ମହାରଥୀଙ୍କୁ ନେଇ ତୁଟୁନି ଦ୍ବନ୍ଦ୍ବ

ପୁରୀ : ପୁରୀ ବିଧାନସଭା ଆସନରେ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଟିକେଟକୁ ନେଇ ରହିଥିବା ଦ୍ବନ୍ଦ୍ବ ଆଜି ଦୂର ହୋଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଜି ପୁରୀ ଆସନ ପାଇଁ ପୁଣିଥ‌ରେ ୫ ଥରର ବିଧାୟକ ମହେଶ୍ବରଙ୍କୁ ହଁ କରିଛନ୍ତି। ଫଳରେ ମହେଶ୍ବରଙ୍କ ଟିକେଟକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ଟିକେଟ ଘୋଷଣା ପରେ ପୁରୀରେ ମହେଶ୍ବରଙ୍କ ସମର୍ଥକମାନେ ଉତ୍ସାହିତ ହୋଇପଡ଼ିଛନ୍ତି। ମହେଶ୍ବରଙ୍କ ଟିକେଟ ଘୋଷଣା ହେବା ପରେ ତାଙ୍କ ବିରୋଧରେ ଚକ୍ରାନ୍ତ ଚଳାଇଥିବା ଯୁବଗୋଷ୍ଠୀ ମଧ୍ୟ ନିରବ ପଡି ଯାଇଛନ୍ତି। ତେବେ ସେମାନେ ‌ମହେଶ୍ବରଙ୍କ ସହିତ ରହିବେ ନା ଦଳ ଛାଡ଼ିବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ଜିଲ୍ଲାର ବରିଷ୍ଠ ନେତା ହିସାବରେ ମହେଶ୍ବରଙ୍କୁ ଟିକେଟ ମିଳିଥିବା ବେଳେ ପିପିଲି ଆସନ ପାଇଁ ମହାରଥୀଙ୍କ ଟିକେଟକୁ ଝୁଲାଇ ରଖାଯାଇଛି।

ତୃତୀୟ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ବିଧାନସଭା ‌ଆସନର ପ୍ରାର୍ଥୀ ଘୋଷଣା ହୋଇଥିବା ବେଳେ ମହାରଥୀଙ୍କୁ ନେଇ ବିଜେଡି କସରତ ତୁଟୁନାହିଁ। ମହିଳା ବିରୋଧୀ ମନ୍ତବ୍ୟକୁ ନେଇ ଚିନ୍ତାରେ ଥିବା ବିଜେଡି ମହାରଥୀଙ୍କୁ ପ୍ରାର୍ଥୀ କରିବ କି ନାହିଁ ତାକୁ ନେଇ ଏବେ ବି ସନ୍ଦେହ ରହିଛି। ଦଳ ମହାରଥୀଙ୍କ ପତ୍ନୀ କିମ୍ବା ତାଙ୍କ ପୁଅକୁ ଟିକେଟ ଦେବା ପ‌ାଇଁ ଯୋଜନା କରୁଥିବାବେଳେ ମହାରଥୀ ଅମଙ୍ଗ ଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡିଛି। ‌

ସମ୍ବନ୍ଧିତ ଖବର