କଟକ: ଦୀର୍ଘ ୨୪ ବର୍ଷ ପରେ ଓଡ଼ିଶାବାସୀ ରାଜ୍ୟରେ ପରିବର୍ତ୍ତନ ଆଣିଛନ୍ତି। ବିଜେପି ନିର୍ବାଚନ ସମୟରେ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ସରକାର ତାହାକୁ କାର୍ଯ୍ୟକାରୀ କରିବାକୁ ପଦକ୍ଷେପ ନେଇଛି। ସିଏ ଶ୍ରୀମନ୍ଦିରର ଚାରି ଦ୍ବାର ଖୋଲିବା ପ୍ରସଙ୍ଗ ହେଉ ଅଥବା ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗ ହେଉ। ପ୍ରାଚୁର୍ଯ୍ୟଭରା ଓଡ଼ିଶାକୁ ଆଗାମୀ ଦିନରେ ବିକଶିତ ଓଡ଼ିଶାର ରୂପ ଦେବା ସହ ବରପୁତ୍ରଙ୍କୁ ଉପଯୁକ୍ତ ସମ୍ମାନ ଦିଆଯିବାକୁ ଉଦ୍ୟମ ଚାଲିଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୈନିକ ଖବର କାଗଜ ପ୍ରଜାତନ୍ତ୍ରର ୭୭ତମ ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏବେ ସଂଗ୍ରାମୀ ମାଧ ସିଂହ ହାତ ପାଣ୍ଠି ବଳରେ ସ୍କୁଲ ଡ୍ରପଆଉଟ୍ଙ୍କୁ ୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଦିଆଯାଇ ପୁଣି ସ୍କୁଲକୁ ଆଣିବାକୁ ଯୋଜନା ହେଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତିର ବିକାଶ ସହିତ ସ୍ବାଧୀନତା ସଂଗ୍ରାମ, ବିଭିନ୍ନ ଜନସ୍ବାର୍ଥ ଆନ୍ଦୋଳନରେ ପ୍ରଜାତନ୍ତ୍ରର ଗୁରୁତ୍ବପୂର୍ଣ୍ଣ ଅବଦାନ ସଂପର୍କରେ ଅବତାରଣା କରିଥିଲେ।
ମଣିପୁର ହାଇକୋର୍ଟର ପୂବତନ ମୁଖ୍ୟ ବିଚାରପତି ଜଷ୍ଟିସ ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜନ୍ମବାର୍ଷିକୀ ସମାରୋହରେ ମୁଖ୍ୟବକ୍ତା ଭାବେ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ରେଭେନ୍ସା ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସଞ୍ଜୟ କୁମାର ନାୟକ ଯୋଗ ଦେଇଥିଲେ। ପ୍ରଜାତନ୍ତ୍ରର ସଂପାଦକ ତଥା ସାଂସଦ ଭର୍ତ୍ତୃହରି ମହତାବ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ଗାଁ ମଜ୍ଲିସ୍’ର ସ୍ବତନ୍ତ୍ର ସଂଖ୍ୟାକୁ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମରେ ମହାନଦୀରେ ବୁଡ଼ି ଯାଉଥିବା କେତେ ଜଣ ଛାତ୍ରଙ୍କୁ ଉଦ୍ଧାର କରିଥିବା ମାଧବ ବେହେରା, ତାଙ୍କ ପରିବାର ଓ କଟକର ପ୍ରମୁଖ ସ୍ବେଚ୍ଛାସେବୀ ସଂଗଠନ ‘ସ୍ବପ୍ନ ଫାଉଣ୍ଡେସନ ସଭାପତି ସୁଧାଂଶୁ ପାତ୍ର ଓ ସାଥିଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।