ପ୍ରଦୀପ-ବିଜେଡି ମୁହାଁମୁହିଁ

ଡାଲି ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ପ୍ରଦୀପ, ନିଜ ଚେହେରା ଆଉ ମଇଳା କରନ୍ତୁ ନାହିଁ: ବିଜେଡି

ଭୁବନେଶ୍ୱର : ବହିଷ୍କୃତ ବିଜେଡି ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ରାଜ୍ୟ ସରକାରଙ୍କୁ ସମାଲୋଚନା କରିବାକୁ ଯାଇ ବହୁଚର୍ଚ୍ଚିତ ଡାଲି ଦୁର୍ନୀତି ପ୍ରସଙ୍ଗ ଉଠାଇଛନ୍ତି। କେବଳ ସେତିକି ନୁହେଁ, ସିଧା ସିଧା ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍‌ଙ୍କୁ ବିବାଦ ଘେରକୁ ଟାଣିଛନ୍ତି। ସେ କହିଛନ୍ତି ଯେ ତାଙ୍କ ବିରୋଧରେ ଏବେ ସରକାର ଯେଭଳି ଢଙ୍ଗରେ ଲାଗିଛନ୍ତି, ଯଦି ସେହିଭଳି ନିଷ୍ଠାର ସହିତ ବହୁ ଚର୍ଚ୍ଚିତ ଡାଲି ଦୁର୍ନୀତି ତଦନ୍ତର ଖୋଳତାଡ କରିଥାନ୍ତେ, ତେବେ ଭଲ ହୋଇଥାନ୍ତା। ଏହି ଦୁର୍ନୀତିର ତଦନ୍ତ କାହିଁକି ଅଧାରେ ଅଟକିଗଲା ବୋଲି ସେ ପ୍ରଶ୍ନ କରିଛନ୍ତି।

ଶ୍ରୀ ପାଣିଗ୍ରାହୀ କହିଛନ୍ତି ଯେ ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ଦୀର୍ଘ ୪ବର୍ଷ ଧରି ଶ୍ରୀ ପାଣ୍ଡିଆନ୍ ଗଞ୍ଜାମ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଛନ୍ତି। ଏହି ସମୟରେ ହିଁ ଡାଲି ଦୁର୍ନୀତି ଅଭିଯୋଗ ଉଠିଥିଲା ଓ ଭିଜିଲାନ୍ସ ତଦନ୍ତ ଚାଲିଥିଲା। ଏହି ଘଟଣାର ଆଜିର ସ୍ଥିତି କଣ ତାହା ସାମ୍ନାକୁ ଆସିବା ଦରକାର। ତତ୍କାଳୀନ ଜିଲ୍ଲାପାଳଙ୍କର ଏଥିରେ ଭୂମିକା ମଧ୍ୟ ସାର୍ବଜନୀନ ହେବା ଉଚିତ୍।

ଅନ୍ୟପକ୍ଷରେ ଆଜି ଗଣମାଧ୍ୟମ ସାମ୍ନାରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକ କହିଛନ୍ତି ଯେ ପାଠକ ବାପା ପୁଅଙ୍କ କଳା କାରନାମା ବାହାରକୁ ଆସିବା ପରେ ସବୁ କଥା ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ଏହା ପରେ ବି ପ୍ରଦୀପ ବାବୁ ସେମାନଙ୍କୁ କ୍ଲିନ ଚିଟ୍‌ ଦେବାକୁ ଚେଷ୍ଟା କରୁଛନ୍ତି। ଶ୍ରୀ ପାଣିଗ୍ରାହୀ ନିଜେ ମଧ୍ୟ ବିବାଦମୁକ୍ତ ନୁହେଁ। ତାଙ୍କ ସମ୍ପର୍କରେ ବି ଆରୋପ ଆସିଛି ଓ ତାଙ୍କ ଚେହେରା ମଇଳା ହୋଇଛି। ସେ ନିଜ ଚେହେରାକୁ ଆଉ ଅଧିକ ମଇଳା କରିବା ଉଚିତ ନୁହେଁ। ଆଈ ମା’ କାହାଣୀ ପରି ସେ ଗପୁଛନ୍ତି। ମିଛ ଗପ ଅନ୍ତତଃ ସେ ନ ଗପନ୍ତୁ। ଶ୍ରୀ ନାୟକ କହିଥିଲେ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତିଙ୍କ କାର୍ଯ୍ୟ ସମସ୍ତେ ଜାଣନ୍ତି ଓ ଆମେ ସବୁ ବି ଜାଣିଛୁ। କୌଣସି ଲୋକ ଯେତେ କ୍ଷମତାଶାଳୀ ହେଲେ ମଧ୍ୟ ଯଦି ଜନ ବିରୋଧୀ କାର୍ଯ୍ୟ କରନ୍ତି, ଏ ଦଳରେ ତାଙ୍କର ସ୍ଥାନ ନାହିଁ। ଏହା ସ୍ପଷ୍ଟ। ବିଗତ ଦିନରେ ବି ଏହା ଘଟିଛି। ଅତୀତରେ ମନ୍ତ୍ରୀମାନେ ମଧ୍ୟ ଦୁର୍ନୀତିରେ ଯାଇଛନ୍ତି। ଯେତେବେଳେ ଓଡ଼ିଶାବାସୀ କୋଭିଡ୍‌ ସମୟରେ ଡହଳବିକଳ ହେଉଥିଲେ, ସେତେବେଳେ ଶ୍ରୀ ପାଣିଗ୍ରାହୀ ମଉଜ କରୁଥିଲେ। ଏହା କଣ ଜନ ବିରୋଧୀ ନୁହେଁ? ଦୁର୍ନୀତିଗ୍ରସ୍ତଙ୍କୁ ଘୋଡେଇବା କଣ ଜନ ବିରୋଧୀ ନୁହେଁ? ଠକଙ୍କୁ କ୍ଲିନଚିଟ୍ ଦେବା କଣ ଜନ ବିରୋଧୀ ନୁହେଁ?

ସମ୍ବନ୍ଧିତ ଖବର