ପ୍ରଦୀପ ମହାରଥୀଙ୍କୁ ସର୍ତ୍ତମୂଳକ ଜାମିନ୍‌

ଭୁବନେଶ୍ୱର : କାର୍ଯ୍ୟରତ ମାଜିଷ୍ଟ୍ରେଟ୍‌ଙ୍କୁ ମାଡ଼ ମାରି ଜେଲ୍‌ ଯାଇଥିବା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଜାମିନ୍‌ ମିଳିଛି। ଆବେଦନ ଶୁଣାଣି କରି ସ୍ବତନ୍ତ୍ର କୋର୍ଟର ଜଜ୍‌ ଅରୁଣ କୁମାର ମଲ୍ଲିକ ଆଜି ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ୫୦ ହଜାର ଟଙ୍କା ଲେଖାଏଁ ଦୁଇ ଜାମିନଦାର ସହ କେତେକ ସର୍ତ୍ତ ପାଳନ କରିବାକୁ ଆଦେଶ ରହିଛି। ସର୍ତ୍ତଗୁଡ଼ିକ ମଧ୍ୟରେ, ସେ ସାକ୍ଷୀଙ୍କୁ ପ୍ରଭାବିତ କରିପାରିବେ ନାହିଁ, ମାମଲାର ତଦନ୍ତକାରୀ ଅଧିକାରୀ ଯେବେ ଚାହିଁବେ ସେ ଥାନାରେ ହାଜର ହୋଇ ତଦନ୍ତରେ ସହଯୋଗ କରିବେ, ଏହିଭଳି ଅପରାଧରେ ଲିପ୍ତ ହେବେ ନାହିଁ ପ୍ରମୁଖ ରହିଛି। ଯଦି ଏହି ସବୁ ସର୍ତ୍ତ ପାଳନରେ ଖିଲାପ ହୁଏ ତେବେ ଏହି ଜାମିନ ଆଦେଶ ବାତିଲ ହେବା ସହ ତାଙ୍କୁ ପୁଣି ଥରେ ଗିରଫ କରାଯିବ ବୋଲି ଏହି ଉଲ୍ଲେଖ ରହିଛି।

ଅପରାହ୍‌ଣ ପ୍ରାୟ ୩ଟା ବେଳେ ଏହି ଆଦେଶ ପ୍ରଦାନ କରାଯାଇଛି। ଜେଲ୍‌ କର୍ତ୍ତୃପକ୍ଷ ଏହି ଜାମିନ ଆଦେଶ ପାଇବା ପରେ ଶ୍ରୀ ମହାରଥୀ ଚିକିତ୍ସିତ ହେଉଥିବା କ୍ୟାପିଟାଲ ହସ୍‌ପିଟାଲ କର୍ତ୍ତୃପକ୍ଷଙ୍କୁ ସୂଚନା ଦେଇଛନ୍ତି। ରାତି ପ୍ରାୟ ସାଢ଼େ ୭ଟା ବେଳେ କ୍ୟାପିଟାଲ ହସ୍‌ପିଟାଲ କର୍ତ୍ତୃପକ୍ଷ ଲିଖିତ ଭାବେ ଏହି ସୂଚନା ପାଇଛନ୍ତି।

ଜାମିନ ମିଳିବା ପଛରେ ପ୍ରମୁଖ କାରଣ ହେଉଛି ଅଭିଯୋଗକାରୀ ତଥା ମାଡ଼ ଖାଇଥିବା ମାଜିଷ୍ଟ୍ରେଟ ରବି ନାରାୟଣ ପାତ୍ର ବୟାନ ବଦଳାଇଛନ୍ତି। ଅଭିଯୋଗପତ୍ର ତଥା ଏତଲାରେ ଗୋଟିଏ କଥା ରହିଥିବା ବେଳେ ପୁଲିସ ନିକଟରେ ଦେଇଥିବା ବୟାନ ଭିନ୍ନ ରହିଛି। ପ୍ରବଳ ମାଡ଼ରେ ମାଜିଷ୍ଟ୍ରେଟଙ୍କ ଅଣ୍ଟାରେ ଗୁରୁତର ଆଘାତ ଲାଗିଥିବା ଅଭିଯୋଗ ହୋଇଥିଲା। ଏଣୁ ଏକ୍ସ-ରେ କରିବା ପାଇଁ ଡାକ୍ତର କହିଥିଲେ। ହେଲେ ସେ ଏକ୍ସ-ରେ କରିବା ପାଇଁ ରାଜି ହୋଇ ନଥିଲେ। ଫଳରେ ଇଞ୍ଜ୍ୟୁରି ରିପୋର୍ଟରେ ଗୁରୁତର ଆଘାତ କଥା ପ୍ରମାଣ ହୋଇପାରି ନଥିଲା। ଗୋଟିଏ ପଟେ ବୟାନରେ ତାଳମେଳ ନ ରହିବା ଓ ଇଞ୍ଜ୍ୟୁରି ରିପୋର୍ଟରେ ଆଘାତ ପ୍ରମାଣିତ ନ ହେବା ଯୋଗୁ ଶ୍ରୀ ମହାରଥୀଙ୍କୁ ଜାମିନ ମିଳିଥିଲା।

