ଭିତିରି କଥା କହିଲେ ପ୍ରଦୀପ : ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା କାଳ ହେଲା

ବିଜେଡିରେ ଅସନ୍ତୋଷ ରହିଛି, ବବି, ଅଚ୍ୟୁତ ଭେଟିଥିଲେ
ଗଞ୍ଜାମରେ ୮୦ ମଦ ବେପାରୀ, କାହାଠୁ ଟଙ୍କାଟେ ନେଇନି
ପାଠକ ଦକ୍ଷ ଅଫିସର, ଆକାଶ ରୋମାନିଆରେ ଚାକିରି କରନ୍ତି
‘ଜନ ବିରୋଧୀ’ କଣ, ସ୍ପଷ୍ଟୀକରଣ ଦିଅନ୍ତୁ: ସୁଜାତା

ଭୁବନେଶ୍ୱର/ ବ୍ରହ୍ମପୁର : ଦଳରୁ ବହିଷ୍କୃତ ହେବା ପରେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଆଜି ବିଜେଡିର ଭିତିରି କଥା କହିଛନ୍ତି। ସୁରଟରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କ ସମସ୍ୟା ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବା ହିଁ ତାଙ୍କ ପାଇଁ କାଳ ହେଲା। ବିଜେଡିରୁ ବହିଷ୍କାର ସଂପର୍କରେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ସେ ସୁରଟ ଯାଇ ସେଠାକାର ପ୍ରବାସୀ ଓଡ଼ିଆଙ୍କ ସମସ୍ୟା ବୁଝିଥିଲେ। ନିର୍ଯାତିତ ଅବସ୍ଥାରେ ଜୀବିକା ହରାଇ ଘରକୁ ଫେରିବାକୁ ଚାହୁଁଥିବା ପ୍ରବାସୀଙ୍କୁ ଫେରାଇ ଆଣିବା ଲାଗି ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ଗୋଟିଏ ନୁହେଁ; ୧୧୭ଟି ଚିଠି ଲେଖିଥିଲେ। ହେଲେ ସେ ସମୟରେ ପ୍ରବାସୀଙ୍କୁ ଫେରାଇ ଆଣିବାକୁ ରାଜ୍ୟ ସରକାର ଅମଙ୍ଗ ଥିଲେ। ପରେ କୋଭିଡ୍‌ ସେଣ୍ଟର୍‌ରେ ପ୍ରବାସୀଙ୍କୁ ଖାଦ୍ୟ, ଆନୁଷଙ୍ଗିକ ସୁବିଧା ମିଳୁ ନଥିବା ନେଇ ମଧ୍ୟ ଚିଠି ଲେଖିଥିଲେ। ଏହି ଚିଠି ଲେଖିବା ହିଁ ମୋ ପାଇଁ କାଳ ହେଲା ବୋଲି ସେ କହିଛନ୍ତି।

ସେହିଭ​ଳି କୋଭିଡ୍ ତ୍ରୁଟି ନେଇ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସେ ଫୋନ୍ କରିଥିଲେ। ୩ ଥରର ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁଙ୍କ ବାପାଙ୍କୁ କରୋନା ହୋଇଥିଲା। ଆମ୍ବୁଲାନ୍ସ ପାଇଁ ବିଧାୟକ ପୂର୍ଣ୍ଣଚନ୍ଦ୍ର ତାଙ୍କ ସହଯୋଗ ଲୋଡ଼ିଥିଲେ। ୧୨ରୁ ୧୩ ଘଣ୍ଟା ବିତିଗଲା, ଆମ୍ବୁଲାନ୍ସ ମିଳିପାରିଲା ନାହିଁ। ଲୋକଙ୍କ ପ୍ରତି ପ୍ରଶାସନର ଆଭିମୁଖ୍ୟ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ ବ୍ୟସ୍ତତା ପ୍ରକାଶ କରିବା ସହ ସବୁ ବ୍ୟବସ୍ଥା କରିଥିଲେ। ଦୁର୍ଭାଗ୍ୟବଶତଃ ବିଧାୟକଙ୍କ ବାପା ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ। କିନ୍ତୁ ଦୁଃଖର କଥା ଯେ ପୂର୍ଣ୍ଣଙ୍କ ବାପା ମରିବାର କିଛି ଦିନ ପରେ ତାଙ୍କ ପାଖକୁ ସ୍ୱାସ୍ଥ୍ୟ ବିଭାଗରୁ ଫୋନ୍ ଆସିଥିଲା ଓ ତାଙ୍କ ବାପା କିପରି ଅଛନ୍ତି ବୋଲି ପଚରାଯାଇଥିଲା।

