ଉତ୍କଳ ଦିବସରେ ପ୍ରାଚୀ ଟ୍ରଷ୍ଟର ନୂଆ ଓଡ଼ିଶା ନିର୍ମାଣ

ଚନ୍ଦ୍ରଭାଗାରେ ଏକାଠି ହେବେ ୧୦ହଜାରରୁ ଅଧିକ ଯୁବପିଢ଼ି

ବିଶୁ ମହାରଣା ଓ ଉପେନ୍ଦ୍ର ମହାରଣା କରାଇବେ ଶପଥ ପାଠ

ଭୁବନେଶ୍ୱର : ଆସନ୍ତା ଉତ୍କଳ ଦିବସରେ ପ୍ରାଚୀ ଟ୍ରଷ୍ଟ ପକ୍ଷରୁ ନୂଆ ଓଡ଼ିଶା ନିର୍ମାଣର ଡାକରା ଦିଆଯାଇଛି। ଚନ୍ଦ୍ରଭାଗା ବେଳାଭୂମିରେ ସୂର୍ଯ୍ୟୋଦୟ ପୂର୍ବରୁ ୧୦ହଜାର ଓଡ଼ିଆ ଯୁବକଯୁବତୀ ଏକାଠି ହୋଇ ନୂଆ ଓଡ଼ିଶା ନିର୍ମାଣ ଅଭିଯାନରେ ସାମିଲ ହେବେ। ବିଶୁ ମହାରଣା ଓ ଧରମା ପରିବାରର ଉପେନ୍ଦ୍ର ମହାରଣା ନୂଆ ଓଡ଼ିଶା ନିର୍ମାଣର ଶପଥ ପାଠ କରାଇବେ ବୋଲି ସୂଚନା ଦେଇଛନ୍ତି ଟ୍ରଷ୍ଟର ସଂପାଦକ ଲଳିତ କୁମାର ରଥ।

ଆଜି ଟ୍ରଷ୍ଟ ପକ୍ଷରୁ ହୋଟେଲ କଳିଙ୍ଗ ଅଶୋକରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରଥ କହିଲେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହାର ଉଦ୍‌ଘାଟନ କରିବେ। ଏହାର ପୂର୍ବ ରାତିରେ ପୁରୀ, କାକଟପୁର ମା’ମଙ୍ଗଳା, ସାକ୍ଷୀଗୋପାଳ, କୋଣାର୍କର ଭଗବତୀ ମନ୍ଦିର ନିକଟରୁ ହଜାର ହଜାର ଆଜ୍ଞାମାଳ ନେଇ ଚନ୍ଦ୍ରଭାଗା ଅଭିମୁଖେ ଯାତ୍ରା କରିବେ। ସୂର୍ଯ୍ୟୋଦୟ ପୂର୍ବରୁ ଚନ୍ଦ୍ରଭାଗାର ବେଳାଭୂମିରେ ସୂର୍ଯ୍ୟ ପୂଜା ଅନୁଷ୍ଠିତ ହେବ। ରାଜ୍ୟର ଯୁବ ପିଢ଼ି ଏବେ ସୁପ୍ତ ଅବସ୍ଥାରେ ରହିଛନ୍ତି। ସେମାନଙ୍କୁ ଜାଗ୍ରତ କରି ଓଡ଼ିଶା ନିର୍ମାଣରେ ସାମିଲ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର ଥିଲେ ହେଁ, ଗରିବ ହୋଇ ରହିଛି। ରାଜ୍ୟରେ ଅନନ୍ୟ ସମ୍ଭାବନାକୁ ସାକାର କରିବାକୁ ହେଲେ ଓଡ଼ିଆ ଯୁବପିଢ଼ି ଆଗେଇ ଆସିବା ଜରୁରୀ ବୋଲି ଶ୍ରୀ ରଥ କହିଥିଲେ। ଏହି ସାମ୍ବାଦିକ ସମ୍ମିଳନୀରେ ସଭାପତି ବି.ଖଟୋଇ ଓ ଟ୍ରଷ୍ଟି ସି.ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର