ମହାଯାତ୍ରାରେ ମହାରଥୀ

ରାଜନୀତି ସରିନି, କିନ୍ତୁ ଜୀବନଯୁଦ୍ଧରେ ହାରିଗଲେ

ପିପିଲିରେ ଅଶ୍ରୁଳ ବିଦାୟ ଜଣାଇଲେ ହଜାର ହଜାର ଜନତା
ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ୱର : ବିଜୁ ଜନତା ଦଳର ବରିଷ୍ଠ ନେତା, ପୂର୍ବତନ ମନ୍ତ୍ରୀ ତଥା ପିପିଲିର ବିଧାୟକ ପ୍ରଦୀପ ମହାରଥୀ ଆଉ ନାହାନ୍ତି। ସବୁବେଳେ ତାଙ୍କ ପ୍ରିୟ ଡାଇଲଗ୍ ‘ହାରିନାହିଁ ମହ‌ାରଥୀ…ସରିନାହିଁ ରାଜନୀତି’ ଦୋହରାଉଥିବା ମହାରଥୀଙ୍କ ରାଜନୀତି ସରି ନଥିଲା, କିନ୍ତୁ ସେ ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି। ଗୁରୁତର ଅସୁସ୍ଥ ‌ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଶ୍ରୀ ମହାରଥୀଙ୍କର ଶନିବାର ବିଳମ୍ବିତ ରାତିରେ ୬୫ ବର୍ଷ ବୟସରେ ପରଲୋକ ହୋଇଯାଇଛି। ମହାରଥୀଙ୍କ ପରଲୋକରେ ଓଡ଼ିଶାର ରାଜନୈତିକ ଜଗତରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ଦଳ, ମତ ନିର୍ବି‌ଶେଷରେ ସବୁ ନେତା, ସାଧାରଣ ଜନତା ଗଭୀର ଶୋକ ପ୍ରକାଶ କରିଛନ୍ତି। ବିଶେଷ କରି ତାଙ୍କ ନିର୍ବାଚନମଣ୍ଡଳୀ ପିପିଲି ଏବଂ ପୁରୀ ଜିଲ୍ଲାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ବହୁ ନେତୃବୃନ୍ଦ ତାଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି।

ଗତ ସେପ୍ଟେମ୍ବର ୧୪ ତାରିଖରେ ମହାରଥୀ କରୋନାରେ ଆକ୍ରାନ୍ତ ହୋଇଥିଲେ। କୋଭିଡ୍‌ ହସ୍ପିଟାଲ୍‌ରେ ତ‌ାଙ୍କ ଚିକିତ୍ସା କରାଯାଇଥିଲା ଓ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ତେବେ ତାଙ୍କର ପୂର୍ବରୁ ଏକାଧିକ ରୋଗ ଥିବାରୁ ପରବର୍ତ୍ତୀ ସମୟରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡ଼ି ଯାଇଥିଲା। ଏହା ପରେ ତାଙ୍କୁ ସମ୍ ଅଲ୍ଟିମେଟ୍‌ ମେଡିକେୟାର୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲ୍‌ ପକ୍ଷରୁ ଡା. ବାନାମ୍ବର ରାୟଙ୍କ ନେତୃତ୍ବରେ ଏକ ଡାକ୍ତରୀ ଟିମ୍ ଗଢ଼ାଯାଇ ମହାରଥୀଙ୍କ ଚିକିତ୍ସା ଚାଲିଥିଲା। ତେବେ ଦୁଇ ଦିନ ତଳେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହୋଇପଡ଼ିବାରୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା। ଗତକାଲି ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପରିବାର ସଦସ୍ୟଙ୍କ ସହ କଥା‌ ହେବା ସହ ଚିକିତ୍ସା ସମ୍ପର୍କରେ ଡାକ୍ତରଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଏପରିକି ତାଙ୍କୁ ଅଧିକ ଚିକିତ୍ସା ଲାଗି ଏୟାର ଆମ୍ବୁଲାନ୍ସରେ ନୂଆଦିଲ୍ଲୀ ନେବା ପାଇଁ ଯୋଜନା ଚାଲିଥିଲା। କିନ୍ତୁ ଗତକାଲି ସନ୍ଧ୍ୟା ପରଠାରୁ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥାରେ ଦ୍ରୁତ ଅବନତି ହୋଇଥିଲା। ଖବର ପାଇ ତାଙ୍କର ଶୁଭେଚ୍ଛୁ, ସମର୍ଥକମାନେ ହସ୍ପିଟାଲ୍‌ ପାଖରେ ପହଞ୍ଚିବା ଆରମ୍ଭ କରିଥିଲେ। ଅଧିକ ଭିଡ଼ ହେବାର ଆଶଙ୍କା ଥିବାରୁ ହସ୍ପିଟାଲ୍‌ ପରିସରରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଡାକ୍ତରମାନଙ୍କ ସମସ୍ତ ପ୍ରଚେଷ୍ଟା ସତ୍ତ୍ବେ ମହାରଥୀ ଇହଧାମ ତ୍ୟାଗ କରିଥିଲେ। ବିଳମ୍ବିତ ରାତି ପ୍ରାୟ ୨ଟା ୩୬ରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ରାତିରେ ତାଙ୍କ ମରଶରୀରକୁ ହସ୍ପିଟାଲ୍‌ରୁ ପିଏମ୍‌ଜି ଛକ ନିକଟସ୍ଥ ସରକାରୀ ବାସଭବନକୁ ଅଣାଯାଇଥିଲା। ଭୋର୍‌ରୁ ତାଙ୍କର ଶେଷ ଦର୍ଶନ ପାଇଁ ବିଭିନ୍ନ ଦଳର ନେତୃବୃନ୍ଦ, ମନ୍ତ୍ରୀ, ସାଂସଦ, ବିଧାୟକ ସେଠାରେ ପହଞ୍ଚିଥିଲେ। ସକାଳ ପ୍ରାୟ ୮ଟା ବେଳେ ଏକ ସୁସଜ୍ଜିତ ଗାଡ଼ିରେ ମରଶରୀରକୁ ବିଧାନସଭା ପରିସରକୁ ନିଆଯାଇଥିଲା। ସେଠାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସମେତ ମନ୍ତ୍ରୀ, ବିଧାୟକ, ବିଧାନସଭାର ଅଧିକାରୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏହା ପରେ ବିଜେଡି ରାଜ୍ୟ କାର୍ଯ୍ୟାଳୟକୁ ତାଙ୍କ ପାର୍ଥିବ ଶରୀରକୁ ନିଆଯାଇଥିଲା। ସେଠାରେ ମଧ୍ୟ ବହୁ ବିଧାୟକ, ଦଳୀୟ କର୍ମକର୍ତ୍ତା ଶେଷ ଦର୍ଶନ କରିଥିଲେ। ଏହା ପରେ ତାଙ୍କ ନିର୍ବାଚନମଣ୍ଡଳୀ ପିପିଲି ଅଭିମୁଖେ ଶେଷ ଯାତ୍ରା ଆରମ୍ଭ ହୋଇଥିଲା। ପିପିଲିରେ ବିଜେଡି କାର୍ଯ୍ୟାଳୟ, ତାଙ୍କ ନିଜ ଗ୍ରାମ ଖୋରାପଦା, ଫାର୍ମ ହାଉସ୍‌କୁ ମରଶରୀରକୁ ନିଆଯାଇଥିଲା। ରାସ୍ତା କଡ଼ରେ ହଜାର ହଜାର ଲୋକ ଠିଆ ହୋଇ ନିଜ ପ୍ରିୟ ନେତାଙ୍କୁ ଅଶ୍ରୁଳ ବିଦାୟ ଜଣାଇଥିଲେ। ଅପରାହ୍ନ‌ରେ ପୁରୀ ସ୍ବର୍ଗଦ୍ବାରରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଏକମାତ୍ର ପୁଅ ରୁଦ୍ର ପ୍ରତାପ ମହାରଥୀ ମୁଖାଗ୍ନି ଦେଇଥିଲେ। ମହାରଥୀଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହେବା ସହ ପୁରୀ ଜିଲ୍ଲା ତଥା ଓଡ଼ିଶା ରାଜନୀତିର ଏକ ଅଧ୍ୟାୟର ପରିସମାପ୍ତି ଘଟିଥିଲା।

୧୯୫୫ ମସିହା ଜୁଲାଇ ୪ ତାରିଖରେ ପିପିଲି ବ୍ଲକ୍‌ର ଖୋରାପଦା ଗ୍ରାମରେ ପ୍ରଦୀପ ମହାରଥୀଙ୍କ ଜନ୍ମ। ଏସ୍‌ସିଏସ୍‌ କଲେଜରେ ପଢ଼ିବା ବେଳେ ସେଠାରେ ସେ ଛାତ୍ର ସଂସଦ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସେହିଠାରୁ ହିଁ ତାଙ୍କର ରାଜନୈତିକ କ୍ୟାରିୟରର ମୂଳଦୁଆ ପଡ଼ିଥିଲା। ୧୯୮୫ ମସିହାରେ ମାତ୍ର ୩୦ ବର୍ଷ ବୟସରେ ସେ ଜନତା ପାର୍ଟି ଟିକେଟ୍‌ରେ ପ୍ରଥମ ଥର ପାଇଁ ପିପିଲିରୁ ବିଧାନସଭାକୁ ନିର୍ବାଚିତ ହେଲେ। ତାହା ପରେ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି। ଅଣକଂଗ୍ରେସ ରାଜନୀତିରେ ପିପିଲିରେ ସେ ନିଜ ସ୍ଥିତିକୁ ଦୃଢ଼ କରିବା ସହ ରାଜ୍ୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ପାଲଟିଥିଲେ। ୧୯୯୦ ମସିହାରେ ଜନତା ଦଳରୁ ସେ ଦ୍ବିତୀୟ ଥର ପାଇଁ ବିଧାନସଭାକୁ ନିର୍ବାଚିତ ‌ହୋଇଥିଲେ। ଏହା ପରେ ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ ଲଗାତର ୫ ଥର ବି‌ଜେଡି ଟିକେଟ୍‌ରେ ପିପିଲିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

୨୦୦୦ରୁ ୨୦୦୪ ମସିହା ପର୍ଯ୍ୟନ୍ତ ମହାରଥୀ ଶାସକ ଦଳର ମୁଖ୍ୟ ସ‌ଚେତକ ଭାବେ ଦାୟିତ୍ବ ତୁଲାଇଥିଲେ। ୨୦୧୧ରୁ ୨୦୧୯ ମସିହା ମଧ୍ୟରେ ବିଭିନ୍ନ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ସେ କୃଷି, ମତ୍ସ୍ୟ ଓ ପଶୁସମ୍ପଦ, ପଞ୍ଚାୟତିରାଜ ପରି ଗୁରୁତ୍ବପୂର୍ଣ୍ଣ ବିଭାଗର କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ମନ୍ତ୍ରୀ ଭାବେ ତାଙ୍କ ପ୍ରଦର୍ଶନ ମଧ୍ୟ ଉଲ୍ଲେଖନୀୟ ଥିଲା।

ଜଣେ ଦକ୍ଷ ତଥା ପୋଖତ ରାଜନୀତିଜ୍ଞ ଭାବେ ପରିଚିତ ମହାରଥୀ ନିର୍ବାଚନୀ ରାଜନୀତିର ଜଣେ ସଫଳ ନାୟକ ଥିଲେ। ୭ ଥର ବିଧାନସଭାକୁ ନିର୍ବାଚିତ ହୋଇ ନିଜ ଲୋକପ୍ରିୟତାର ପ୍ରମାଣ ଦେଇଥିଲେ। ତେବେ ବିଭିନ୍ନ ସମୟରେ ନିଜର ମନ୍ତବ୍ୟ ପାଇଁ ସେ ଚର୍ଚ୍ଚିତ ଓ ବିବାଦୀୟ ମଧ୍ୟ ହୋଇଥିଲେ। ଏପରିକି ନିଜ ବେଲଗାମ ତୁଣ୍ଡ ପାଇଁ ଏକାଧିକ ଥର ମନ୍ତ୍ରୀ ପଦ ବି ତାଙ୍କୁ ହରାଇବାକୁ ପଡ଼ିଥିଲା। କିନ୍ତୁ ପୁରୀ ଜିଲ୍ଲା କିମ୍ବା ରାଜ୍ୟ ରାଜନୀତିରେ ମହାରଥୀଙ୍କ ଗୁରୁତ୍ବ ‌ଶେଷ ପର୍ଯ୍ୟନ୍ତ କମି ନ ଥିଲା। ଶାସକ ଦଳରେ ଥିଲେ ମଧ୍ୟ ଅନେକ ସମୟରେ ସରକାରଙ୍କ ବିରୋଧରେ ଅପ୍ରିୟ ସତ କଥା କହି ନିଜର ଏକ ନିଆରା ପରିଚୟ ସୃଷ୍ଟି କରିଥିଲେ।

ନଟୁ ଭାଇ(ଡାକ ନାମ) ନାମରେ ଜଣାଶୁଣା ମହାରଥୀ ବନ୍ଧୁ ମହଲରେ ଜଣେ ମଜାଦାର ବ୍ୟକ୍ତି ଭାବେ ସମସ୍ତଙ୍କ ପ୍ରିୟ ଥିଲେ। ତାଙ୍କ ଚେହେରା ଓ ଭାଷା ଅତ୍ୟନ୍ତ ଗମ୍ଭୀର ଲାଗୁଥିଲେ ମଧ୍ୟ ନିଜ ବାକ୍ ଚାତୁରୀରେ ସେ ସମସ୍ତଙ୍କୁ ନିଜର କରିପାରୁଥିଲେ। ବିଧାନସଭା ଭିତରେ ଓ ଅନ୍ୟ ସ୍ଥାନରେ ବିଭିନ୍ନ ସମୟରେ ମଜାଦାର କଥ‌ା କହି ଓ ଚିରାଚରିତ ଢଙ୍ଗରେ ଡାଏଲଗ୍ କହି ସମସ୍ତଙ୍କ ମନ ଜିଣିପାରୁଥିଲେ। ବିଭିନ୍ନ ସାଧାରଣ ସଭାଗୁଡ଼ିକରେ ମହାରଥୀଙ୍କ ଗମ୍ଭୀର ସ୍ବରର ଭାଷଣ ଓ ମଝିରେ ମଝିରେ ହାଲ୍‌କା ଫୁଲ୍‌କା ମନ୍ତବ୍ୟ ଲୋକଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିପାରୁଥିଲା।

ମହାରଥୀଙ୍କ ଦ୍ବାରା ପ୍ରତିଷ୍ଠିତ ‘କଳିଙ୍ଗ ଗଣନାଟ୍ୟ’ ରାଜ୍ୟର ଯାତ୍ରା ଜଗତରେ ଏକ ଲୋକପ୍ରିୟ ଅପେରା ସଂସ୍ଥା ଭାବେ ପରିଚିତ। ଦୀର୍ଘ ବର୍ଷ ଧରି ଏହି ସଂସ୍ଥା ବହୁ ସଫଳ ନାଟକ ଦର୍ଶକଙ୍କୁ ଭେଟି ଦେଇଛି। ମହାରଥୀ ନିଜ ନାମର ସାଙ୍ଗିଆକୁ ନେଇ କିଛି ନାଟକର ନାମକରଣ ମଧ୍ୟ କରିଥିଲେ। ‘ଶହେ ଘୋଡ଼ାକୁ ଶହେ ହାତୀ, ଏକା ଲଢ଼ିବ ମହାରଥୀ’, ‘ହାରି ନାହିଁ ମହାରଥୀ, ସରି ନାହିଁ ରାଜନୀତି’ ଆଦି ନାଟକ ତାଙ୍କୁ ଆହୁରି ଚର୍ଚ୍ଚିତ କରିଥିଲା। ତାଙ୍କୁ ଯାତ୍ରା ମହାରଥୀ ନାମରେ ମଧ୍ୟ ଲୋକେ ସମ୍ବୋଧନ କରୁଥିଲେ।

ସ୍ବର୍ଗତ ମହାରଥୀଙ୍କ ପତ୍ନୀ ପ୍ରତିଭା ମହାରଥୀ ଜଣେ ଜଣାଶୁଣା ଅଧ୍ୟାପିକା‌ ଓ ଶିକ୍ଷାବିତ୍। ଗତ ଫେବ୍ରୁଆରି ମାସରେ ମହାରଥୀଙ୍କ ଝିଅ ଡାକ୍ତର ପଲ୍ଲବୀ ମହାରଥୀ ଓଲିଉଡ୍‌ ଅଭିନେତା ଅର୍ଦ୍ଧେନ୍ଦୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ତାଙ୍କ ପୁତ୍ର ରୁଦ୍ର ପ୍ରତାପ ମହାରଥୀ ଭୁବନେଶ୍ବରର ଏକ୍ସଆଇଏମ୍‌ବିରେ କାର୍ଯ୍ୟରତ। ଗତ ନିର୍ବାଚନ ସମୟ‌ରୁ ରୁଦ୍ର ପ୍ରତାପଙ୍କ ରାଜନୀତିରେ ପ୍ରବେଶ ନେଇ ଚର୍ଚ୍ଚା ଚାଲିଥିଲେ ମଧ୍ୟ ସେ ଏ ଯାଏ ପ୍ରତ୍ୟକ୍ଷ ରାଜନୀତିକୁ ଆସି ନାହାନ୍ତି।

ସମ୍ବନ୍ଧିତ ଖବର