ଔପନ୍ୟାସିକ ଡକ୍ଟର ପ୍ରଦୀପ ଦାଶଙ୍କୁ ଶାରଳା ପୁରସ୍କାର ପ୍ରଦାନ

ଅଷ୍ଟମ ଶତାବ୍ଦୀରେ ରତ୍ନଗିରି ମହାବିହାର ଥିଲା ବିଶ୍ୱପ୍ରସିଦ୍ଧ ବିଶ୍ୱବିଦ୍ୟାଳୟ

ଭୁବନେଶ୍ବର : ଅଷ୍ଟମ ଶତାବ୍ଦୀରେ ଭୌମକର ରାଜା ଶିବକର ଦେବ ଓ ତାଙ୍କ ପୁତ୍ର ଶୁଭକରଙ୍କ ସମୟରେ ‘ରତ୍ନଗିରି ମହାବିହାର’ର ପୁନଃନିର୍ମାଣ କରାଯାଇଥିଲା। ଅଷ୍ଟମ ଓ ନବମ ଶତାବ୍ଦୀ ବେଳକୁ ଭାରତ ଓ ଭାରତ ବାହାରେ ଏହା ପ୍ରସିଦ୍ଧ ବିଶ୍ବବିଦ୍ୟାଳୟ ରୂପେ ପ୍ରଖ୍ୟାତ ହୋଇପାରିଥିଲା। ଏଠାକୁ ନାଳନ୍ଦା ସମେତ ଚୀନ୍‌, ଜାପାନ ଓ ତିବ୍ବତରୁ ମଧ୍ୟ ଶିକ୍ଷା ଓ ସାଧନ ପାଇଁ ବହୁ ବୌଦ୍ଧ ପଣ୍ଡିତ ଆସୁଥିଲେ। ଏହି ଐଶ୍ବର୍ଯ୍ୟଦୀପ୍ତ ବିଭବକୁ ଆଧାର କରି ସାହିତ୍ୟରେ ସେପରି କୌଣସି ମୌଳିକ ରଚନା ନ ଥିବା ବେଳେ ୯ବର୍ଷର ଗବେଷଣା ପରେ ‘ଚରୁ, ଚୀବର ଓ ଚର୍ଯ୍ୟା’ ଉପନ୍ୟାସରେ ଏହି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ସାମ୍ନାକୁ ଆଣିଛି । ଏହି ପୁସ୍ତକ ବୌଦ୍ଧ ଧର୍ମକୈନ୍ଦ୍ରିକ। ଯେଉଁ ମର୍ମରେ ଆମେ କୋଣାର୍କ, ଲିଙ୍ଗରାଜ ମନ୍ଦିର, ଶ୍ରୀଜଗନ୍ନାଥ ମନ୍ଦିର କିମ୍ବା ରାଜାରାଣୀ ମନ୍ଦିରକୁ ନେଇ ଗର୍ବ କରୁ, ସେଇ ମର୍ମରେ ରତ୍ନଗିରି, ଉଦୟଗିରି ମହାବିହାରକୁ ନେଇ ମଧ୍ୟ ଆମେ ଓଡ଼ିଆମାନେ ଗର୍ବିତ ହୋଇପାରିବା। ଆଜି ‘ଶାରଳା ପୁରସ୍କାର’ରେ ସମ୍ମାନିତ ହେବା ଅବସରରେ ଏ କଥା କହିଛନ୍ତି ଔପନ୍ୟାସିକ ଡକ୍ଟର ପ୍ରଦୀପ ଦାଶ।

