ଭୁବନେଶ୍ୱର : ଜୀବନ ମଣିଷକୁ କେତେବେଳେ କେଉଁ ପରିସ୍ଥିତିରେ ନେଇ ଛିଡ଼ା କରିଦେବ ତାହା କହିହେବ ନାହିଁ। ରାଜାରାଜୁଡ଼ାଙ୍କ ଭଳି ଚଳୁଥିବା ମଣିଷ ବି ଅତି ସାଧାରଣସ୍ତରର ଜୀବନଯାପନ କରିବାକୁ ବାଧ୍ୟ ହୋଇପାରେ। ଠିକ ଏଭଳି ଘଟିଛି ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ କ୍ଷେତ୍ରରେ। ଆଜିକୁ ତିନି ଦିନ ହେବ ସେ ଜେଲର ଚାରିକାନ୍ଥ ଭିତରେ ଜଣେ ସାଧାରଣ କଏଦୀର ଜୀବନ ଜିଉଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦିନ ଥିଲା ଅୟସ ଆରାମରେ ଜୀବନ ବିତାଉଥିଲେ ରାଜ୍ୟର ପ୍ରଭାବଶାଳୀ ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଆକାଉଣ୍ଟକୁ ଆସୁଥିଲା କୋଟି କୋଟି ଟଙ୍କା। ଭାବୀ ଜ୍ବାଇଁ ଆକାଶ ପାଠକ ସହ ଚାର୍ଟର୍ ବିମାନରେ ଆକାଶରେ ଘୂରି ବୁଲୁଥିଲେ। ତାଜ୍ ପ୍ୟାଲେସ୍ ହୋଟେଲରେ ଗୋଟିଏ ଦିନରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଦେଉଥିଲେ। କିନ୍ତୁ ସେ ଯେ ଦିନେ ଜେଲ୍ର ଚାରିକାନ୍ଥ ଦେଖିବେ, ତାହା ସ୍ବପ୍ନରେ ସୁଦ୍ଧା ଭାବି ନ ଥିଲେ। ଗୁରୁବାର ଗିରଫ ହୋଇ ଜେଲ୍ ଯିବା ପରେ ବଦଳି ଯାଇଛି ସବୁକିଛି । ସାଧାରଣ କଏଦୀଟିଏ ପାଲଟି ଯାଇଛନ୍ତି ପ୍ରଦୀପ ପାଣିଗ୍ରାହୀ। ରାତିରେ ନିଦ ଆସୁନାହିଁ। ଚିନ୍ତାରେ ବିତୁଛି ଚବିଶ ଘଣ୍ଟା।
ଜାମିନ ନାମଞ୍ଜୁର ହେବା ପରେ ଗୁରୁବାର ରାତି ପ୍ରାୟ ସାଢ଼େ ୧୧ଟାରେ ଭୁବନେଶ୍ବରର ଝାରପଡ଼ା ଜେଲରେ ପହଞ୍ଚି ଥିବା ପ୍ରଦୀପଙ୍କୁ ମିଳିଥିଲା ୧୪ ନମ୍ବର ଓ୍ୱାର୍ଡ। ଜେଲ୍ ପକ୍ଷରୁ ଦୁଇଟି କମ୍ବଳ, ଦୁଇଟି ଥାଳି, ଦୁଇଟି ଗିନା ଯୋଗାଇ ଦିଆଯାଇଥିଲା। ରାତିରେ ଖାଦ୍ୟ ଖାଇ ଜେଲକୁ ଯାଇଥିଲେ। କିନ୍ତୁ ଭଲ ଭାବେ ନିଦ ହୋଇ ନ ଥିଲା। ଦୀର୍ଘ ସମୟ ଧରି କଡ଼ ଲେଉଟାଉଥିଲେ। ମଝିରେ ମଝିରେ ଉଠି ବସି ପଡ଼ୁଥିଲେ। ଥଣ୍ଡା ପଡ଼ିଥିବାରୁ କମ୍ବଳ ଘୋଡ଼ି ହୋଇଥିଲେ। ଭୋର୍ ସମୟରେ ନିଦ ଲାଗି ଯାଇଥିଲା। କିନ୍ତୁ ଜେଲ୍ ନିୟମ ଅନୁସାରେ, ସକାଳ ୬ଟା ସୁଦ୍ଧା ଉଠିବାକୁ ପଡ଼ିଥିଲା। ନିତ୍ୟକର୍ମ ସାରିବା ପରେ ସବୁ କଏଦୀଙ୍କ ଭଳି ସେ ମଧ୍ୟ ଚା’ ପିଇଥିଲେ। ସକାଳ ଜଳଖିଆରେ ଉପମା, ଘୁଗୁନି ଖାଇଥିଲେ। ମଧ୍ୟାହ୍ନ ୧୨ଟା ସୁଦ୍ଧା ମିଳି ଯାଇଥିଲା ମଧ୍ୟାହ୍ନ ଭୋଜନ। ଏଥିରେ ଭାତ, ରୁଟି, ଡାଲି ଓ ତରକାରି ଦିଆଯାଇଥିଲା। ଅନ୍ୟ କଏଦୀମାନଙ୍କ ଭଳି ଧାଡ଼ିରେ ଛିଡ଼ା ହୋଇ ଥାଳିରେ ଖାଦ୍ୟ ନେଇଥିଲେ ପ୍ରଦୀପ। ସବୁବେଳେ ଘର ଖାଦ୍ୟ ଓ କେତେକ ସମୟରେ ପଞ୍ଚତାରକା ହୋଟେଲରେ ଖାଦ୍ୟ ଖାଉଥିବା ପ୍ରଦୀପଙ୍କୁ ଜେଲ୍ ଖାଦ୍ୟରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ସନ୍ଧ୍ୟା ସୁଦ୍ଧା ରାତି ଖାଇବା ମିଳି ଯାଇଥିଲା। ରାତିରେ ଭାତ ଓ ରୁଟି ଥିବା ବେଳେ ରୁଟିକୁ ବାଛିଥିଲେ ପ୍ରଦୀପ। ରୁଟି ସାଙ୍ଗରେ ଡାଲି ଓ ସନ୍ତୁଳା ଖାଇଥିଲେ।