ଭୁବନେଶ୍ବର: ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଗ୍ରାମୀଣ ପରିବାରକୁ ପାଇପ ଯୋଗେ ପାନୀୟଜଳ ଯୋଗାଇ ଦିଆଯିବ ବୋଲି ୨୦୨୨ ମସିହାରେ ରାଜ୍ୟପାଳଙ୍କ ଅଭିଭାଷଣ ଓ ତତ୍‌କାଳୀନ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବକ୍ତବ୍ୟରେ ଶତପ୍ରତିଶତ ପରିବାରକୁ ୨୦୨୪ ସୁଦ୍ଧା ଗ୍ରାମୀଣ ଓ ସହରୀ ପରିବାରକୁ ଜଳ ଯୋଗାଇ ଦିଆଯିବ ବୋଲି କୁହାଗଲା। ରାଜ୍ୟରେ ଘର ସଂଖ୍ୟା ୮୮ଲକ୍ଷ। ପାଇପ ଜଳ ସଂଯୁକ୍ତ ଘର ୨୦୨୨ସୁଦ୍ଧା ୪୪% ଥିବା ବେଳେ ୨୦୨୩-୨୪ରେ ଏହା ୫୮% ବୋଲି କୁହାଯାଉଛି। ହେଲେ ରାଜ୍ୟର ଅଧିକାଂଶ ଗାଁ ଓ ପଡ଼ାରେ ଟ୍ୟାପ୍‌ ପାଇପର ଜଳ ସଂଯୁକ୍ତ ହୋଇ ନ ଥିବା କହିଛନ୍ତି ବିଜେପି ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ।

Advertisment

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବଳିୟାରସିଂହ କହିଥିଲେ, ଓଡ଼ିଶା ଦେଶର ଚତୁର୍ଥ ଡାଇରିଆ ପ୍ରବଣ ରାଜ୍ୟ। ନିକଟରେ ଅନୁଗୁଳ ଜିଲ୍ଲାର ଆଠମଲ୍ଲିକ ପଞ୍ଚଧାରା ଅଞ୍ଚଳର ୪ଟି ଗାଁରେ ପାନୀୟ ଜଳ ସଂକଟରୁ ୯୦ରୁ ଅଧିକ ଲୋକ କିଡନି ରୋଗାକ୍ରାନ୍ତ। ୧୮ଜଣଙ୍କ ମୃତ୍ୟୁ ହେଲାଣି। ପ୍ରତିଟି ଜୀବନ ମୂଲ୍ୟବାନ ରାଜ୍ୟ ସରକାର କହୁଥିଲା ବେଳେ ଏମାନଙ୍କ ଜୀବନ କ’ଣ ମୂଲ୍ୟହୀନ ? ୨୦୧୯-୨୦ରୁ ୨୦୨୩-୨୪ ମଧ୍ୟରେ ଜଳ ଜୀବନ ମିସନରେ ୧୦,୨୧୫କୋଟି ଟଙ୍କା କେନ୍ଦ୍ରୀୟ ଅନୁଦାନ ମିଳିଛି। ପରିତାପର ବିଷୟ ଯେ ୨୦୨୦-୨୧ରେ ୨୦୩କୋଟି, ୨୦୨୧-୨୨ରେ ୮୩୦ କୋଟି, ୨୦୨୨-୨୩ରେ ୧,୮୩୯କୋଟି ଭାବେ ସମୁଦାୟ ୨,୮୬୩କୋଟି ରାଜ୍ୟ ସରକାରଙ୍କ ଅପାରଗତା କାରଣରୁ ଖର୍ଚ୍ଚ ନ ହୋଇ ଫେରିଯାଇଛି।

ଲୋକ ମୁନ୍ଦାଏ ପାଣି ପାଇଁ ଡହଳ ବିକଳ ହେଉଥିଲା ବେଳେ ୨,୮୬୩କୋଟି ଟଙ୍କା ଫେରିଯିବା ସରକାରଙ୍କ ଅପାରଗତା ଓ ସମ୍ବେଦନହୀନତାକୁ ଦର୍ଶାଉନାହିଁ କି ? ରାଜ୍ୟ ସରକାର ବିଭିନ୍ନ ବୃହତ ଜଳ ଯୋଗାଣ ପ୍ରକଳ୍ପ ହେଉଛି ମହାଦୁର୍ନୀତିର ମେଗା ଉତ୍ସ। ଭଦ୍ରକ ଜିଲ୍ଲାର ଚାନ୍ଦବାଲି, ତିହିଡ଼ି, ବାସୁଦେବପୁର, ଧାମନଗର ଅଞ୍ଚଳରେ ହାଇଦ୍ରାବାଦସ୍ଥିତ ମେଗା ଇଣ୍ଡଷ୍ଟ୍ରି ଆଣ୍ଡ ଇନଫ୍ରାଷ୍ଟ୍ରକ୍ଚର କମ୍ପାନି ସହ ରାଜ୍ୟ ସରକାର ୨୦୧୯ରେ ଚୁକ୍ତି କରିଥିଲେ। କାର୍ଯ୍ୟ ଆରମ୍ଭର ଅଢ଼େଇ ବର୍ଷ ପରେ ବି ମାତ୍ର ୭୬% ସମ୍ପର୍ଣ୍ଣ ହୋଇଛି। ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ କାମ ସରିବା ପରେ ୯୦% ଟଙ୍କା ‌ପୈଠ ହେବା କଥା। ବଳକା ୧୦% ରକ୍ଷଣା ବେକ୍ଷଣ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ସ୍ଥଗିତ ରହିବା ପାଇଁ ନିୟମ ରହିଛି। ପ୍ରକଳ୍ପର ଆଉ ୨୪% କାମ ବାକି ଥିବାବେଳେ ୯୩% ଅର୍ଥ ପୈଠ ହେବା ବ୍ୟାପକ ଦୁର୍ନୀତି, ଭ୍ରଷ୍ଟାଚାରର ଜ୍ୱଳନ୍ତ ଉଦାହରଣ ନୁହେଁ କି? ମାତ୍ରାଧିକ ଅର୍ଥ ବ୍ୟୟ ବ୍ୟବସ୍ଥା ଓ ଦୁର୍ନୀତି, ଭ୍ରଷ୍ଟାଚାର ବନ୍ଦ କରି ଲୋକଙ୍କୁ ମୁନ୍ଦାଏ ପାଣି ଦେବା ପାଇଁ ସର୍ବନିମ୍ନ ଆନ୍ତରିକତା ଓ କାର୍ଯ୍ୟାନୁଷ୍ଠାନ କରାଯାଉ ବୋଲି ଶ୍ରୀ ବଳିୟାରସିଂହ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଦିଲୀପ ମଲ୍ଲିକ ଓ ରାଜେନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।