ଇଣ୍ଡିଆନ୍‌ ମେଟାଲ୍‌ସ ପବ୍ଲିକ୍‌ ଚାରିଟେବୁଲ୍‌ ଟ୍ରଷ୍ଟ୍‌ (ଇମ୍ପାକ୍ଟ) ପକ୍ଷରୁ ଆଜି ହୋଟେଲ ମେ’ ଫେୟାରରେ ଅନୁଷ୍ଠିତ ୪୦ତମ ଶାରଳା ପୁରସ୍କାର ପ୍ରଦାନ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଡକ୍ଟର ଦାଶଙ୍କୁ ୫ଲକ୍ଷ ଟଙ୍କାର ଅର୍ଥରାଶି ସହ ସମ୍ବର୍ଧିତ କରିଥିଲେ। ଏଥିସହ ବିଶିଷ୍ଟ ମର୍ଦଳ ବାଦକ ପଣ୍ଡିତ ହରମୋହନ ଖୁଣ୍ଟିଆଙ୍କୁ ‘ଇଲା ପଣ୍ଡା ସଂଗୀତ ସମ୍ମାନ’ ଏବଂ ବିଶିଷ୍ଟ ଚିତ୍ରଶିଳ୍ପୀ ଲଲାଟ ମୋହନ ପଟ୍ଟନାୟକଙ୍କୁ ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ ପ୍ରଦାନ କରାଯାଇଥିଲା। ଉଭୟଙ୍କୁ ଦେଢ଼ ଲକ୍ଷ ଟଙ୍କାର ଅର୍ଥରାଶି ସହ ସ୍ମୃତିପତ୍ର ଦେଇ ସମ୍ବର୍ଧିତ କରାଯାଇଥିଲା।

ପ୍ରଫେସର ଲାଲ୍‌ ଅଭିଭାଷଣରେ କହିଲେ, ବ୍ରହ୍ମାଣ୍ଡରେ ଓଡ଼ିଶା ଏଭଳି ଏକ ରାଜ୍ୟ‌, ଯେଉଁଠି ପ୍ରତି ଘରେ ଭାଗବତ ପଢ଼ା ହୁଏ। ଆମେ ଏମିତି ଏକ ଦେଶ‌ରେ ରହୁଛେ, ଯେଉଁ ଦେଶ ସମଗ୍ର ବିଶ୍ବକୁ ଏକତା ସୂତ୍ରରେ ବାନ୍ଧିବାରେ କ୍ଷମତା ରଖେ। ବିଶ୍ବ ଭ୍ରାତୃତ୍ବ, ବିଭିନ୍ନତା ମଧ୍ୟରେ ଏକତା ହିଁ ଭାରତର ଆତ୍ମା। ଏଠାରେ ଏଭଳି ଅମୃତ ମହୋତ୍ସବର ଆୟୋଜନ କେବଳ ଓଡ଼ିଶାକୁ ନୁହେଁ, ପୂରା ବିଶ୍ବକୁ ଏକ ଭଲ ବାର୍ତା ଦେଉଛି ବୋଲି ସେ କହିଥିଲେ। କନ୍ନଡ଼ ସାହିତ୍ୟିକ ବିବେକ ଶାନଭାଗ ସମ୍ମାନିତ ଅତିଥି ଭାବେ ଯୋଗଦେଇ ‌କହ‌ିଲେ, ମହାଭାରତ ଆଜିର ରାଜନୈତିକ ପୃଷ୍ଠଭୂମିରେ ମଧ୍ୟ ପ୍ରାସଙ୍ଗିକ। ଏହା ହିଁ ସାହିତ୍ୟର ବିଶେଷତ୍ବ। ଯାହା କାଳକାଳ ତିଷ୍ଠି ରହେ। ସେ ଏକଥା ବି କହିଲେ, ଅନୁଭବ, ଅନୁଶୀଳନ ଓ ଭିନ୍ନ ଦୃଷ୍ଟିଭଙ୍ଗୀ ହିଁ ଜଣଙ୍କୁ ସଂରଚନା କରିବାକୁ ଖୋରାକ ଯୋଗାଏ। ବାସ୍ତବରେ କ’ଣ କୁହାଯାଇନି, ତାହା ହୃଦୟଙ୍ଗମ କରି ଯଦି ଜଣେ ନିଜର ସଂରଚନା କରେ, ତେବେ ସେ ସାହିତ୍ୟ ଲୋକପ୍ରିୟ ହୁଏ। ଏହି ଅବସରରେ ଶାରଳା ଉପଦେଷ୍ଟା ମଣ୍ଡଳୀର କାର୍ଯ୍ୟକାରୀ ସଭାପତି ଡ. ମାଳବିକା ରାୟ, ସମ୍ପାଦକ ରାଜକିଶୋର ମିଶ୍ର ଉପସ୍ଥିତ ଥିଲେ। ଇମ୍ପାକ୍ଟର ଟ୍ରଷ୍ଟି ପାରମିତା ମହାପାତ୍ର ପ୍ରାରମ୍ଭରେ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର