ମିଛ କହୁଛନ୍ତି ପ୍ରଦୀପ: ବିଜେଡି

ଭୁବନେଶ୍ୱର : ଜନ ବିରୋଧୀ କାର୍ଯ୍ୟ ପାଇଁ ବିଧାୟକ ପ୍ରଦୀପ ପାଣିଗ୍ରାହୀ ବିଜେଡିରୁ ବହିଷ୍କୃତ ହେବା ପରେ ସର୍ବସାଧାରଣରେ ବିଷ ଓଗାଳିବା ସହିତ ଲୋକଙ୍କୁ ମିଛ କହି ବୁଲୁଛନ୍ତି। ଏହା କହିଛନ୍ତି ଯେ ବିଜେଡି ମୁଖପାତ୍ର ସୁଲତା ଦେଓ। ଗୁରୁବାର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀମତୀ ଦେଓ କହିଛନ୍ତି ଯେ ଆକାଶ ପାଠକ ଟାଟା ମୋଟର୍ସରେ ଏମ୍‍ଡି ଥିବା ନେଇ ମିଛ ଦାବି କରିଛନ୍ତି। ଗଞ୍ଜାମବାସୀ କରୋନା ସହିତ ଲଢୁଥିବା ବେଳେ ଶ୍ରୀ ପାଣିଗ୍ରାହୀ ପାଠକ ପରିବାର ସହିତ ବିମାନରେ ଯାଇ ଓଡିଶା ଲୋକଙ୍କୁ ଠକିଥିବା

ପଇସାରେ ତାରକା ହୋଟେଲରେ ମଉଜ କରୁଥିଲେ। ତାଙ୍କ ବ୍ୟାଙ୍କ ଖାତା ଦର୍ଶାଉଛି ଯେ ଗତ ୬ମାସ ମଧ୍ୟରେ ସେ ଅଢେଇ କୋଟିରୁ ଅଧିକ ଅର୍ଥ ମଦ ଓ ବାଲିରେ ସମ୍ପୃକ୍ତ ଥିବା ଲୋକଙ୍କ ଠାରୁ ଆଦାୟ କରିଛନ୍ତି। ଆକାଶ ପାଠକକୁ ଜାଲିଆତି କରି ଟାଟା କମ୍ପାନିର ଏମ୍‍ଡି ଦର୍ଶାଇବା ସହିତ ଟାଟାରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଗଞ୍ଜାମବାସୀଙ୍କ ଠାରୁ ବିପୁଳ ଅର୍ଥ ଆଦାୟ କରିଛନ୍ତି।

ବିଜେଡି ମୁଖପାତ୍ର ଆହୁରି କହିଛନ୍ତି, ସେ ବି ଜଣେ ମା’। ହେଲେ ସେ ଏପର୍ଯ୍ୟନ୍ତ ଜାଣିପାରୁନାହାନ୍ତି ଯେ ପ୍ରଦୀପ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ କିଭଳି ନିଜର ଏକମାତ୍ର ଝିଅକୁ ସବୁ ଜାଣିଶୁଣି ନିଆଁକୁ ଫିଙ୍ଗିଲା ଭଳି ଟାଟା କମ୍ପାନିରେ ଚାକିରି ନଥିବା ଆକାଶ ପାଠକ ସହିତ ବାହା ଦେବାକୁ ଯାଉଥିଲେ? ଆକାଶ ଠକେଇ ଓ ଜାଲିଆତି କରି ଗଞ୍ଜାମ ଜିଲ୍ଲାର ଯୁବକମାନଙ୍କୁ ସହଜରେ ଠକିଛନ୍ତି ଏବଂ ପ୍ରଦୀପ ପାଣିଗ୍ରାହୀ ଓ ନିଜ ପିତାଙ୍କ ବେଆଇନ୍‍ କାର୍ଯ୍ୟର କାର୍ପଟଦାର ସାଜିଛନ୍ତି। ଏମାନେ କିଭଳି ବାପ ମା’, ଯେଉଁମାନେ କି ନିଜ ଝିଅକୁ ଆକାଶ ଭଳି ଠକ ସହ ବିବାହ କରିବାକୁ ସ୍ଥିର କରିଛନ୍ତି? କୁହାଯାଉଛି ଯେ ଲେକ୍‍ ପ୍ୟାଲେସ ହୋଟେଲରେ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅ ଓ ଆକାଶ ପାଠକର ବାହାଘର ପାଇଁ ୧୫କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଟଙ୍କା କାହାର ଥିଲା? ଏହି ଅର୍ଥ ଓଡିଶାର ଗରିବ, ଖଟିଖିଆ ଓ ବିସ୍ଥାପିତ ଲୋକଙ୍କର ଯାହା କି ପ୍ରଦୀପ ପାଣିଗ୍ରାହୀଙ୍କ ଦ୍ୱାରା ଠକେଇ ଉପାୟରେ ସଂଗ୍ରହ କରାଯାଇଛି । ପ୍ରଦୀପ ପାଣିଗ୍ରାହୀ କହୁଥିବା ମିଛ ଓ ଅମୂଳକ କଥା ଲାଗି ବିଜୁ ଜନତାଦଳ ଦାୟୀ ନୁହେଁ । ଆଇନ୍‍ ଏବେ ତା ବାଟରେ ଯିବ ଏବଂ ଦୋଷୀମାନେ ଦଣ୍ଡ ପାଇବେ । ପ୍ରଦୀପ , ଆକାଶ ଓ ଅଭୟକାନ୍ତ ପାଠକଙ୍କ ଦ୍ୱାରା ଠକେଇର ଶିକାର ହୋଇଥିବା ଗଞ୍ଜାମ ଓ ଅନ୍ୟ ଜିଲ୍ଲାର ଗରିବ, ଖଟିଖିଆ ଓ ବିସ୍ଥାପିତ ଲୋକମାନଙ୍କୁ ନ୍ୟାୟ ମିଳିବ ବୋଲି ଶ୍ରୀମତୀ ଦେଓ କହିଛନ୍ତି।

ସମ୍ବନ୍ଧିତ ଖବର