ଭୁବନେଶ୍ୱର : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଦୁର୍ନୀତି ମାମଲାର ତଦନ୍ତ ଲୋକାୟୁକ୍ତ କରିବେ। ଲୋକାୟୁକ୍ତ ନିଜ ଆଡୁ ଶ୍ରୀ ପାଣିଗ୍ରାହୀଙ୍କୁ ତଦନ୍ତ ପରିସରକୁ ନେଇନାହାନ୍ତି। ବରଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଦୀପଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବା ଲାଗି ନିଜେ ଲୋକାୟୁକ୍ତଙ୍କୁ ସୁପାରିସ କରିଛନ୍ତି। ଲୋକାୟୁକ୍ତ ଗଠନ ହେବା ପରେ ଏହା ସରକାରଙ୍କ ତରଫରୁ ପ୍ରଥମ ମାମଲା। ଲୋକାୟୁକ୍ତ ମାମଲାର ତଦନ୍ତ କରିବା ସହିତ କ୍ରାଇମବ୍ରାଞ୍ଚ ତଦନ୍ତ ବି ଜାରି ରହିବ। ଲୋକାୟୁକ୍ତଙ୍କ ମାମଲା ସହିତ ପୂର୍ବ ତଦନ୍ତର କୌଣସି ସଂପର୍କ ନଥିବା କୁହାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପ ଆଜି ରାଜନୈତିକ ଓ ପ୍ରଶାସନିକ ମହଲରେ କମ୍ପନ ସୃଷ୍ଟି କରିଛି। ପ୍ରଶାସନ ଓ ସରକାରରେ ଥିବା ବ୍ୟକ୍ତି, ଅଧିକାରୀ ଏବେ ବିଚଳିତ ହୋଇପଡ଼ିଛନ୍ତି। ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ ପରିପ୍ରେକ୍ଷୀରେ ନବୀନ ପଟ୍ଟନାୟକ ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି।
ରାଜନୈତିକ ପର୍ଯ୍ୟବେକ୍ଷକ ମହଲ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଭିନ୍ନ ସଙ୍କେତ ଦେଉଛନ୍ତି। ସେମାନଙ୍କ ମତରେ ଲୋକାୟୁକ୍ତ ହେଉଛନ୍ତି ଗୋଟିଏ ସାମ୍ବିଧାନିକ ସଂସ୍ଥା, ଯାହା ଉପରେ ସରକାରଙ୍କର ଆଦୌ କର୍ତ୍ତୃତ୍ବ ନାହିଁ। ହାଇକୋର୍ଟ ମୁଖ୍ୟ ବିଚାରପତି କିମ୍ବା ସୁପ୍ରିମକୋର୍ଟ ବିଚାରପତି ପାହ୍ୟାର ଅଧିକାରୀ ଏହାର ଅଧ୍ୟକ୍ଷ। ଥରେ ସରକାର ଏହି ମାମଲାକୁ ଲୋକାୟୁକ୍ତଙ୍କୁ ଟେକିଦେବା ପରେ ଏଥିରେ ସରକାର ଏଥିରେ ଆଦୌ ହସ୍ତକ୍ଷେପ କରିପାରିବେ ନାହିଁ। ବରଂ ଲୋକାୟୁକ୍ତ ଯାହାକୁ ତଦନ୍ତ କରିବାକୁ ଦାୟିତ୍ବ ଦେବେ, ସେ ଲୋକାୟୁକ୍ତଙ୍କୁ ହିଁ ରିପୋର୍ଟ ଦେବେ। ଯେହେତୁ ପ୍ରଦୀପ ପାଣିଗ୍ରାହୀ ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଅଭିଯୋଗ କରୁଥିଲେ, ନବୀନ ସମ୍ଭବତଃ ଏ ଅଭିଯୋଗରୁ ମୁକୁଳିବା ପାଇଁ ଏଭଳି ଏକ ଆଭିମୁଖ୍ୟ ନେଇଥାଇପାରନ୍ତି। ଏହାଦ୍ବାରା ତାଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ପଛରେ ଯେ ସାମାନ୍ୟତମ ଦଳୀୟ ରାଜନୈତିକ ଆଭିମୁଖ୍ୟ ନାହିଁ ବା ଏହା ଯୋଜନାବଦ୍ଧ କାର୍ଯ୍ୟାନୁଷ୍ଠାନ ନଥିଲା, ତାହା ସ୍ପଷ୍ଟ କରିବା ଲାଗି ସେ ଚାହୁଁଛନ୍ତି।
