ବିଧାନସଭାରେ ମହାରଥୀଙ୍କ ନିଆରା ଅନ୍ଦାଜ : ଚାଲି, ଚାହାଣି, କଥା, ଥଟ୍ଟାମଜା ସବୁଥିରେ ଥାଏ ନିଆରାପଣ

ଭୁବନେଶ୍ୱର : ମନ୍ତ୍ରୀ ଥା’ନ୍ତୁ କି ବିଧାୟକ। ବିଧାନସଭା ଗୃହ ଭିତରେ ମହାରଥୀଙ୍କର ନିଆରା ଅନ୍ଦାଜ ସବୁବେଳେ ଚର୍ଚ୍ଚାର ଖୋରାକ ଯୋଗାଏ। ମନ୍ତ୍ରୀ ଥିଲା ବେଳେ ବିରୋଧୀଙ୍କ ମନ ଜିଣିଲା ପରି ଉତ୍ତର ଦେଇ ଗୃହର ପରିବେଶକୁ ହାଲ୍‌କା କରି ଦିଅନ୍ତି। ପୁଣି ମନ୍ତ୍ରୀ ନ ଥିଲା ବେଳେ କେବେ କେବେ ବିରୋଧୀଙ୍କୁ ଶାଣିତ ଭାଷାରେ ଆକ୍ରମଣ କରନ୍ତି ତ ପୁଣି କେବେ ମନ୍ତ୍ରୀମାନଙ୍କୁ ପ୍ରଶ୍ନବାଣରେ ଅସ୍ତବ୍ୟସ୍ତ କରିଦିଅନ୍ତି। ଶାସକ ଦଳରେ ଥିଲେ ମଧ୍ୟ ମନ୍ତ୍ରୀମାନଙ୍କୁ ରୋକ୍‌ଠୋକ୍ ପ୍ରଶ୍ନ ପଚାରିବାରେ ସେ ହେଳା କରନ୍ତି ନାହିଁ।

ଗୃହ ଭିତରେ ମହାରଥୀଙ୍କ ଚାଲି, ଚାହାଣି, ଡାଏଲଗ୍, ଥଟ୍ଟାମଜା ସବୁଥିରେ ଥାଏ ନିଆରାପଣ। ପ୍ରଶ୍ନ ପଚାରିବାକୁ ସେ ଠିଆ ହେଲା ମାତ୍ରେ ସମସ୍ତେ ତାଙ୍କୁ ଚାତକ ପରି ଚାହିଁଥା’ନ୍ତି। କଡ଼ା କଡ଼ା ପ୍ରଶ୍ନ ପଚାରିବା ଭିତରେ ସେ ଏମିତି ହାଲ୍‌କା ଫୁଲ୍‌କା କଥା ଦୁଇ ପଦ କହିଦିଅନ୍ତି ଯେ ତାହାକୁ ନେଇ ଗୃହରେ ହାସ୍ୟରୋଳ ସୃଷ୍ଟି ହୁଏ। ମହାରଥୀ ଗୃହକୁ ପ୍ର‌ବେଶ କରିବା ମାତ୍ରେ ତାରା ବାହିନୀପତି ବଡ଼ ପାଟିରେ ଡାକନ୍ତି, ପଦି….ପଦି…। ମହାରଥୀ ବି ବହୁତ ଉପଭୋଗ କରନ୍ତି ଏହି ଡାକକୁ।

image source-sambadenglish

କିନ୍ତୁ ମୁଖ୍ୟମନ୍ତ୍ରୀ ଗୃହରେ ଥିଲେ ମହାରଥୀ କିଛି ଥଟ୍ଟାମଜା କରନ୍ତି ନାହିଁ। ସେହି ସମୟରେ କାଳେ ତାରା କ’ଣ କହିଦେବେ, ସେଥିପାଇଁ ତାଙ୍କୁ ଲକ୍ଷ୍ୟ କରି ପାଟିରେ ହାତ ଦେଇ ଚୁପ୍ ରହିବାକୁ ଇସାରା ଦିଅନ୍ତି। ମହାରଥୀ ଯେ ଆଉ ଗୃହକୁ କେବେ ଆସିବେ ନାହିଁ ଓ ତାଙ୍କ ଗମ୍ଭୀର ସ୍ବର ଆଉ କେବେ ଶୁଣାଯିବନି, ତାହାକୁ ବିଧାୟକମାନେ ବିଶ୍ବାସ କରିପାରୁ ନାହାନ୍ତି। ଆଜି ବିଧାନସଭା ପରିସରରେ ଗଣମାଧ୍ୟମ ସାମ୍ନାରେ ବିଧାୟକମାନଙ୍କ ପ୍ରତିକ୍ରିୟା ସୂଚାଉଥିଲା ଯେ ମହାରଥୀ ସମସ୍ତଙ୍କର କେତେ ପ୍ରିୟ ଥିଲେ।

ସମ୍ବନ୍ଧିତ ଖବର