ପ୍ରଦୀପ ବିଜେଡିରେ ନିଜର ଦର ବଢ଼ାଇବା ପାଇଁ ଶେଷ ଥର ପାଇଁ ଭକ୍ତଙ୍କ ସହିତ ଦିଲ୍ଲୀ ଯାଇଥିଲେ: ତାରା

ପ୍ରଦୀପଙ୍କ ଜନ୍ମ ମାଟିରେ କଂଗ୍ରେସ କରିବ ସମାବେଶ, ଯୋଗଦେବେ ଭକ୍ତ ଦାସ

ନବରଙ୍ଗପୁର: ଆଜିର ବିଜେଡି ର ମହା ମିଶ୍ରଣ ପର୍ବକୁ କଡା ସମାଲୋଚନା କରିଛି କଂଗ୍ରେସ। ଶନିବାର ସଂଧ୍ୟା ସମୟରେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜିଲ୍ଳା ସଭାପତି ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ଯୋଗଦେଇ ପ୍ରଦୀପ ଏବଂ ବିଜେଡି ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ତାରା କହିଛନ୍ତି ପ୍ରଦୀପ ଯାହା କିଛି ହୋଇଛନ୍ତି କଂଗ୍ରେସ ପାଇଁ। ପ୍ରଦୀପଙ୍କ ରାଜନୀତି ଆରମ୍ଭ ହୋଇଛି କଂଗ୍ରେସ ରେ। କଂଗ୍ରେସ ତାଙ୍କୁ ସାଂସଦ କରାଇଥିଲା। ବହୁ ପଦପଦବି ଦେଇଥିଲା। ତେବେ ସେ ସାଂସଦ ହୋଇଥିବା ସମୟରେ କେନ୍ଦ୍ର ରେ କଂଗ୍ରେସ ସରକାର ରହିଥିଲା। ଅବିଭକ୍ତ କୋରାପୁଟ ଜିଲ୍ଳାବାସୀଙ୍କ ପାଇଁ କୁମ୍ଭିର କାନ୍ଦଣା କାନ୍ଦୁଥିବା ପ୍ରଦୀପ କାହିଁକି ବିକାଶ କରିଲେ ନାହିଁ। ଯଦି କଂଗ୍ରେସ ସରକାର ଅବିଭକ୍ତ କୋରାପୁଟ ଜିଲ୍ଲା ପାଇଁ କିଛି କରିନି ତେବେ ସେ କଂଗ୍ରେସ ଟିକେଟ୍ ପାଇ ସାଂସଦ ଓ ବିଧାୟକ ହୋଇଥିବା ପ୍ରଦୀପ ଓ ଚନ୍ଦ୍ରଶେଖର ନିଜର ପେନସନ୍ ଅର୍ଥ ଗରୀବଙ୍କ ବିକାଶ ପାଇଁ ଦେଇ ଦେବେକି ବୋଲି ପ୍ରଶ୍ନ କରିଛନ୍ତି ।

କଂଗ୍ରେସ ରେ ଜିତିବା ବେଳେ କଂଗ୍ରେସ ଭଲ। ହାରିବା ପରେ କଂଗ୍ରେସ ଭଲ ନାହିଁ। ବିଜେଡିକୁ ଚାଲିଯିବେ। ସେ ବିଜେଡିକୁ ଯିବା ପୂର୍ବରୁ ଶେଷ ଥର ପାଇଁ କଂଗ୍ରେସର ବରିଷ୍ଠ ନେତା ଭକ୍ତ ଚରଣ ଦାସଙ୍କ ସହ ଦିଲ୍ଲୀ ଯାଇ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ତା ପୂର୍ବରୁ ବିଜେଡି ନେତୃବୃନ୍ଦଙ୍କୁ ୭ ଥର ସାକ୍ଷାତ କରିଥିଲେ। ସେ ଦିଲ୍ଲୀ ଯିବା ଅର୍ଥ ହେଲା ବିଜେଡିରେ ନିଜର ଦର ବଢ଼ାଇବା ପାଇଁ । ସେ ବିଜେଡି ସରକାରଙ୍କୁ ଟାର୍ଗେଟ କରି କହିଥିଲେ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଯାହା କିଛି ବିକାଶ ହୋଇଛି କଂଗ୍ରେସ ସରକାର ସମୟରେ ହୋଇଛି। କଂଗ୍ରେସ ସମୟରେ ନବରଙ୍ଗପୁର ଜିଲ୍ଲାରୁ ୨ଟଙ୍କିଆ ଚାଉଳ ଆରମ୍ଭ କରିଥିଲା। ପରେ ନବୀନ ସରକାର ଆସି ୨ଟଙ୍କିଆ ଚାଉଳକୁ ବନ୍ଦ କରିଦେଇଥିଲେ। ପୁଣି ଉପା ସରକାର ଆସିବା ପରେ ୩ଟଙ୍କାରେ ଚାଉଳ ଦେବା ପରେ ପୁଣି ଟଙ୍କିକିଆ ଚାଉଳ ଆରମ୍ଭ କରିଥିଲେ। କେବଳ ଅବିଭକ୍ତ କୋରାପୁଟ ଜିଲ୍ଲା ନୁହେଁ ସାରା ଓଡିଶା ରେ ଯାହା କିଛି ଯୋଜନା କରିଛି କଂଗ୍ରେସ କରିଛି। ଏବେ ବିଜେଡି ସରକାର କେବଳ ନାମ ପରିବର୍ତ୍ତନ କରି ପୁରୁଣା ଯୋଜନା ରେ ନୂଆ ନା ଦେଇଛି। ଅବିଭକ୍ତ କୋରାପୁଟରେ ଯାହା କିଛି ବିକାଶ ହୋଇଛି ତାହା କଂଗ୍ରେସ ସମୟରେ ହୋଇଛି।

ଅବିଭକ୍ତ କୋରାପୁଟ ଜିଲ୍ଲା ରେ କୋଲାବ ଠାରୁ ଆରମ୍ଭ କରି ବାଲିମେଳା , ମାଛକୁଣ୍ଡ, ଇନ୍ଦ୍ରାବତୀ , ନାଳକୋ ଓ ହାଲ ଭଳି ବଡ ବଡ ପ୍ରକଳ୍ପ ସବୁ କିଛି କଂଗ୍ରେସ କରିଛି। ବିଜେଡି ଗୋଟିଏ ବି ନୂଆ ପ୍ରକଳ୍ପ କରିନାହିଁ। ବିଜେଡି ନେତା କେବଳ ପିସି ନେବାର ଶିଖିଛନ୍ତି। ଅବିଭକ୍ତ କୋରାପୁଟ ପାଇଁ କେବଳ ଗୋଟିଏ ଅବଦାନ ରହିଛି ତାହା ହେଲା ବିହାରୀ ମଦ ଭାଟି। ଆଗାମି ଦିନରେ ଏହି ଲଢ଼େଇ ଜୋରଦାର ହେବ। ଅବିଭକ୍ତ କୋରାପୁଟରେ ଜଣେ ବି ବିଜେଡି ବିଧାୟକ ବିଧାନସଭାରେ ସ୍ବର ଉତ୍ତୋଳନ କରିନାହାନ୍ତି। କାରଣ ସ୍ବର ଉତ୍ତୋଳନ କରିଲେ ଟିକେଟ୍ କଟିବ । ଆସନ୍ତା କାଲି ପ୍ରଦୀପଙ୍କ ନିଜ ଜନ୍ମ ମାଟି ରେ କଂଗ୍ରେସ ସମାବେଶ ହେବ ଏବଂ ବହୁ ସଂଖ୍ୟାରେ କଂଗ୍ରେସ ରେ ପ୍ରଦୀପଙ୍କ ପୂର୍ବ ସମର୍ଥକ ଯୋଗଦେବେ । ଯିଏ କଂଗ୍ରେସରେ ରହିପାରିନି ସେ ଅନ୍ୟ କୌଣସି ଦଳ ରେ ରହିପାରିବେ ନାହିଁ। ଏବେ ପ୍ରଦୀପ ଛାଡିବା ପରେ ଜିଲ୍ଳାରେ କଂଗ୍ରେସ ସମ୍ଭାଳିବା ପାଇଁ ଟିମ୍ ଗଠନ ହୋଇସାରିଛି ବୋଲି କହିଥିଲେ। ଏହି ସାମ୍ବାଦିକ ସମ୍ମଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ଆଦିବାସୀ କଂଗ୍ରେସ ଅଧ୍ୟକ୍ଷ ଭୂଜବଳ ମାଝୀ, ପୂର୍ବତନ ବିଧାୟକ ସଦନ ନାୟକ, ଦିଲ୍ଲିପ କୁମାର ବେହେରା, ଭୁବନେଶ୍ବର ସୂର, ମହମ୍ମଦ ଆକବର, ବୃନ୍ଦା ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର