ଭୁବନେଶ୍ବର: ରାଜ୍ୟରେ ରାସାୟନିକ ସାରର ହାରାହାରି ବ୍ୟବହାର ହେକ୍ଟର ପିଛା ୫୭.୧୧ କେଜି। ଅଥଚ ନବରଙ୍ଗପୁରରେ ହେକ୍ଟର ପିଛା ୧୫୪.୨୦ କେଜି ସାର ବ୍ୟବହାର ହେଉଛି। ବରଗଡ଼ରେ ଏହାର ପରିମାଣ ୧୦୯.୮୭ କେଜି, ସମ୍ବଲପୁରରେ ୧୦୫.୯୪ କେଜି ଏବଂ ବାଲେଶ୍ବରରେ ୧୦୧.୭୬ କେଜି। ବରଗଡ଼ରେ ରାସାୟନିକ ସାରର ମାତ୍ରାଧିକ ବ୍ୟବହାର କର୍କଟ ରୋଗର ପ୍ରମୁଖ କାରଣ ବୋଲି ଗବେଷକମାନେ ସୂଚାଇଥିବା ପରିପ୍ରେକ୍ଷୀରେ ଏହି ପରିସଂଖ୍ୟାନ ଏବେ ବିଭିନ୍ନ ମହଲକୁ ଆନ୍ଦୋଳିତ କଲାଣି। ରାସାୟନିକ ସାର ବ୍ୟବହାର କମାଇ ଜୈବିକ ପଦ୍ଧତିରେ ଚାଷ କରିବା ଉପରେ ବିଶେଷଜ୍ଞ ଜୋର ଦେଉଥିଲେ। ଏବେ ପ୍ରାକୃତିକ ଚାଷ ପ୍ରସଙ୍ଗ ଉଠିଲାଣି। ଏ କ୍ଷେତ୍ରରେ କନ୍ଧମାଳକୁ ଉଦାହରଣ ଭାବେ ବିଶେଷଜ୍ଞ ନେଉଛନ୍ତି। ତଥ୍ୟ କହୁଛି ଯେ ଓଡ଼ିଶାରେ କନ୍ଧମାଳ ଜିଲ୍ଲାରେ ସବୁଠାରୁ କମ୍ ରାସାୟନିକ ସାର ବ୍ୟବହାର କରାଯାଉଛି। ଏଠାରେ ହେକ୍ଟର ପିଛା ମାତ୍ର ୯.୮୫ କେଜି ରାସାୟନିକ ସାର ବ୍ୟବହାର କରି ଚାଷୀ ଚାଷ କରୁଛନ୍ତି।
ଏଠାରେ ଉଲ୍ଲେଖଥାଉକି, ଖାଦ୍ୟ ସଙ୍କଟରୁ ସବୁଜ ବିପ୍ଳବର ଜନ୍ମ। ହେଲେ ଉତ୍ପାଦନ ବୃଦ୍ଧି ପାଇଁ ସରକାରୀ ପ୍ରୋତ୍ସାହନରେ ରାସାୟନିକ ସାର ବ୍ୟବହାର ବଢ଼ିଛି। କୃଷି ବିଭାଗର ସୂଚନା ଅନୁସାରେ, ୧୯୬୧ ମସିହାରେ ଓଡ଼ିଶାରେ ହେକ୍ଟର ପିଛା ୦.୭୬ କେଜି ସାରର ବ୍ୟବହାର ହେଉଥିଲା। ୧୯୭୧ ମସିହାରେ ଏହା ୭.୨୫ କେଜି, ୨୦୦୧ ମସିହାରେ ୪୧ କେଜି, ୨୦୦୮ ମସିହାରେ ସର୍ବାଧିକ ୬୨ କେଜିରେ ପହଞ୍ଚିଥିଲା। ପରବର୍ତ୍ତୀ ସମୟରେ ଏହା ହ୍ରାସ ପାଉଛି। ବରଗଡ଼, ସମ୍ବଲପୁର, ବାଲେଶ୍ବର ଭଳି ଜଳସେଚିତ ଅଞ୍ଚଳରେ ହେକ୍ଟର ପିଛା ସାର ବ୍ୟବହାର ୧୦୦ କେଜିକୁ ଅତିକ୍ରମ କରିଛି। ନବରଙ୍ଗପୁରର ଉମରକୋଟରେ ଆନ୍ଧ୍ରପ୍ରଦେଶର ମକା ଚାଷୀ ଏତେ ପରିମାଣରେ ରସାୟନିକ ସାରର ବ୍ୟବହାର କରୁଛନ୍ତି, ଯାହା ରାଜ୍ୟରେ ସର୍ବାଧିକ।
ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ରାସାୟନିକ ସାର ଯୁକ୍ତ ଖାଦ୍ୟ ଯୋଗୁଁ କିଡ୍ନି, ଲିଭର୍, ପ୍ରଜନନ, ଶ୍ବାସକ୍ରିୟା, ହୃଦ୍ରୋଗ, ହଇଜା, ଗ୍ୟାଷ୍ଟ୍ରିକ ଏବଂ କର୍କଟ ରୋଗ ଦେଖାଯାଉଛି। କେବଳ ସେତିକି ନୁହେଁ, ରାସାୟନିକ ସାରର ଯବକ୍ଷାରଜାନ ନାଇଟ୍ରେଟ୍ ଭୂତଳ ଜଳକୁ ଶୋଷି ପକାଏ। ଫଳତଃ ଜିଆ, ଅଣୁଜୀବ ଏବଂ ଜଳଚର ପ୍ରାଣୀଙ୍କ କ୍ଷତି ହୋଇଥାଏ। ରାସାୟନିକ ସାର ପ୍ରଭାବରେ ହେଉଥିବା ସ୍ବାସ୍ଥ୍ୟ ସମସ୍ୟା, ପରିବେଶ କ୍ଷତି ନେଇ ବର୍ତ୍ତମାନ ମଧ୍ୟ ଉଚ୍ଚସ୍ତରୀୟ ଗବେଷଣାର ଆବଶ୍ୟକତା ରହିଛି। ଅନ୍ୟପକ୍ଷରେ ରାସାୟନିକ ସାର ଏବଂ କୀଟନାଶକ ପ୍ରୟୋଗ ଯୋଗୁଁ ଚାଷ ଖର୍ଚ୍ଚ ମଧ୍ୟ ବଢ଼ିବାରେ ଲାଗିଛି।
ଏସବୁକୁ ଦୃଷ୍ଟିରେ ରଖି ୨୦୧୭ ମସିହାରୁ କେନ୍ଦ୍ର-ରାଜ୍ୟ ସରକାରଙ୍କ ମିଳିତ ସହଯୋଗରେ ପରମ୍ପରାଗତ କୃଷି ପଦ୍ଧତି ଯୋଜନା ଅଧୀନରେ ଜୈବିକ ଚାଷକୁ ପ୍ରୋତ୍ସାହିତ କରାଯାଉଥିଲା। ଜୈବିକ ଚାଷ କରୁଥିବା ଚାଷୀଙ୍କୁ ଆର୍ଥିକ ପ୍ରୋତ୍ସାହନ ମଧ୍ୟ ଦିଆଯାଉ ଥିଲା। ମାତ୍ର ଏହା ସେତେଟା ସଫଳ ହୋଇ ପାରିନାହିଁ। ୨୦୨୦ ମସିହାରେ ଏହାକୁ ବନ୍ଦ କରି ଦିଆଯାଇଛି।
କୃଷି ଅଧିକାରୀ ପ୍ରଦୀପ ସେଠୀଙ୍କ ଅନୁସାରେ, ୨୦୨୨ ମସିହାରେ ପ୍ରଥମ ଥର ପାଇଁ ୨୪ ହଜାର ହେକ୍ଟର ଜମିରେ ଭାରତୀୟ ପ୍ରାକୃତିକ କୃଷି ପଦ୍ଧତିରେ ଜିରୋ ବଜେଟ୍ ଫାର୍ମିଂ କାର୍ଯ୍ୟକାରୀ କରାଯାଇଛି। ଏଥିରେ ଧାନ, ଡାଲି ଜାତୀୟ, ମିଲେଟ୍, ପରିବା, ମସଲା ସବୁ ପ୍ରକାର ଫସଲ ରହିଛି। ଏଥିରେ କେବଳ ପ୍ରଶିକ୍ଷଣରେ ୧୦ ଲକ୍ଷ ଟଙ୍କା ବଜେଟ୍ ବ୍ୟବସ୍ଥା ରହିଥିଲା। ୨୦୧୯ ଜୁଲାଇରେ କେନ୍ଦ୍ର ଅର୍ଥମନ୍ତ୍ରୀ ଦେଶରେ ଜିରୋ ବଜେଟ୍ କାର୍ଯ୍ୟକାରୀ ବିଷୟରେ ଘୋଷଣା କରିଥିଲେ। ସମୁଦାୟ ଜମିରେ ଏହାକୁ କାର୍ଯ୍ୟକାରୀ କରାନଯାଇ ନିର୍ଦ୍ଦିଷ୍ଟ ଅଞ୍ଚଳର ଆଗ୍ରହୀ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି। ୧ ହଜାର ହେକ୍ଟର ପର୍ଯ୍ୟନ୍ତ ଅଞ୍ଚଳ ରାସାୟନିକ ସାର ରହିତ ହେବା ଆବଶ୍ୟକ। ମୟୂରଭଞ୍ଜ, ରାୟଗଡ଼ା, ଗଜପତି, ମାଲକାନଗିରି, କନ୍ଧମାଳ, ସମ୍ବଲପୁର, ନୂଆପଡ଼ା, ଖୋର୍ଧା, ନବରଙ୍ଗପୁର, କେନ୍ଦୁଝର, କୋରାପୁଟ, ଦେବଗଡ଼, ବରଗଡ଼ ଏବଂ ବଲାଙ୍ଗୀରରେ ଏହି ପଦ୍ଧତିରେ ଚାଷ କରାଯାଉଛି। କନ୍ଧମାଳ ଜିଲ୍ଲାକୁ ପ୍ରାକୃତିକ ଚାଷର ଗବେଷଣାଗାର କରିବା ପାଇଁ କୃଷି ବିଭାଗ ଅଣ୍ଟା ଭିଡ଼ିଛି। ଏହା କେତେ ସଫଳ ହେବ ଏବଂ ରାଜ୍ୟବାସୀଙ୍କୁ ବିଷମୁକ୍ତ ଖାଦ୍ୟ ମିଳିବ ତାକୁହିଁ ଅପେକ୍ଷା।