ବିଧାୟକ ମାନସିକ ଭାରସାମ୍ୟ ହରାଇଛନ୍ତି: ବ୍ଲକ୍ ବିଜେଡି
ବିଜେଡିରେ ଅଛି କହି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି: ଜିଲ୍ଲା ସଭାପତି
ବ୍ରହ୍ମପୁର/ଗୋପାଳପୁର/ଗୋଳନ୍ଥରା : ଗଞ୍ଜାମ ଜିଲ୍ଲା ଗୋପାଳପୁର ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ ଡ. ପ୍ରଦୀପ କୁମାର ପାଣିଗ୍ରାହୀ ଆଜି ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲିଛନ୍ତି। ଗୋପାଳପୁର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସିନ୍ଧିଗାଁରେ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗଦାନ ଅବସରରେ ବିଧାନସଭାର ବିଜେଡି ବିଧାୟକଙ୍କ ତାଲିକାର ୨୬ନମ୍ବରରେ ତାଙ୍କ ନାମ ରହିଥିବା ଗଣମାଧ୍ୟମକୁ କହିଛନ୍ତି। ଆହୁର ମଧ୍ୟ ତାଙ୍କ ନାମ ତାଲିକାରେ ରହିଥିବାବେଳେ ସେ ବିଜେଡିରୁ ବାହାରିଲେ କେମିତି ବୋଲି ପ୍ରଶ୍ନ କରିଛନ୍ତି।
ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଘଟଣାରେ କଟକ ସାଇବର୍ ସେଲ୍ ଗୋପାଳପୁର ବିଧାୟକ ଡ. ପାଣିଗ୍ରାହୀଙ୍କୁ ୨୦୨୦ ଡିସେମ୍ବର ମାସରେ ଗିରଫ କରିଥିଲା। ଏହାପରେ ସେ ଜେଲ୍ରେ ରହିଥିଲେ। ଜେଲ୍ରୁ ବାହାରିବା ପରେ ସେ ସାଧାରଣ ସଭାସମିତି ଠାରୁ ଦୂରେଇ ରହିଥିଲେ। ଏପରିକି ଗଣମାଧ୍ୟମ ସମ୍ନାକୁ ମଧ୍ୟ ସେ ଆସୁ ନଥିଲେ। ଗିରଫ ପରଠାରୁ ପ୍ରାୟ ଦେଢ଼ବର୍ଷ ପରେ ଆଜି ହଠାତ୍ ବିଧାୟକ ଡ. ପାଣିଗ୍ରାହୀ ନିଜ ନିର୍ବାଚନମଣ୍ଡଳୀର ସିନ୍ଧିଗାଁରେ ପହଞ୍ଚି ତାଙ୍କର ସମର୍ଥକଙ୍କ ସହିତ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ। ବିଧାୟକଙ୍କ ଏହି ଗସ୍ତ ସମୟରେ ବିଜେଡିର କିଛି ଆଗଧାଡ଼ିର ନେତା ଓ କର୍ମୀଙ୍କୁ ଦେଖିବାକୁ ମିଳିଥିଲା। ସମର୍ଥକମାନେ ବିଧାୟକଙ୍କ ଜୟଗାନ ନାରା ଦେଇଥିଲେ। ଏହି ଅବସରରେ ସେ କହିଥିଲେ ଯେ, ‘ ପୁନର୍ବାର ଗଞ୍ଜାମ ଜିଲ୍ଲା ତଥା ଗୋପାଳପୁର ନିର୍ବଚାନମଣ୍ଡଳୀର ବିକାଶ କାମ ଆଗେଇ ନେବାପାଇଁ ଆଜି ସଂକଳ୍ପର ଦିନ। କିନ୍ତୁ ମୋତେ କୌଣସି ସରକାରୀ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଉନାହିଁ। ବ୍ଲକ୍ କି ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଯାଉନାହିଁ। ମୁଁ ବୈଠକ ସମ୍ପର୍କରେ ଅବଗତ ହେବି କେମିତି? ଏଥିପାଇଁ ମୁଁ କୌଣସି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ପାରୁ ନାହିଁ,’ ବୋଲି ସେ କହିଥିଲେ।
ବିଜେଡିରୁ ବହିଷ୍କାର ସମ୍ପର୍କରେ ପ୍ରଶ୍ନର ଉତ୍ତର ଦେଇ କହିଥିଲେ, ‘୨୨ଜଣ ମନ୍ତ୍ରୀ, ଚିଫ୍ହ୍ବିପ୍, ଡେପୁଟି ଚିଫ୍ହ୍ବିପ୍ ଏବଂ ବାଚସ୍ପତିଙ୍କ ପରେ ୨୬ନମ୍ବରରେ ମୋର ନାମ ରହିଛି। ଏଣୁ ବିଧାୟକଙ୍କ ତାଲିକାରେ ମୁଁ ବରିଷ୍ଠ ବୋଲି ସେ କହିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହିତ ଯଦି ମୋର ବ୍ୟକ୍ତିଗତ ସମ୍ପର୍କ ଭଲ ନଥା’ନ୍ତା ସେ ଖୋଦ୍ ନିଜେ ମୋତେ ଦଳରୁ ବାହାର କରିବା ପାଇଁ ଲେଖି ଦେଇଥା’ନ୍ତେ । ବିଧାନସଭାକୁ ମଧ୍ୟ ଅବଗତ କରିଥା’ନ୍ତେ। କିନ୍ତୁ, ସେଭଳି କିଛି ହୋଇନାହିଁ।’ ଆଗାମୀ ଦିନରେ କିଛି ସୂଚନା ଜଣାଇବେ ବୋଲି ବିଧାୟକ ଡ. ପାଣିଗ୍ରାହୀ କହିଥିଲେ ।
ବିଧାୟକ ପ୍ରଦୀପଙ୍କ ବିବୃତି ଉପରେ ପ୍ରତିକ୍ରିୟା ରଖିଥିଲେ ଜିଲ୍ଲା ବିଜେଡି ସଭାପତି ଡା.ରମେଶଚନ୍ଦ୍ର ଚ୍ୟାଉପଟ୍ଟନାୟକ। ସେ କହିଥିଲେ , ତାଙ୍କୁ ବିଜେଡିରୁ ବହିଷ୍କାର କରାଯାଇଛି। ସେ ବିଜେଡିରେ ନାହାନ୍ତି। ବିଜେଡିରେ ଅଛି ବୋଲି ମନ୍ତବ୍ୟ ଦେଇ ସେ ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବିଧାୟକ ଭାବେ ଯେ ଯୋଗଦେଇଛନ୍ତି। ତାଙ୍କ ସହିତ କୌଣସି ବିଜେଡି ନେତା କି କର୍ମୀ ନାହାନ୍ତି। ଯଦି କୌଣସି ନେତା କି କର୍ମୀ ତାଙ୍କ ସହିତ ସାମିଲ ହୋଇଥିବା ନେଇ ସୂଚନା ଆସିବ ତେବେ ତାଙ୍କ ବିରୋଧୀରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଜିଲ୍ଲା ସଭାପତି ଡା. ଚ୍ୟାଉପଟ୍ଟନାୟକ କହିଥିଲେ।
ଅନ୍ୟପଟେ ବିଧାୟକ ପ୍ରଦୀପଙ୍କ ମନ୍ତବ୍ୟ ପରେ ସନ୍ଧ୍ୟାରେ ଗୋପାଳପୁର ନିର୍ବାଚନମଣ୍ଡଳୀ ରଂଗେଇଲୁଣ୍ଡା ବ୍ଲକ୍ ବିଜେଡି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ସେ ମାନସିକ ଭାରସାମ୍ୟ ହରାଇ ଏଭଳି ବିବୃତି ଦେଇଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।