କଂଗ୍ରେସ ହାତ ଛାଡ଼ିଲେ ପ୍ରଦୀପ ମାଝୀ, ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ

୨୪ରେ ‌ଦଳବଦଳ ନେଇ ଘୋଷଣା! କଂ‌ଗ୍ରେସ ଦଳର ଆଦର୍ଶ ଅନୁସରଣ କରିବି: ପ୍ରଦୀପ

ନବରଙ୍ଗପୁର : ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଶୁକ୍ରବାର ଦିନ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଛନ୍ତି।

ଶ୍ରୀ ମାଝୀ ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି, ସେ ଅତ୍ୟନ୍ତ ଦୁଃଖ ଓ ଯନ୍ତ୍ରଣାର ସହିତ ଏଭଳି ନିଷ୍ପତ୍ତି ନେଇଛନ୍ତି। ସାଧାରଣ ଲୋକଙ୍କ ସେବା କରିବା ଲକ୍ଷ୍ୟ ନେଇ ସେ କଂଗ୍ରେସରେ ଯୋଗ ଦେଇଥିଲେ। ଦଳ ମଧ୍ୟ ତାଙ୍କୁ ଯଥେଷ୍ଟ ସୁଯୋଗ ଦେଇଛି। ସେ ଦଳ ମଧ୍ୟରେ ଏବଂ ସାଧାରଣ ଲୋକଙ୍କ ଠାରୁ ଯଥେଷ୍ଟ ଭଲପାଇବା ଓ ସମ୍ମାନ ପାଇଛନ୍ତି। କଂଗ୍ରେସର କିଛି ନେତୃବର୍ଗ ଦଳୀୟ ନିୟମ ମାନୁନଥିବା ଏବଂ ବିଭିନ୍ନ ପଦପଦବି ଗୁଡ଼ିକୁ ମାଡ଼ି ବସିବା ଯୋଗୁଁ ଦଳ ଜନସାଧାରଣରେ ବିଶ୍ବାସନୀୟତା ହରାଇ ବସିଛି। ଯାହା ଫେରାଇ ଆଣିବାକୁ ବହୁତ ସମୟ ଲାଗିପାରେ। ସେ କଂଗ୍ରେସର ଆଦର୍ଶକୁ ଅନୁସରଣ କରି ଲୋକଙ୍କର ସେବା କରିବେ ବୋଲି ଉଲ୍ଲେଖ କରିଛନ୍ତି। ଅପରପକ୍ଷରେ ଶ୍ରୀ ମାଝୀଙ୍କ ଇସ୍ତଫା ଅବିଭକ୍ତ କୋରାପୁଟ ଜିଲ୍ଲାରେ କଂଗ୍ରେସର ସାଂଗଠନିକ ସ୍ଥିତି ଉପରେ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। ଏହା କଂଗ୍ରେସ ଦଳ ପାଇଁ ମଧ୍ୟ ଶକ୍ତ ଧକ୍କା ବୋଲି କୁହାଯାଉଛି।

ସୂଚନା ଥାଉକି, ଦକ୍ଷିଣ ଓଡ଼ିଶାର ଜଣେ ଟାଣୁଆ ନେତା ଭାବେ ପରିଚିତ ପ୍ରଦୀପ ମାଝୀ ୨୦୦୭ ମସିହାରେ କଂଗ୍ରେସ ଦଳରୁ ପ୍ରଥମଥର ପାଇଁ ଜଣେ ସର୍ବକନିଷ୍ଠ ଯୁବକ ଭାବେ ନବରଙ୍ଗପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦରେ ନିର୍ବାଚିତ ହୋଇଥି‌ଲେ। ଏହାପରେ ସେ ୨୦୦୯ ମସିହାରେ ନବରଙ୍ଗପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୮ ମସିହାରେ ଅଖିଳ ଭାରତୀୟ ଯୁବ କଂଗ୍ରେସ ସମ୍ପାଦକ ହୋଇ ଜାତୀୟ ରାଜନୀତିରେ ପାଦ ଥାପିବାରେ ସକ୍ଷମ ହୋଇଥିଲେ। ସେ ଆଜି ପର୍ଯ୍ୟନ୍ତ କଂଗ୍ରେସର ବହୁ ଗୁରୁତ୍ବପୂର୍ଣ୍ଣ ପଦପଦବିରେ ରହି ଆସିଛନ୍ତି। ସେ ସାଂସଦ ହେବାପରେ ରାହୁଲ ଗାନ୍ଧୀଙ୍କ ଅତି ନିକଟତର ହୋଇପାରିଥିଲେ।

ଏଥିସହ ୨୦୧୦ ମସିହାରେ ରାଜ୍ୟ ଯୁବ କଂଗ୍ରେସ ସଭାପତି, ୨୦୧୩ ରୁ ୨୦୧୬ ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସର ଆଦିବାସୀ ସେଲ୍ ସଭାପତି ଏବଂ ୨୦୧୬ରୁ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ ରହିଆସିଥିଲେ। ଶେଷରେ, ଆଜି ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି।

କଂଗ୍ରେସ ଛାଡ଼ିବା ପରେ ସେ କେଉଁ ଦଳକୁ ଯିବେ, ତାହାକୁ ନେଇ କଳ୍ପନାଜଳ୍ପନା ପ୍ରକ‌ାଶ ପାଇଛି। ସେ ବିଜେଡିରେ ଯୋଗଦେଉଛନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ମାତ୍ର, ଏହିଭଳି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ଶ୍ରୀ ମାଝୀ। ତେବେ, ଆଗାମୀ ୨୪ ତାରିଖ ଦିନ ଏନେଇ ସେ ଘୋଷଣା କରିପାରନ୍ତି ବୋଲି ଶ୍ରୀ ମାଝୀଙ୍କ ଜଣେ ନିକଟତମ ସମର୍ଥକ ପ୍ରକାଶ କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, କୋ‌ରାପୁଟ କଂଗ୍ରେସ ନେତାଙ୍କ ଇସ୍ତଫା ପର୍ବ ଚାଲିଥିବା ବେଳେ ଗତ ୪ ଦିନ ହେବ ନବରଙ୍ଗପୁର ଜିଲ୍ଲା କଂଗ୍ରେସର ଇସ୍ତଫା ପର୍ବ ଆରମ୍ଭ ହୋଇଯାଇଛି। ଅନ୍ୟପଟେ ଆଜି ଜିଲ୍ଲା କଂଗ୍ରେସ କମିଟି ଭଙ୍ଗାଯିବା ନେଇ ନିଷ୍ପତ୍ତି ହୋଇଥାନ୍ତା। ତେବେ ସକାଳୁ ପ୍ରଦୀପ ମାଝୀ ଇସ୍ତଫା ଦେବାପରେ ଜଣକ ପରେ ଜଣେ ଜିଲ୍ଲାସ୍ତରୀୟ ନେତାମାନେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।

ସମ୍ବନ୍ଧିତ ଖବର