ଇଂଲଣ୍ଡ ପ୍ରବାସୀ ଓଡିଆ: ଆଗୁଆ ପଦକ୍ଷେପ ପାଇଁ ଭାରତ ଓ ଓଡିଶାର ସ୍ଥିତି ଭଲ ଅଛି, ମାର୍ଚ୍ଚରେ ଫୁଲବାଣୀ ଆସିବାର ଥିଲା,ସମ୍ଭବ ହୋଇ ପାରିଲାନି

ଫୁଲବାଣୀ: କରୋନା ପାଇଁ ବିଶ୍ବର ଅନ୍ୟ ଦେଶ ଅପେକ୍ଷା ଭାରତ ଆଗୁଆ ପଦକ୍ଷେପ ନେଇଛି। ଏଥି ସହ ଓଡିଶା ସରକାର ବି ଅନ୍ୟ ରାଜ୍ୟଠାରୁ ଆଗୁଆ ଓ ସତର୍କତା ପଦକ୍ଷେପ ନେଇଛନ୍ତି। ଯାହା ଫଳରେ ଭାରତ ସହ ଓଡିଶାରେ କରୋନା ସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ଏଭଳି କହିଛନ୍ତି ଇଂଲଣ୍ଡ ୟୁନାଇଟେଡ୍ କିଙ୍ଗଡମରେ ସପ୍ଟୱେୟାର ଇଂଜିନିୟର ଥିବା ଫୁଲବାଣୀର ଚିନ୍ମୟ କୁମାର ଜେନା।

ଚିନ୍ମୟଙ୍କ ଘର ଫୁଲବାଣୀ ନାରାୟଣୀସାହି। ସେ ସେଠାରେ ଟାଟା କନସଲଣ୍ଟାନିସ୍ ସର୍ଭିସ ସଂସ୍ଥାରେ ସପ୍ଟୱେୟାର ଇଂଜିନିୟର ଭାବେ କାମ କରୁଛନ୍ତି। କରୋନା ଲକ ଡାଉନ ଯୋଗୁ ଅଫିସ ବନ୍ଦ ରହିଛି। ଜରୂରୀ ସେବା ଦୋକାନ ଖୋଲା ରହୁଛି। ତାହା ପୁଣି ନିର୍ଦ୍ଧିଷ୍ଟ ସମୟ ପାଇଁ। ବାକି ସବୁ ବନ୍ଦ। ସେ ମିଳିଥିବା କ୍ବାଟରରେ ପତ୍ନୀ ଓ ଛୋଟ ଝିଅ ସହ ସମୟ କାଟୁଛନ୍ତି।

ଟେଲିଭିଜନ ଦେଖିବା ସହ ନେଟ ମାଧ୍ୟମରେ ଓଡିଆ ଖବର କାଗଜ ଦେଖୁଥିବା କଥା ସେ କହିଛନ୍ତି। ସେଠାରେ ବହୁ ଓଡିଆ ଅଛନ୍ତି। ଓଡିଆ ସୋସାଇଟ ନାଁରେ ଏକ ସଂଗଠନ ରହିଛି। ଏହି ସଂଗଠନ ମାଧ୍ୟମରେ ବିପଦ ପଡିଥିବା ଓଡିଆଙ୍କୁ ସାହାଯ୍ୟ କରାଯାଉଛି। ସେଠାରେ କରୋନା ସ୍ଥିତି ବଡ ଗମ୍ଭୀର ଅଛି। ଆଜି ସୁଦ୍ଧା କରୋନା ଆକ୍ରାନ୍ତ ସଂଖ୍ୟା ୧ ଲକ୍ଷ ୩୮ହଜାର ୭୮ ଟପିଲାଣି। ଆଉ ମୃତ୍ୟୁ ସଂଖ୍ୟା ପାଖାପାଖି ୧୯ହଜାର। ୩ ସପ୍ତାହ ହେଲା କରୋନା ଲଡ୍ ଡାଉନକୁ କଡାକଡି କରାଯାଇଛି।

ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବାକୁ ବେଶୀ ଗୁରୁତ୍ବ ଦିଆଯାଉଛି। ଯାହା ଫଳରେ ପୂର୍ବ ଅପେକ୍ଷା ସେଠାରେ କରୋନା ସ୍ଥିତିରେ ସୁଧାର ଆସିଛି ବୋଲି ଚିନ୍ମୟ କହିଛନ୍ତି। କରୋନା ମୁକାବିଲା ନିମନ୍ତେ ଓଡିଶା ସରକାରଙ୍କ ଆଗୁଆ ପଦକ୍ଷେପକୁ ସେ ପ୍ରଶଂସା କରିଛନ୍ତି। ଆଗୁଆ ପଦକ୍ଷେପ ଯୋଗୁ ଅନ୍ୟ ରାଜ୍ୟଠାରୁ ଓଡିଶାର କରୋନା ସଂକ୍ରମିତ ଓ ମୃତ ସଂଖ୍ୟା ବହୁତ କମ୍ ରହିଛି। ମହାପ୍ରଭୂ ଶ୍ରୀଜଗନ୍ନାଥଙ୍କ କୃପାରୁ ଓଡିଶାରେ କରୋନା ସେମିତି କିଛି କ୍ଷତି କରି ପାରିବ ନାହିଁ ବୋଲି ସେ ଆଶାବାଦୀ ଅଛନ୍ତି। ହେଲେ ଏଥି ପାଇଁ ସମସ୍ତେ ସରକାରଙ୍କ ନିର୍ଦ୍ଦେଶକୁ ମାନନ୍ତୁ। ଘରେ ରୁହନ୍ତୁ। ବାହାରକୁ ବାହାରିଲେ ମୁହଁରେ ମାସ୍କ ପିନ୍ଧନ୍ତୁ ଓ ସମାଜିକ ଦୂରତା ରକ୍ଷା କରନ୍ତୁ ବୋଲି ଚିନ୍ମୟ ଓଡିଶାବାସୀଙ୍କୁ ନିବେଦନ କରିଛନ୍ତି। ସେ ମାର୍ଚ୍ଚରେ ଜନ୍ମମାଟି ଫୁଲବାଣୀକୁ ଆସିବାର ଥିଲା। ଏଥି ନିମନ୍ତେ ପ୍ଲାଇଟ ଟିକେଟ କରି ସାରିଥିଲେ। ହେଲେ କରୋନା ଲକ୍ ଡାଉନ ଯୋଗୁ ଆସିବାର ସମ୍ଭବ ହେଲାନି ବୋଲି ସେ କହିଛନ୍ତି।

(ଇଂଲଣ୍ଡ ୟୁନାଇଟେଡ କିଙ୍ଗଡମରେ ସପ୍ଟୱେୟାର ଇଂଜିନିୟର ଭାବେ କାମ କରୁଥିବା ଚିନ୍ମୟ କୁମାର ଜେନାଙ୍କ ସହ ଫୋନରେ କଥା ହୋଇଥିଲେ ଆମ ଫୁଲବାଣୀ ଜିଲ୍ଲା ପ୍ରତିନିଧି ବଟକୃଷ୍ଣ ବିହାରୀ)

ସମ୍ବନ୍ଧିତ ଖବର