ସୂଚନାଯୋଗ୍ୟ, ଗତ ୨୧ ତାରିଖ ବିଳମ୍ବିତ ରାତି‌ରେ ଶ୍ରୀ ମହାରଥୀଙ୍କର ଫାର୍ମ ହାଉସ୍‌ରେ ଭୋଜି ସହ ଟଙ୍କା ବଣ୍ଟା ଚାଲିଥିବା ଖବର ପାଇ ଭିଡିଓଗ୍ରାଫରଙ୍କ ସହ ଫ୍ଲାଇଂ ସ୍କ୍ବାଡ୍‌ ଓ ଷ୍ଟାଟିକ୍‌ ସର୍ଭେଲାନ୍ସ ଟିମ୍‌ ସଦଳବ‌ଳ‌େ ଚଢ଼ଉ କରିଥିଲେ। ସେହି ସମୟରେ ଶ୍ରୀ ମହାରଥୀ କର୍ମୀମାନଙ୍କ ସହାୟତାରେ ଅଧିକାରୀମାନଙ୍କୁ ଗାଳି କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏଥିରେ ଫ୍ଲାଇଂ ସ୍କ୍ବାଡ୍‌ ଅଧିକାରୀଙ୍କ ସମେତ ପୁଲିସ ଓ ଭିଡିଓଗ୍ରାଫର ମଧ୍ୟ ଆହତ ହୋଇଥିଲେ। ଅଭିଯୋଗକୁ ଆଧାର କରି ୨୨ ତାରିଖ ସକାଳେ ପିପିଲି ପୁଲିସ ଶ୍ରୀ ମହାରଥୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତାଙ୍କ ଜାମିନ୍‌ ଆବେଦନ ‌ହୋଇଥିଲେ ମଧ୍ୟ ଶୁଣାଣି କରାଯାଇ ନଥିଲା। ୨୪ ତାରିଖ ଦିନ ଏହି ଆବେଦନର ଶୁଣାଣି ପାଇଁ ଧାର୍ଯ୍ୟ ହୋଇଥିଲା। ଶ୍ରୀ ମହାରଥୀ ଅସୁସ୍ଥ ଦର୍ଶାଇଥିଲେ। ଏଣୁ ତାଙ୍କୁ ପ୍ରଥମେ ଜେଲ୍‌ ହସ୍‌ପିଟାଲ ଓ ପରେ କ୍ୟାପିଟାଲ ହସ୍‌ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ୨୪ ତାରିଖରେ ଜାମିନ ଆବେଦନର ଶୁଣାଣି ହୋଇଥିଲା। କିନ୍ତୁ ମେଡିକାଲ ରିପୋର୍ଟ ଓ ସିଡି ପ୍ରସ୍ତୁତ ହୋଇନଥିବାରୁ ତଦନ୍ତକାରୀ ଅଧିକାରୀ ସମୟ ମାଗିଥିଲେ। ଏଣୁ ଶୁଣାଣି ଆଜି ହେବ ବୋଲି ଆଦେଶ ହୋଇଥିଲା। ଆଜି ଅପରାହ୍‌ଣ ପ୍ରାୟ ସାଢ଼େ ୨ଟା ବେଳେ ଶୁଣାଣି ହୋଇଥିଲା। ଇଞ୍ଜ୍ୟୁରି ରିପୋର୍ଟରେ ଥିବା ଦୁର୍ବଳତା ଓ ମେଳ ଖାଉ ନଥିବା ବୟାନକୁ ଆଧାର କରି ଶ୍ରୀ ମହାରଥୀଙ୍କ ଓକିଲ ଜାମିନ୍‌ ପ୍ରଦାନ କରିବା ପାଇଁ ଯୁକ୍ତି ବାଢ଼ିଥିଲେ। ଶେଷରେ ଜାମିନ ମିଳିଥିଲା। ଜାମିନ ମିଳିବା ଖବର ପ୍ରଚାରିତ ହେବା ପରେ କ୍ୟାପିଟାଲ ହସ୍‌ପିଟାଲ‌ରେ କର୍ମୀମାନେ ଭିଡ଼ ଜମାଇଥିଲେ। ୩ଟାରୁ ଜାମିନ ମିଳିସାରିଥିଲେ ମଧ୍ୟ ରାତି ସାଢ଼େ ୭ଟା ବେଳେ ଜେଲ୍‌ରୁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଚିଠି ଆସିବା ପରେ ଡିସ୍‌ଚାର୍ଜ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର