ଭୁବନେଶ୍ୱର : କାର୍ଯ୍ୟରତ ମାଜିଷ୍ଟ୍ରେଟ୍ଙ୍କୁ ମାଡ଼ ମାରି ଜେଲ୍ ଯାଇଥିବା ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅଡୁଆ ବଢ଼ିଛି। ତାଙ୍କ ଜାମିନ୍ ଆବେଦନ ଶୁଣାଣି ଆଉ ୩ଦିନ ଘୁଞ୍ଚିଛି। ଆସନ୍ତା ୨୭ ତାରିଖରେ ଆବେଦନର ଶୁଣାଣି ହେବ ବୋଲି ଆଜି ସ୍ବତନ୍ତ୍ର କୋର୍ଟ ଆଦେଶ ଦେଇଛନ୍ତି। ମତଦାନ କାର୍ଯ୍ୟକ୍ରମରେ ବ୍ୟସ୍ତ ଥିବା ଦର୍ଶାଇ ତଦନ୍ତକାରୀ ଅଧିକାରୀ କେସ୍ ଡାଏରୀ (ସିଡି) ଓ ଇଞ୍ଜ୍ୟୁରି ରିପୋର୍ଟ ପ୍ରସ୍ତୁତ କରି ପାରି ନଥିବାରୁ ସମୟ ମାଗିଛନ୍ତି। ତଦନ୍ତକାରୀ ଅଧିକାରୀଙ୍କ ଏହି ଆବେଦନକୁ ମଞ୍ଜୁର କରିବା ସହ ସ୍ବତନ୍ତ୍ର କୋର୍ଟ ଜଜ୍ ତଥା ଏଡିଜେ-୩ ଅରୁଣ ମଲ୍ଲିକ ଏହି ପରବର୍ତ୍ତୀ ତାରିଖ ଧାର୍ଯ୍ୟ କରିଛନ୍ତି। ମାମଲାର ତଦନ୍ତକାରୀ ଅଧିକାରୀ ତଥା ପିପିଲି ଥାନା ଆଇଆଇସି ସୋମବାର ପର୍ଯ୍ୟନ୍ତ ସମୟ ମାଗିଥିଲେ। କିନ୍ତୁ କୋର୍ଟ ଶନିବାର ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଜେଲ୍ ହସ୍ପିଟାଲର ପ୍ରାଥମିକ ରିପୋର୍ଟ, ଯେଉଁ ଆଧାର ବଳରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ତାହାର ରିପୋର୍ଟ ସହ କ୍ୟାପିଟାଲ୍ ହସ୍ପିଟାଲରେ ତାଙ୍କର ଚାଲିଥିବା ଚିକିତ୍ସାର ବିବରଣୀ ମଧ୍ୟ ତଲବ କରାଯାଇଛି। ଶନିବାର ସୁଦ୍ଧା ପିପିଲି ଥାନା ଆଇଆଇସି ଏସବୁ ଯୋଗାଡ଼ କରି କୋର୍ଟରେ ଦାଖଲ କଲେ ଜାମିନ ଆବେଦନର ଶୁଣାଣି ହେବ ବୋଲି ଆଦେଶ ହୋଇଛି। ଫଳରେ ଶ୍ରୀ ମହାରଥୀ ଅନ୍ତତଃ ଶନିବାର ପର୍ଯ୍ୟନ୍ତ ଜେଲ୍ରୁ ମୁକୁଳି ପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଛି।
ଗତ ୨୧ ତାରିଖ ବିଳମ୍ବିତ ରାତିରେ ଶ୍ରୀ ମହାରଥୀଙ୍କର ଫାର୍ମ ହାଉସ୍ରେ ଭୋଜିଭାତ ଚାଲିଥିବା ଖବର ପାଇ ଭିଡିଓଗ୍ରାଫରଙ୍କ ସହ ଫ୍ଲାଇଂ ସ୍କ୍ବାଡ୍ ଓ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ସଦଳବଳ ଚଢ଼ଉ କରିଥିଲେ। ସେହି ସମୟରେ ଶ୍ରୀ ମହାରଥୀ କର୍ମୀମାନଙ୍କ ସହାୟତାରେ ଅଧିକାରୀମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ଏଥିରେ ଫ୍ଲାଇଂ ସ୍କ୍ବାଡ୍ ଅଧିକାରୀଙ୍କ ସମେତ ପୁଲିସ ଓ ଭିଡିଓଗ୍ରାଫର ମଧ୍ୟ ଆହତ ହୋଇଥିଲେ। ଅଭିଯୋଗକୁ ଆଧାର କରି ସୋମବାର ସକାଳେ ପିପିଲି ପୁଲିସ ଶ୍ରୀ ମହାରଥୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ତାଙ୍କ ଜାମିନ୍ ଆବେଦନ ହୋଇଥିଲେ ମଧ୍ୟ ଶୁଣାଣି କରାଯାଇନଥିଲା। ଆଜି ଏହି ଆବେଦନର ଶୁଣାଣି ପାଇଁ ସ୍ବତନ୍ତ୍ର କୋର୍ଟ ସମୟ ଧାର୍ଯ୍ୟ କରି ବିଚାର ବିଭାଗୀୟ ହାଜତ୍କୁ ଯିବା ପାଇଁ ଆଦେଶ ଦେଇଥିଲେ। ଶ୍ରୀ ମହାରଥୀଙ୍କର ସ୍ବାସ୍ଥ୍ୟାବସ୍ଥାରେ ଅବନ୍ନତି ଘଟିବାରୁ ତାଙ୍କୁ ପ୍ରଥମେ ଜେଲ୍ ହସ୍ପିଟାଲ ଓ ପରେ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ଉଚ୍ଚ ରକ୍ତଚାପ ଓ ହୃଦ୍ରୋଗ ସମସ୍ୟା ନେଇ ତାଙ୍କର କ୍ୟାପିଟାଲ ହସ୍ପିଟାଲର ତଳ ମହଲାରେ ଥିବା ନର୍ସିଂ ହୋମ୍ ନଂ ୫ରେ ଚିକିତ୍ସା ଚାଲିଥିଲା। ଜାମିନ୍ ମିଳିଗଲେ ଜେଲ୍ ହାଜତ୍କୁ ନ ଯାଇ ମେଡିକାଲ୍ର ଏହି ସ୍ବତନ୍ତ୍ର କ୍ୟାବିନ୍ରୁ ସିଧା ଘରକୁ ଯିବା ପାଇଁ ଯେଉଁ ଆଶା ରହିଥିଲା, ତାହା ଆଜିର ଶୁଣାଣି ପରେ ମଉଳି ଯାଇଛି।
ଲାଇନ୍ କଟିଲା: ପ୍ରଦୀପ ମହାରଥୀ ୨୨ ତାରିଖରେ ଗିରଫ ହୋଇ ପ୍ରଥମେ ପିପିଲି ଜେଏମ୍ଏଫ୍ସି କୋର୍ଟ ଓ ପରେ ଲୋକ ପ୍ରତିନିଧି ଆଇନ ମୁତାବକ ଭୁବନେଶ୍ବର ସ୍ବତନ୍ତ୍ର କୋର୍ଟକୁ ଚାଲାଣ ହୋଇଥିଲେ। ସନ୍ଧ୍ୟା ପ୍ରାୟ ୭ଟା ବେଳେ ସେ ଏହି ସ୍ବତନ୍ତ୍ର କୋର୍ଟରେ ପହଞ୍ଚିଥିଲେ। ସେ ପହଞ୍ଚୁ ପହଞ୍ଚୁ ବର୍ଷା ପବନ ଆରମ୍ଭ ହେବା ସହ ଲାଇନ୍ କଟି ଯାଇଥିଲା। କୋର୍ଟରେ ଥିବା କାମ ସରି ଯାଇଥିଲେ ମଧ୍ୟ ଲାଇନ୍ ନଥିବାରୁ ଅର୍ଡର କପି ପ୍ରିଣ୍ଟ ହୋଇପାରିନଥିଲା। ଫଳରେ ତାଙ୍କୁ ପାଖାପାଖି ୨ ଘଣ୍ଟା ବସିବାକୁ ପଡ଼ିଥିଲା। ଆଜି ଅପରାହ୍ଣ ୨ଟାରେ ସେହି ସ୍ବତନ୍ତ୍ର କୋର୍ଟରେ ତାଙ୍କର ଜାମିନ ଆବେଦନର ଶୁଣାଣି ରହିଥିଲା। ୨ଟା ପୂର୍ବରୁ କୋର୍ଟ ରୁମ୍ ଭର୍ତ୍ତି ହୋଇଯାଇଥିଲା। କୌଣସି ପ୍ରତିକୂଳ ପାଗ ନଥିଲେ ମଧ୍ୟ ଠିକ୍ ୨ଟା ବେଳେ ହିଁ ଲାଇନ୍ କଟି ଯାଇଥିଲା। ଶୁଣାଣି ସରିବା ପରେ ଲାଇନ୍ ଆସିଥିଲା। ତେବେ ଏହି ଲାଇନ୍ କଟିବା ସହ ମାମଲାର କୌଣସି ସମ୍ପର୍କ ନଥିଲେ ମଧ୍ୟ ଲାଇନ୍ କଟିବା ପ୍ରସଙ୍ଗକୁ ନେଇ ବେଶ୍ ଚର୍ଚ୍ଚା ହୋଇଥିଲା।