ଆଉ ଏକ ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ

କଟକ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଉ ଏକ ମାମଲାରେ ହାଇକୋର୍ଟ‌ରୁ ଜାମିନ ମିଳିଛି। ଗଞ୍ଜାମ ଜିଲ୍ଲାର ବୈଦ୍ୟନାଥପୁର ଥାନାରେ ତାଙ୍କ ବିରୋଧରେ ୬ ଲକ୍ଷ ଟଙ୍କା ଠକେଇ ନେଇ ରହିଥିବା ଏକ ମାମଲାରେ ହାଇକୋର୍ଟ ଶ୍ରୀ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ଶ୍ରୀ ପାଣିଗ୍ରାହୀ ନିମ୍ନ ଅଦାଲତରେ ୬ ଲକ୍ଷ ଟଙ୍କା ଜମା କରିବା ‌ପରେ ଜାମିନରେ ଛାଡ଼ପାଇବେ ବାଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅର୍ଥ ନିମ୍ନ ଅଦାଲତରେ ଜମା କରାଯିବା ପରେ ମାମଲାରେ ଏତଲାକାରୀଙ୍କୁ ଏହା ପ୍ରଦାନ କରାଯିବ।

ଯଦି ମାମଲାର ଟ୍ରାଏଲ ସ‌ମୟରେ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ରହିଥିବା ଅଭିଯୋଗ ପ୍ରମାଣ କରିବାରେ ପ୍ରସିକ୍ୟୁସନ୍ ବିଫଳ ହୁଏ ତେବେ ରାୟ ପ୍ରକାଶର ଏକ ସପ୍ତାହ ଭିତରେ ଏତଲାକାରୀ ଏହି ଅର୍ଥ ନିମ୍ନ ଅଦାଲତରେ ଜମା କରିବେ। ଏପରି କ୍ଷେତ୍ରରେ ଏହି ଟଙ୍କା ଶ୍ରୀ ପାଣିଗ୍ରାହୀଙ୍କୁ ଫେରାଇ ଦିଆଯିବ। ଏ‌ ନେଇ ଏତଲାକାରୀ ନିମ୍ନ ଅଦାଲତରେ ଅଣ୍ଡରଟେକିଂ ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଗଣମାଧ୍ୟମରେ ମାମଲା ସଂକ୍ରାନ୍ତରେ ଶ୍ରୀ ପାଣିଗ୍ରାହୀ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ସର୍ତ୍ତାରୋପ କରାଯାଇଛି। ଦୁଇ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ସହିତ ଅନ୍ୟ କେତେକ ସର୍ତ୍ତପୂରଣ ପରେ ଶ୍ରୀ ପାଣିଗ୍ରାହୀଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡ଼ିବେ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।

ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ପାଣିଗ୍ରାହୀଙ୍କ ନିୟମିତ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି। ପୂର୍ବରୁ ଟାଟା କମ୍ପାନିରେ ଚାକିରି କରାଇଦେବା ନାଁରେ ଟଙ୍କା ସଂଗ୍ରହ ଅଭିଯୋଗ ସଂପର୍କିତ କ୍ରାଇମବ୍ରାଞ୍ଚ ମାମଲାରେ ଫେବ୍ରୁଆରି ୨୪ରେ ହାଇକୋର୍ଟ ଶ୍ରୀ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ଏହାପରେ ଗୋଳନ୍ଥରା ଥାନାରେ ଚାକିରି ନାଁରେ ଠକେଇ ଅଭିଯୋଗ ନେଇ ରୁଜୁ ତିନିଟି ମାମଲାରେ ମଧ୍ୟ ଶ୍ରୀ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ମିଳିଥିଲା। ଅନ୍ୟପକ୍ଷରେ ଶ୍ରୀ ପାଣିଗ୍ରାହୀଙ୍କୁ ବୈଦ୍ୟନାଥପୁର ମାମଲାରେ ଆଜି ଜାମିନ ମଞ୍ଜୁର କରାଯାଇଥିବା ବେଳେ ତାଙ୍କ ବିରୋଧରେ ରହିଥିବା ଅନ୍ୟ ମାମଲାରେ ଜାମିନ ମିଳି ନଥିବାରୁ ସେ ଏବେ ଜେଲରୁ ମୁକୁଳିବା ସମ୍ଭବ ନୁହେଁ।

ସମ୍ବନ୍ଧିତ ଖବର