ତାଙ୍କ ଉପରେ ଅସନ୍ତୋଷର ଆଉ ଏକ କାରଣ ସଂପର୍କରେ ପ୍ରଦୀପ କହିଲେ, ‘ଏହା ମଧ୍ୟରେ ଗୋଟିଏ ବଡ଼ ଘଟଣା ଘଟିଥିଲା। ବିଶ୍ୱରଞ୍ଜନ ମହାନ୍ତି ମୋତେ ସରକାର ଭାଙ୍ଗିବା ସମ୍ଭାବନା କଥା କହିଥିଲେ। ମୁଁ ଏନେଇ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ଅବଗତ କରିଥିଲି। ଏହାପରେ ମୋ ଘରକୁ ବିଧାୟକ ବବି ଦାସ ଓ ସାଂସଦ ଅଚ୍ୟୁତ ସାମନ୍ତ ଆସିଥିଲେ। କାହିଁକି ମୁଖ୍ୟମନ୍ତ୍ରୀଙ୍କୁ ଏପରି ଫୋନ୍ କରୁଛ ବୋଲି ତାଗିଦ୍ କରିଥିଲେ। ଏହାପରେ ଡିସେମ୍ବରରେ ଝିଅ ବାହାଘର ଅଛି କି ବୋଲି ସେମାନେ ପଚାରିଥିଲେ। ଆଜି ତାହା ସାମ୍ନାକୁ ଆସିଛି।’

ଗଞ୍ଜାମର ବିଜେଡି ପ୍ରାର୍ଥୀଙ୍କୁ ହରାଇବାକୁ ସେ ଭିତିରି ଉଦ୍ୟମ କରୁଥିବା ଏବଂ ବିଜେପି ସହ ସଂପର୍କ ରଖିଥିବା ଅଭିଯୋଗ ଭିତ୍ତିହୀନ ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ ସତ କଥା ହେଉଛି ଯେ ତାଙ୍କ ସୁପାରିସରେ ଅନେକ ପ୍ରାର୍ଥୀ ଦଳୀୟ ଟିକେଟ୍ ପାଇ ନିର୍ବାଚନ ଲଢ଼ି ଜିତିଥିଲେ। ଗତ ନିର୍ବାଚନରେ ଜିଲ୍ଲାର ୧୩ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ୧୨ଟିରେ ବିଜେଡି ପ୍ରାର୍ଥୀ ଜିତିଥିଲେ। ଏଣୁ ଦଳୀୟ ପ୍ରାର୍ଥୀଙ୍କୁ ହରାଇବାକୁ କେମିତି ଉଦ୍ୟମ କରୁଥିଲି, ତାହା ପ୍ରମାଣିତ କରିପାରିବେ କି ବୋଲି ସେ ଚ୍ୟାଲେଞ୍ଜ କରିଥିଲେ।
ତାଙ୍କର ବାଲି ଓ ମଦ ମାଫିଆଙ୍କ ସହ ଲିଙ୍କ୍‌ ନେଇ ସାମ୍ବାଦିକଙ୍କ ପ୍ରଶ୍ନରେ ସଫେଇ ଦେଇ ସେ କହିଥିଲେ, ମୁଁ ବାଲି ମାଫିଆଙ୍କଠାରୁ ଚାନ୍ଦା ନିଏନି। ଏ ଅଭିଯୋଗର ପ୍ରମାଣ ଦିଅନ୍ତୁ। ଗଞ୍ଜାମରେ ୮୦ଟି ମଦ ଦୋକାନ ଅଛି। କାହାଠାରୁ ଟଙ୍କାଟେ ମଧ୍ୟ ମୁଁ କେବେ ନେଇନି। ଯଦି ଏହାର ପ୍ରମାଣ ଥାଏ ତା’ହେଲେ ଦିଅନ୍ତୁ। ସେ ଏକଥା ବି କହିଥିଲେ ଯେ ତାଙ୍କ ବ୍ୟକ୍ତିଗତ ସଂପତ୍ତି କେତେ ଆକଳନ କରାଯାଉ। ହିଞ୍ଜିଳିରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ କାମ କରୁଥିଲି। ଦାୟିତ୍ୱରୁ ହଟାଇ ଦିଆଗଲା। ଗୁଣ୍ଡା ନେଇ ହିଞ୍ଜିଳିରେ ଲୋକଙ୍କୁ ଡରାଇଥିଲି ବୋଲି ଅଭିଯୋଗ କରାଗଲା। ଏସବୁ ସତ୍ତ୍ୱେ ୨୦୧୪ରେ ଟିକେଟ ଦେଲେ ଓ ପୁଣି ମନ୍ତ୍ରୀ କରିଥିଲେ।

