ାର ବାସିନ୍ଦା ପ୍ରବୋଧ ସୋମବାର ପୂର୍ବାହ୍ନରେ ସଚିବ ଭାବେ କାର୍ଯ୍ୟଭାର ଗ୍ରହଣ କରିବେ।

ଏକଦା ଦେଶର ବିଭିନ୍ନ ସ୍ଥାନରେ ଏକକ ଅଭିନୟରେ ମନ ଜିଣିଥିବା ପ୍ରବୋଧ ଏହି ଏକକ ଅଭିନୟର ଧାରାକୁ ମଞ୍ଚରେ ଓ କଳାହାଣ୍ଡିରେ ଯୁବକମାନଙ୍କ ମଧ୍ୟରେ ବଞ୍ଚାଇ ରଖିବାକୁ ପ୍ରୟାସ କରି ଚାଲିଛନ୍ତି। ଜଣେ ଅଭିନେତା ଭାବେ ସେ ‘ଶବ ପଡ଼ିଛି’, ‘ହେ ମୋର ଶବବାହକମାନେ’, ‘ଚାରି ଛକ’, ‘ସ୍ବର୍ଗକୁ ଯାଅ ହେ ପାପୀମାନେ’, ‘ଫେରାର ଆସାମୀ’, ‘ତିତଲି’, ‘ବିସ୍ଫୋରଣ’, ‘ମରୁଭୂମି’ ଓ ‘ଦୃଶ୍ୟାନ୍ତର’ ଭଳି ୩୦ରୁ ଅଧିକ ନାଟକରେ ଅଭିନୟ କରିଛନ୍ତି। ଏଥିସହ ସେ ଅଭିନୟ କରିଥିବା ଅଧିକାଂଶ ନାଟକରେ ନିର୍ଦେଶନା ଦେଇ ମଞ୍ଚ ନାଟକରେ ନିଜର ସ୍ବତନ୍ତ୍ର ପରିଚିତି ସୃଷ୍ଟି କରିପାରିଛନ୍ତି। ନାଟକ କ୍ଷେତ୍ରରେ ତାଙ୍କର ଏହି ଦୀର୍ଘଯାତ୍ରା ପାଇଁ ତାଙ୍କୁ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସଚିବ ପଦରେ ରାଜ୍ୟ ସରକାର ଅବସ୍ଥାପିତ କରିଛନ୍ତି। ଏଇ କିଛି ବର୍ଷ ହେବ, ଭୁବନେଶ୍ବରରେ ରହି ଆସୁଥିବା କିଛି ନାଟ୍ୟ ଓ ସଂଗୀତ କ୍ଷେତ୍ରର ବ୍ୟକ୍ତିତ୍ବ ଏହି ପଦରେ ଅବସ୍ଥାପିତ ହୋଇ ଆସୁଥିବା ବେଳେ ଏଥର ପଶ୍ଚିମ ଓଡ଼ିଶାରୁ ପ୍ରମୋଦ ରଥଙ୍କୁ ଏହି ପଦରେ ରହି ନୃତ୍ୟ, ସଂଗୀତ ଓ ନାଟକ କ୍ଷେତ୍ରରେ କିଛି କରିବା ପାଇଁ ସୁଯୋଗ ମିଳିଛି।

ଏ ସମ୍ପର୍କରେ ସୂଚନା ପାଇବା ପରେ ନିଜ ପ୍ରତିକ୍ରିୟାରେ ଶ୍ରୀ ରଥ କହିଛନ୍ତି, ଯେଉଁ ଭରସାରେ ସରକାର ମତେ ଏହି ଦାୟିତ୍ବ ଦେଇଛନ୍ତି, ସେଇ ଭରସାକୁ ମୁଁ କାର୍ଯ୍ୟରେ ରୂପାନ୍ତର କରିବାକୁ ଶତ ପ୍ରତିଶତ ଚେଷ୍ଟା କରିବି। କେବଳ ସହର ଭିତରେ ନୃତ୍ୟ, ସଂଗୀତ ଓ ନାଟକକୁ ସୀମିତ ନ କରି, ଏହା ଯେମିତି ମାଲକାନଗିରିରୁ ନେଇ ନୂଆପଡ଼ା, ଗଜପତି ସମେତ ଉପାନ୍ତ ଅଞ୍ଚଳରେ ପହଞ୍ଚାଯିବ, ତାହା ଉପରେ ମୁଁ ଗୁରୁତ୍ବାରୋପ କରିବି। କଳା ଓ କଳାକାରଙ୍କୁ ସମ୍ମାନ ସହ ଓଡ଼ିଶା ସଂଗୀତ ନାଟକ ଏକାଡେମିର ସାଂସ୍କୃତିକ ଧାରାକୁ ଉପାନ୍ତ ଓ ଅନୁନ୍ନତ ଅଞ୍ଚଳରେ ମଧ୍ୟ ପରିବେଷଣର ସୁଯୋଗ ସୃଷ୍ଟି କରାଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର