ରାଉରକେଲା : ନବ ନିର୍ମିତ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଗୁରୁବାରଠାରୁ ଅଭ୍ୟାସ ମ୍ୟାଚ୍ ଆରମ୍ଭ ହୋଇଯାଇଛି। ବୁଧବାର ଦିନ ଷ୍ଟାଡିୟମ୍ର ପିଚ୍ ନଂ-୨ରେ ସେଲ୍ ହକି ଏକାଡେମୀ ଓ ଭାରତ କନିଷ୍ଠ ଦଳ ମଧ୍ୟରେ ପ୍ରଥମ ଅଭ୍ୟାସ ମ୍ୟାଚ୍ ଖେଳାଯାଇଥିଲା। ଏଥିରେ ଭାରତୀୟ ଦଳ ୭-୨ ଗୋଲ୍ରେ ବିଜୟୀ ହୋଇଛି। ଅପରପକ୍ଷରେ, ଯଦିଓ କୋରିଆ ଦଳ ଆଜି ଅଭ୍ୟାସ ମ୍ୟାଚ୍ ଖେଳିନି; ତଥାପି କ୍ରୀଡ଼ାଭ୍ୟାସ ପାଇଁ ସନ୍ଧ୍ୟା ପ୍ରାୟ ୫ଟାରେ ପଡ଼ିଆକୁ ଓହ୍ଲାଇଥିଲେ। କୋରିଆ ଖେଳାଳି ମୁଖ୍ୟ ପିଚ୍ରେ ପ୍ରାୟ ୨ ଘଣ୍ଟା ଧରି ଅଭ୍ୟାସ କରିଥିଲେ। ଉଲ୍ଲେଖଯୋଗ୍ୟ, ଶୁକ୍ରବାର ଦିନ ସନ୍ଧ୍ୟା ୭ଟାରେ ଦୁଇଟି ଅଭ୍ୟାସ ଖେଳାଯିବ। ପ୍ରଥମ ମ୍ୟାଚ୍ କୋରିଆ-ଓଡ଼ିଶା ଦଳ ଏବଂ ଦ୍ବିତୀୟ ମ୍ୟାଚ୍ ଭାରତ-ସେଲ୍ ହକି ଏକାଡେମୀ ମଧ୍ୟରେ ଅନୁଷ୍ଠିତ ହେବ। ତେବେ ଭାରତ-କୋରିଆ କନିଷ୍ଠ ଦଳ ମଧ୍ୟରେ ଖେଳାଯିବାକୁ ଥିବା ତିନିଟି ଅଭ୍ୟାସ ମ୍ୟାଚ୍ ଯଥାକ୍ରମେ ଡିସେମ୍ବର ୨୪, ୨୬ ଓ ୨୭ ତାରିଖ ଅନୁଷ୍ଠିତ ହେବ। ପ୍ରତ୍ୟେକ ମ୍ୟାଚ୍ ସନ୍ଧ୍ୟା ୭ଟାରେ ଖେଳାଯିବ।
ବିଶ୍ବକପ୍ ମ୍ୟାଚ୍ ପୂର୍ବରୁ ଅଭ୍ୟାସ ମ୍ୟାଚ୍ର ମଜାନେବାକୁ ସହରବାସୀ ଚାତକପରି ଚାହିଁ ବସିଥିଲେ। ତେବେ ଏହି ସ୍ବପ୍ନ ପୂରଣହେବା ପ୍ରାୟ କ୍ଷୀଣ। ଆଜି ପ୍ରଥମ ଅଭ୍ୟାସ ମ୍ୟାଚ୍ ବିନା ଦର୍ଶକଙ୍କରେ ଖେଳାଯାଇଥିଲା। ଏହି ୫ଟି ଯାକ ଅଭ୍ୟାସ ମ୍ୟାଚ୍ ଦର୍ଶକଙ୍କ ଅନୁପସ୍ଥିତିରେ ହିଁ ଖେଳାଯିବ। ଏହି ଅଭ୍ୟାସ୍ ମ୍ୟାଚ୍ ଉପଭୋଗ କରିବାକୁ କେବଳ ପାନପୋଷ କ୍ରୀଡ଼ା ଛାତ୍ରାବାସର ଅନ୍ତେବାସୀ/ଅନ୍ତେବାସିନୀଙ୍କୁ ସୁଯୋଗ ଦିଆଯିବ ବୋଲି ସୂଚନାରୁ ପ୍ରକାଶ। ତେବେ ଏନେଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇନାହିଁ। ଷ୍ଟାଡିୟମ ନିର୍ମାଣକାର୍ଯ୍ୟ ସମ୍ପନ୍ନ ହୋଇସାରିଥିବା ବେଳେ ଶେଷ ସ୍ପର୍ଶ ଦେବାର କାର୍ଯ୍ୟ ଜାରି ରହିଛି। ସମ୍ଭବତଃ ଦର୍ଶକଙ୍କ ସୁରକ୍ଷା ଦୃଷ୍ଟିରୁ ଅଭ୍ୟାସ୍ ପାଇଁ ସୁଯୋଗ ଦିଆଯିବନି ବୋଲି ବିଶ୍ବସ୍ତ ସୂତ୍ରରୁ ପ୍ରକାଶ।