ଏଠାରେ ଉଲ୍ଲେଖଥାଉକି, ପୂର୍ବରୁ ଲୋକାୟୁକ୍ତ ମାମଲାରେ ଛନ୍ଦି ହୋଇ ଭାରତବର୍ଷର ଅନେକ ରାଜନୈତିକ ନେତା ଅଡ଼ୁଆରେ ପଡ଼ିଥିବା ଉଦାହରଣ ରହିଛି। ଏପରିକି ୨୦୧୧ ମସିହାରେ ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି ଏସ୍ ୟେଦୁରପ୍ପାଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା ଓ ଲୋକାୟୁକ୍ତଙ୍କ କୋର୍ଟରେ ସେ ସରେଣ୍ଡର କରିଥିଲେ। ସେ ସମୟରେ ଭାରତ ରାଜନୀତିରେ ଏହି ପ୍ରସଙ୍ଗଟି ବେଶ୍ ଆଲୋଡ଼ନ ସୃଷ୍ଟି କରିଥିଲା।
ତେବେ ସଂସଦରେ ଲୋକପାଳ ଆଇନ ଅନୁମୋଦନ ପରେ ଓଡ଼ିଶା ପ୍ରଥମ ରାଜ୍ୟ ଥିଲା, ଯିଏ ଲୋକାୟୁକ୍ତ ଗଠନ ସଂକ୍ରାନ୍ତ ବିଲ୍ ବିଧାନସଭାରେ ପାରିତ କରିଥିଲେ। ଗତବର୍ଷ ଫେବ୍ରୁଆରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ତତ୍କାଳୀନ ବାଚସ୍ପତି ପ୍ରଦୀପ ଅମାତ, ତତ୍କାଳୀନ ବିରୋଧୀ ଦଳ ନେତା ନରସିଂହ ମିଶ୍ର, ତତ୍କାଳୀନ ହାଇକୋର୍ଟ ମୁଖ୍ୟ ବିଚାରପତି କେ ଏସ୍ ଜାଭେରି ପ୍ରମୁଖ ଲୋକାୟୁକ୍ତ ଚୟନ କରିଥିଲେ। ଏହା ପରଠାରୁ ବାବୁଙ୍କୁ ଛନ୍ଦିବା ଲାଗି ଏକାଧିକ ଅଭିଯୋଗ ହୋଇଛି। ହେଲେ ନିଜେ ସରକାର ତାଙ୍କ ଆଡ଼ୁ କୌଣସି ବିଧାୟକଙ୍କୁ ଲୋକାୟୁକ୍ତଙ୍କ ତଦନ୍ତ ପାଇଁ ଟେକିଦେବା ଘଟଣା ଏହା ପ୍ରଥମ।
ଆଇଏଫ୍ଏସ୍ ଅଭୟକାନ୍ତ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଆୟବହିର୍ଭୁତ ସମ୍ପତି ଠୁଳ ମାମଲାରେ ଭିଜିଲାନ୍ସ ଗିରଫ କରିଥିଲା। ଏହିଠାରୁ ଆକାଶ ପାଠକଙ୍କ ଠକେଇର ପେଡି। ଯେଉଁ ଠକେଇ ଚେର ଖୋଜୁ ଖୋଜୁ ତଦନ୍ତକାରୀ ଅଧିକାରୀମାନେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପାଖରେ ପହଞ୍ଚିଥିଲେ। ଟାଟା କମ୍ପାନିରେ ଚାକିରି କରାଇଦେବା ପାଇଁ କହି ଲୋକଙ୍କଠାରୁ ଅନେକ ଟଙ୍କା ଠକିଥିଲେ ବୋଲି ବିଧାୟକଙ୍କ ନାମରେ ଅଭିଯୋଗ ଆସିଥିଲା। ପରେ ନବୀନ ତାଙ୍କୁ ଦଳରୁ ବହିଷ୍କାର କରିଥିଲେ।
କେବଳ ସେତିକି ନୁହେଁ, ଶ୍ରୀ ପାଣିଗ୍ରାହୀ ନିର୍ବାଚନ ସତ୍ୟପାଠ ଦାଖଲ ସମୟରେ ଯେଉଁ ରୋଜଗାର ଦେଖାଇଥିଲେ, ତା ଠାରୁ ଢେର୍ ଅଧିକ ତାଙ୍କ ଆକାଉଣ୍ଟରେ କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ୨କୋଟି ୬୩ଲକ୍ଷ ଟଙ୍କାର କାରବାର ସଂପର୍କରେ ତଦନ୍ତ ବେଳେ ଭିଜିଲାନ୍ସ ଏସଆଇଟି ଓ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ବେଳେ ଜାଣିପାରିଥିଲେ। କେବଳ ସେତିକି ନୁହେଁ, ଗଞ୍ଜାମର ସୂର୍ଯ୍ୟ ସାହୁଙ୍କ ଆକାଉଣ୍ଟରୁ ଶ୍ରୀ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ୪୦ଲକ୍ଷ ଟଙ୍କା ଆସିବା ଓ କିଛି ସମୟ ପରେ ଏହା ପୁଣି ଆକାଶ ପାଠକଙ୍କ ଆକାଉଣ୍ଟକୁ ଯିବା ଘଟଣା ସମସ୍ତଙ୍କୁ ବିସ୍ମିତ କରିଥିଲା। ଏହି ମାମଲାର ତଦନ୍ତ ଏବେ ପ୍ରବର୍ତନ ନିର୍ଦେଶାଳୟ ବା ଇଡ଼ି କରୁଛନ୍ତି।