ତିନୋଟି ମାମଲାରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଜାମିନ  

କଟକ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ତିନୋଟି ମାମଲାରେ ହାଇକୋର୍ଟ‌ରୁ ଜାମିନ ମିଳିଛି। ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନାରେ ତାଙ୍କ ବିରୋଧରେ ରହିଥିବା ତିନୋଟି ମାମଲାରେ ହାଇକୋର୍ଟ ଶ୍ରୀ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି। ତିନୋଟି ମାମଲାରେ ଯଥାକ୍ରମେ ୬ ଲକ୍ଷ, ୫ଲକ୍ଷ ଓ ୩ ଲକ୍ଷ ଟଙ୍କା ଶ୍ରୀ ପାଣିଗ୍ରାହୀ ନିମ୍ନ ଅଦାଲତରେ ଜମା କରିବା ‌ପରେ ଜାମିନରେ ଛାଡ ପାଇବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଶ୍ରୀ ପାଣିଗ୍ରାହୀଙ୍କ ତିନୋଟି ପୃଥକ ଜାମିନ ଆବେଦନର ଶୁଣାଣି କରି ଏପରି ରାୟ ଦେଇଛନ୍ତି।

ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି, ଅର୍ଥ ନିମ୍ନ ଅଦାଲତରେ ଜମା କରାଯିବା ପରେ ମାମଲାରେ ଏତଲାକାରୀଙ୍କୁ ଏହା ପ୍ରଦାନ କରାଯିବ। ଯଦି ମାମଲାର ଟ୍ରାଏଲ ସ‌ମୟରେ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ରହିଥିବା ଅଭିଯୋଗ ପ୍ରମାଣ କରିବାରେ ପ୍ରସିକ୍ୟୁସନ୍ ବିଫଳ ହୁଏ ତେବେ ରାୟ ପ୍ରକାଶର ଏକ ସପ୍ତାହ ଭିତରେ ଏତଲାକାରୀ ଏହି ଅର୍ଥ ନିମ୍ନ ଅଦାଲତରେ ଜମା କରିବେ। ଏପରି କ୍ଷେତ୍ରରେ ଏହି ଟଙ୍କା ଶ୍ରୀ ପାଣିଗ୍ରାହୀଙ୍କୁ ଫେରାଇ ଦିଆଯିବ। ଏ‌ ନେଇ ଏତଲାକାରୀ ନିମ୍ନ ଅଦାଲତରେ ଅଣ୍ଡରଟେକିଂ ଦାଖଲ କରିବେ ବୋଲି ହାଇକୋର୍ଟ କହିଛନ୍ତି। ଏଥି ସହିତ ଗଣମାଧ୍ୟମରେ ମାମଲା ସଂକ୍ରାନ୍ତରେ ଶ୍ରୀ ପାଣଗ୍ରାହୀ କୌଣସି ମନ୍ତବ୍ୟ ଦେବେ ନାହିଁ ବୋଲି ସର୍ତ୍ତାରୋପ କରାଯାଇଛି। ଦୁଇ ଲକ୍ଷ ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ସହିତ ଅନ୍ୟ କେତେକ ସର୍ତ୍ତପୂରଣ ପରେ ଶ୍ରୀ ପାଣିଗ୍ରାହୀଙ୍କୁ ନିମ୍ନ ଅଦାଲତ ଜାମିନରେ ଛାଡିବେ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।
ପୂର୍ବରୁ ଟାଟା କମ୍ପାନିରେ ଚାକିରି କରାଇଦେବା ନାଁରେ ଟଙ୍କା ସଂଗ୍ରହ ଅଭିଯୋଗ ସଂପର୍କିତ କ୍ରାଇମବ୍ରାଞ୍ଚ ମାମଲାରେ ଫେବ୍ରୁଆରି ୨୪ରେ ହାଇକୋର୍ଟ ଶ୍ରୀ ପାଣିଗ୍ରାହୀଙ୍କୁ ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଥିଲେ। ଏହାପରେ ଗୋଳନ୍ଥରା ଥାନାରେ ଚାକିରି ନାଁରେ ଠକେଇ ଅଭିଯୋଗ ନେଇ ରୁଜୁ ତିନୋଟି ମାମଲାରେ ଶ୍ରୀ ପାଣିଗ୍ରାହୀଙ୍କ ଜାମିନ ଆବେଦନ ଗଞ୍ଜାମ ଦୌରା ଅଦାଲତରେ ଖାରଜ ହୋଇଥିଲା।  ଏହି ସବୁ ମାମଲାରେ ଜାମିନ ଲୋଡ଼ି ଶ୍ରୀ ପାଣିଗ୍ରାହୀ ହାଇକୋର୍ଟରେ ଆବେଦନ ଦାୟର କରିଥିଲେ। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର