ଘରୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ପ୍ରଦୀପ ସେଠୀଙ୍କ ଆବେଦନ: ନିମ୍ନ ଅଦାଲତ ନେବେ ନିଷ୍ପତ୍ତି

କଟକ: ନିଜ ଖର୍ଚ୍ଚରେ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେବା ପ୍ରସଂଗରେ ଅର୍ଥତତ୍ତ୍ୱ ମୁଖ୍ୟ ପ୍ରଦୀପ ସେଠୀ ସମ୍ବଲପୁର ନିମ୍ନ ଅଦାଲତରେ ଆବେଦନ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିଜ ସ୍ୱାସ୍ଥ୍ୟାବସ୍ଥା ସଂପର୍କିତ ସମସ୍ତ ରେକର୍ଡ ସହିତ ପ୍ରଦୀପ ସମ୍ବଲପୁର ସିଜେଏମ୍‌ ଅଦାଲତରେ ଆବେଦନ କରିବେ। ଏହା ପରେ ପ୍ରଦୀପଙ୍କୁ ଘରୋଇ ହସ୍ପିଟାଲରେ ତାଙ୍କ ଖର୍ଚ୍ଚରେ ଚିକିତ୍ସିତ ହେବା ପାଇଁ ଅନୁମତି ପ୍ରଦାନ କରାଯିବା ବା ନାହିଁ ସେ ପ୍ରସଂଗରେ ଅଦାଲତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ ବି.କେ.ନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଟି ମୁଖ୍ୟଙ୍କ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଦୟାନିଧି ମହାନ୍ତି, ଅସିତ କୁମାର ଜେନା ଓ ଟି.ଏନ୍‌.ଚୌଧୁରୀ ଓ ମାନସ ରଂଜନ ବେହେରା ମାମଲା ପରିଚାଳନା କରୁଛନ୍ତି। ଏଟି ମୁଖ୍ୟ ପ୍ରଦୀପ ସେଠୀ ୨୦୧୩ରେ ଗିରଫ ହେବା ପରେ ଭୁବନେଶ୍ୱର ଝାରପଡା ଜେଲରେ ତାଙ୍କୁ ରଖାଯାଇଥିଲା। ୨୦୧୭, ଏପ୍ରିଲ ୭ରେ ଅଦାଲତରେ ପ୍ରଦୀପ ତାଙ୍କ ଦୋଷ ସ୍ୱୀକାର କରିଥିଲେ। ଏହାପରେ ଭୁବନେଶ୍ୱର ସ୍ୱତନ୍ତ୍ର ସିଜେଏମ୍‌ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ ଦଣ୍ଡ ପ୍ରଦାନ କରିଥିଲେ। ନିଜ ଖର୍ଚ୍ଚରେ ସେ ଘରୋଇ ହସ୍ପିଟାଲ ଓ ନର୍ସିଂହୋମରେ ଚିକିତ୍ସିତ ହେବା ପାଇଁ ଚାହିଁଥିଲେ ମଧ୍ୟ ତାଙ୍କୁ ଏହି ସୁବିଧା ପ୍ରଦାନ କରାଯାଇ ନଥିଲା।

ସମ୍ବନ୍ଧିତ ଖବର