ବିଜେଡିରେ ଯୋଗ ଦେବେ ପ୍ରଦୀପ ମାଝୀ

ନବରଙ୍ଗପୁର: ବିଜେଡିରେ ଯୋଗଦେବେ ପ୍ରଦୀପ ମାଝୀ। ଏକଥା ଆଜି ସ୍ପଷ୍ଟ କରିଛନ୍ତି ନିଜେ ପୂର୍ବତନ ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ଏନେଇ ଆଜି ନବରଙ୍ଗପୁରରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, କଂଗ୍ରେସରେ ରହିଲେ କୌଣସି ଉନ୍ନତି ହେବ ନାହିଁ।ଗରିବ କଲ୍ୟାଣକାରୀ କାମ କରୁଛି ବିଜେଡି। ଅବିଭକ୍ତ କୋରାପୁଟର ଲୋକଙ୍କ ପାଇଁ ଆହୁରି ଉନ୍ନତି ହେବ। ବିଜେଡିରେ ମିଶି ମୁଖ୍ୟମନ୍ତ୍ରୀଙ୍କ ମୁଠାକୁ ଆହୁରି ଶକ୍ତିଶାଳୀ କରିବୁ। ଆମ ପଛୁଆ ଜିଲ୍ଲାର ଉନ୍ନତି କରିବାକୁ ଆମକୁ ବିଜେଡି ସହଯୋଗ କରିବ। କାରଣ କଂଗ୍ରେସ ଆଉ ସରକାରକୁ ଫେରିବ ନାହିଁ।

ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି ପ୍ରଦୀପ ମାଝୀ। ଆଜି ତାଙ୍କ ସହ ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଏକ ହଜାରରୁ ଅଧିକ କଂଗ୍ରେସ ନେତା ଓ ସମର୍ଥକ ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେବେ ବୋଲି ସେ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଗତ ଶୁକ୍ରବାର ଦିନ ଇସ୍ତଫା ଦେଇଥିଲେ। ସେ ନିଜର ଇସ୍ତଫା ପତ୍ର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ପଠାଇଥିଲେ।

ପ୍ରଦୀପ ମାଝୀ ୨୦୦୭ ମସିହାରେ କଂଗ୍ରେସ ଦଳରୁ ପ୍ରଥମଥର ପାଇଁ ଜଣେ ସର୍ବକନିଷ୍ଠ ଯୁବକ ଭାବେ ନବରଙ୍ଗପୁର ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦରେ ନିର୍ବାଚିତ ହୋଇଥି‌ଲେ। ଏହାପରେ ସେ ୨୦୦୯ ମସିହାରେ ନବରଙ୍ଗପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୮ ମସିହାରେ ଅଖିଳ ଭାରତୀୟ ଯୁବ କଂଗ୍ରେସ ସମ୍ପାଦକ ହୋଇ ଜାତୀୟ ରାଜନୀତିରେ ପାଦ ଥାପିବାରେ ସକ୍ଷମ ହୋଇଥିଲେ। ସେ ସାଂସଦ ହେବାପରେ ରାହୁଲ ଗାନ୍ଧୀଙ୍କ ଅତି ନିକଟତର ହୋଇପାରିଥିଲେ। ଏଥିସହ ୨୦୧୦ ମସିହାରେ ରାଜ୍ୟ ଯୁବ କଂଗ୍ରେସ ସଭାପତି, ୨୦୧୩ ରୁ ୨୦୧୬ ପର୍ଯ୍ୟନ୍ତ ରାଜ୍ୟ କଂଗ୍ରେସର ଆଦିବାସୀ ସେଲ୍ ସଭାପତି ଏବଂ ୨୦୧୬ରୁ ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ଭାବେ ରହିଆସିଥିଲେ।

ସମ୍ବନ୍ଧିତ ଖବର