ଜୟପୁର ( ନବୀନ ସାହୁ) : କିଛି ଦିନ ହେଲା ସରକାରୀ, ବେସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ପୂର୍ବତନ ସାଂସଦ ତଥା ସ୍ବତନ୍ତ୍ର ଉନ୍ନୟନ ପରିଷଦ ରାଜ୍ୟ ଉପଦେଷ୍ଟା ପ୍ରଦୀପ ମାଝିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। କେଉଁ କାରଣରୁ ପ୍ରଦୀପ କାର୍ଯ୍ୟକ୍ରମକୁ ଆସୁନାହାନ୍ତି, ଏପରିକି ମୁଖ୍ୟମନ୍ତ୍ରୀଙ୍କ ମାଲକାନଗିରି ଗସ୍ତରେ ଅନୁପସ୍ଥିତିକୁ ନେଇ ନିର୍ବାଚନ ମଣ୍ଡଳୀବାସୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିଲା ଦ୍ବନ୍ଦ୍ବ। ଯାହା ସମ୍ପର୍କରେ ମୁହଁ ଖୋଲିଛନ୍ତି ପ୍ରଦୀପ। କହିଛନ୍ତି, ଦୀର୍ଘ ୧୫ଦିନ ହେଲା ଡାକ୍ତରଖାନାରେ ହୋଇଛି। ଲିଗାମେଣ୍ଟ୍ ଅସ୍ତ୍ରୋପଚାର ହୋଇଛି। ଫିଜିଓ ଥେରାପି ଚାଲିଛି। ଡାକ୍ତର ବିଶ୍ରାମ ନେବାକୁ ପରାମର୍ଶ ଦେଇଥିବାରୁ କୌଣସି କାର୍ଯ୍ୟକ୍ରମରେ ଯୋଗ ଦେଇପାରିନି।
ଦଳ ପ୍ରତି ଅସନ୍ତୋଷ ମନୋଭାବ ଆଲୋଚନାରେ ମଧ୍ୟ ପ୍ରଦୀପ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। କହିଛନ୍ତି, ଆଦିବାସୀଙ୍କ ଉନ୍ନତି ପାଇଁ ଗଠନ ହୋଇଥିବା ସ୍ୱତନ୍ତ୍ର ଉନ୍ନୟନ ପରିଷଦରେ ଓଡ଼ିଶା ସରକାର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ସମ୍ପୂର୍ଣ୍ଣ ଭାବେ ବିଜୁ ଜନତା ଦଳ ସହ ରହିଛି। ବରିଷ୍ଠ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଛି। ସ୍ୱତନ୍ତ୍ର ଉନ୍ନୟନ ପରିଷଦ ପକ୍ଷରୁ ଦିଆଯାଇଥିବା ସମସ୍ତ କାମକୁ ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ତ୍ୱରାନ୍ୱିତ କରିବି। ୨୦୨୪ ନିର୍ବାଚନ ଲଢ଼ିବା ପ୍ରସଙ୍ଗରେ ମଧ୍ୟ ପ୍ରଦୀପ ସ୍ପଷ୍ଟ କରିଛନ୍ତି। ନିର୍ବାଚନ ଲଢ଼ିବା ନେଇ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ। ଯାହା ଦଳୀୟ ନିର୍ଦ୍ଦେଶ ମିଳିବ ତାକୁ ଅଙ୍ଗେ ନିଭାଇବି ବୋଲି ପ୍ରଦୀପ କହିଛନ୍ତି।