ଭୁବନେଶ୍ବର ଜାନୁଆରି ପହିଲାରୁ ନୂଆ ଉନ୍ନୟନ କମିସନର ପଦରେ ଦାୟିତ୍ବ ଗ୍ରହଣ କରିବେ ୧୯୮୯ ବ୍ୟାଚ୍ ଆଇଏଏସ୍ ତଥା ଏବେକାର ସ୍ବତନ୍ତ୍ର ରିଲିଫ୍ କମିସନର ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଜଣେ ସଫଳ ଓ ଦକ୍ଷ ପ୍ରଶାସନିକ ଅଧିକାରୀ ଭାବେ ଶ୍ରୀ ଜେନା ରାଜ୍ୟ ପ୍ରଶାସନରେ ଜଣାଶୁଣା। ୧୯୬୪ ମସିହାରେ ଜନ୍ମ ଶ୍ରୀ ଜେନା ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପ୍ରଶିକ୍ଷଣ ପରେ ୧୯୯୧ ମସିହାରେ ପ୍ରଥମେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ର ଉପଜିଲ୍ଲାପାଳ ଭାବେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ପରେ ସେଠାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲାପାଳ ଭାବେ ଦାୟିତ୍ବ ତୁଲାଇଥିଲେ। ଶ୍ରୀ ଜେନାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଭାବେ ବଦଳି କରାଯାଇଥିଲା। ୧୯୯୯ ମସିହା ମହାବାତ୍ୟା ସମୟରେ ଶ୍ରୀ ଜେନା କଟକ ଜିଲ୍ଲାପାଳ ପଦରେ ଥିଲେ। ମହାବାତ୍ୟା ପରବର୍ତ୍ତୀ ପୁନରୁଦ୍ଧାର କାର୍ଯ୍ୟକୁ ସୁଚାରୁରୂପେ ତୁଲାଇଥିବାରୁ ଶ୍ରୀ ଜେନା ରାଜ୍ୟ ଓ ଜାତୀୟ ସ୍ତରରେ ଉଚ୍ଚପ୍ରଶଂସିତ ହୋଇଥିଲେ। ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀ ଓ ଲୋକାଭିମୁଖୀ କାର୍ଯ୍ୟ କରିବାରେ ଶ୍ରୀ ଜେନାଙ୍କର ବହୁ ସୁନାମ ରହିଛି। କୃଷି ନିର୍ଦ୍ଦେଶକ ପଦରେ ଥାଇ ଚାଷୀମାନଙ୍କ ପାଇଁ ଅନେକ ସୁଦୂର ପ୍ରସାରୀ ଉଲ୍ଲେଖନୀୟ କାର୍ଯ୍ୟ କରିଛନ୍ତି।
ଗୋଟିଏ ସମୟରେ ରାଜ୍ୟର ଆର୍ଥିକ ସ୍ଥିତି ଭଲ ନ ଥିବାବେଳେ ଶ୍ରୀ ଜେନାଙ୍କୁ ରାଜ୍ୟ ସରକାର ସମ୍ବଳ ସଂଗ୍ରହ ପାଇଁ ଏକାବେଳେ ବାଣିଜ୍ୟ କମିସନର ଓ ରାଜ୍ୟ ପରିବହନ କମିସନର ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ନିଯୁକ୍ତ କରିଥିଲେ। ଏହି ଦୁଇଟି ପଦରେ ରହି ରାଜସ୍ବ ସଂଗ୍ରହ କ୍ଷେତ୍ରରେ ରେକର୍ଡ଼ ସୃଷ୍ଟି କରି ଶ୍ରୀ ଜେନା ଅତି ସଫଳତାର ନିଜର ଦକ୍ଷତା ପ୍ରତିପାଦିତ କରିପାରିଥିଲେ। ୟୁଏନ୍ଡିପିର ଟିମ୍ ମୁଖ୍ୟ ଭାବେ କାର୍ଯ୍ୟ କରିବା ପରେ ୨୦୦୬ ମସିହାରେ ଓଡ଼ିଶା ସରକାରଙ୍କ ବହୁ ପ୍ରଶଂସିତ ଥଇଥାନ ଓ ପୁନର୍ବାସ ନୀତି ପ୍ରସ୍ତୁତ କରିବାରେ ଶ୍ରୀ ଜେନା ମୁଖ୍ୟ ବିନ୍ଧାଣି ରହିଥିଲେ। ପରେ ସେ ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦୀର୍ଘ ୬ ବର୍ଷ ଧରି ଦାୟିତ୍ବ ତୁଲାଇଥିଲେ। ଶକ୍ତି ବିଭାଗର ପ୍ରମୁଖ ଶାସନ ସଚିବ ପଦରେ ଥିଲାବେଳେ ୨୦୧୩ ମସିହାରେ ଫାଇଲିନ୍ ବାତ୍ୟା ହୋଇଥିଲା। ଅଳ୍ପ ଦିନ ଭିତରେ ବିଦ୍ୟୁତ ସରବରାହ ବ୍ୟବସ୍ଥାକୁ ପୁନଃପ୍ରତିଷ୍ଠା କରିବାରେ ଶ୍ରୀ ଜେନାଙ୍କ ଯେଭଳି ଆଖିଦୃଶିଆ ପଦକ୍ଷେପ ନେଇଥିଲେ ତାହା ଆଜି ବି ଓଡ଼ିଶା ପ୍ରଶାସନ କ୍ଷେତ୍ରରେ ଉଦାହରଣ ବୋଲି ଗଣାଯାଏ।
ଅଳ୍ପ ଦିନ ପାଇଁ ଶ୍ରୀ ଜେନା ପଞ୍ଚାୟତିରାଜ ବିଭାଗର ଦାୟିତ୍ବ ରହିବା ପରେ ଲମ୍ବା ସମୟ ପାଇଁ ଜଳ ସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ବ ତୁଲାଇଛନ୍ତି। ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ଘଟଣା ସାମନାକୁ ଆସିବା ପରେ ତତ୍କ୍ଷଣାତ ପଦକ୍ଷେପ ନେଇ ରାଜ୍ୟର ସ୍ବାର୍ଥକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ବଳିଷ୍ଠ ଯୁକ୍ତି ଶ୍ରୀ ଜେନା ରଖିଥିଲେ। ଏପରିକି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମହାନଦୀ ଜଳ ବିବାଦ ନେଇ ସ୍ବତନ୍ତ୍ର ଟ୍ରିବ୍ୟୁନାଲ୍ ଗଠନ ପାଇଁ ସୁପ୍ରିମକୋର୍ଟରେ ମାମଲା ଦାୟର ହୋଇଥିଲା। ଯାହା ଆଜି ବି ଚର୍ଚ୍ଚାର ବିଷୟ ହୋଇ ରହିଛି। ପ୍ରଶାସନିକ ଅଧିକାରୀ ଭାବେ ଯେତିକି ଦକ୍ଷ, ସେତିକି ମଧ୍ୟ ଶ୍ରୀ ଜେନା ମହାପ୍ରଭୁ ଜଗନ୍ନାଥଙ୍କ ଜଣେ ପରମ ଶ୍ରଦ୍ଧାଳୁ। ୨୦୧୭ ମସିହାରେ ପୁରୀ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଥିଲା। ପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟାକୁ ପଦୋନ୍ନତି ମିଳିବା ପରେ ତାଙ୍କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ସ୍ବତନ୍ତ୍ର ରିଲିଫ୍ କମିସନର ଭାବେ ଦାୟିତ୍ବ ଦିଆଯାଇଛି। ଚଳିତ ବର୍ଷ କୋଭିଡ୍ ମହାମାରୀ ସମୟରେ ସାରା ରାଜ୍ୟ ସଂଗ୍ରାମ କରୁଥିବାବେଳେ ସ୍ବତନ୍ତ୍ର ରିଲିଫ୍ କମିସନର ପଦରେ ରହି ଶ୍ରୀ ଜେନା ଅଦ୍ୟାବଧି ତାଙ୍କର ଗୁରୁଦାୟିତ୍ବ ତୁଲାଇଆସୁଛନ୍ତି। ଖାଲିସେତିକି ନୁହେଁ ଚଳିତ ବର୍ଷ ଅମ୍ଫାନ୍ ବାତ୍ୟାରେ ଉତ୍ତର ଓଡ଼ିଶାରେ ବିପର୍ଯ୍ୟୟ ଘଟାଇଥିଲା।ଏହାର ସଫଳ ମୁକାବିଲା କରାଯାଇପାରିଥିଲା।