ଭାବୀ ଜ୍ୱାଇଁ ଆକାଶ ପାଠକଙ୍କୁ ନେଇ ଶ୍ରୀ ପାଣିଗ୍ରାହୀ କହିଥିଲେ, ‘ଆକାଶ ଆଇଟିଆରର ଛାତ୍ର, ରୋମାନିଆରେ କାମ କରୁଥିଲେ। ମା’ଙ୍କ ଅସୁସ୍ଥତା ଯୋଗୁଁ ଓଡ଼ିଶା ଫେରି ଆସିଥିଲେ। ୨୦୧୬ରେ ଜିମେଟ୍‌ରେ ସବୁଠୁ ଅଧିକ ନମ୍ବର ରଖିଥିଲେ। ଏହାପରେ ଟାଟା ଗ୍ରୁପ୍‌କୁ ମନୋନୀତ ହୋଇଥିଲେ। ଆକାଶଙ୍କ ବାପା ଅଭୟକାନ୍ତ ପାଠକ ରାଜ୍ୟର ଜଣେ ଦକ୍ଷ ଅଫିସର।’

ସେ ଆହୁରି କହିଥିଲେ, ଦଳର ଉଚ୍ଚସ୍ତରରେ ଅସନ୍ତୋଷ ରହିଛି। ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନପାରିବା ଅସନ୍ତୋଷର ମୁଖ୍ୟ କାରଣ। ମୁଖ୍ୟମନ୍ତ୍ରୀଙ୍କ ପାଖରେ କଥା ନ ପହଞ୍ଚିବା ଅସନ୍ତୋଷର କାରଣ। କେହି ଓଡ଼ିଆ ଚୁପ୍ ହେବାକୁ ପସନ୍ଦ କରନ୍ତି ନାହିଁ। କେବଳ ମୁଖ୍ୟମନ୍ତ୍ରୀଙ୍କ ଭଲ ପାଇବା ଓ ଶ୍ରଦ୍ଧା ଯୋଗୁଁ ସମସ୍ତେ ଚୁପ୍ ଅଛନ୍ତି।

ସେ କହିଲେ ଯେ ଗତ ନିର୍ବାଚନ ସମୟରେ କେନ୍ଦ୍ରାପଡ଼ାରୁ ପୂର୍ବତନ ଅର୍ଥମନ୍ତ୍ରୀ ଶଶୀ ବେହେରା ଛିଡ଼ା ହୋଇଥିଲେ। ସରକାରଙ୍କ ସମ୍ମାନ ଦୃଷ୍ଟିରୁ ନ ହାରିବାକୁ ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ବୈଜୟନ୍ତ ପଣ୍ଡା ଓ ଗଣେଶ୍ୱର ବେହେରାଙ୍କୁ ହରାଇବାକୁ କୁହାଯାଇଥିଲା। ଏଥିପାଇଁ ସେ ୫୦୦ ପିଲା ଆଣି କେନ୍ଦ୍ରାପଡ଼ାରେ ଡେରା ପକାଇଥିଲେ। ସେତେବେଳେ କେନ୍ଦ୍ରାପଡ଼ାରେ ଗଞ୍ଜାମ ଗାଡ଼ି ବ୍ୟତୀତ ଆଉ କିଛି ନଥିଲା। ଅନ୍ୟପକ୍ଷରେ ଜିତୁ ମିତ୍ର ଓ ଅରୂପ ପଟ୍ଟନାୟକଙ୍କ ପାଇଁ ମଧ୍ୟ ଦାୟିତ୍ୱ ଦେଇଥିଲେ। ଅରୂପଙ୍କ ସ୍ଥିତିରେ ଉନ୍ନତି ନ ଘଟିବାରୁ ତାଙ୍କୁ ଜିତୁଙ୍କ ଉପରେ ଅଧିକ ଫୋକସ୍ ପାଇଁ କୁହାଯାଇଥିଲା। ମାତ୍ର ନିର୍ବାଚନ ସରିବା ପରେ ସବୁ ଭୁଲିଗଲେ। ସେହିଭଳି ୨୦୧୪ରେ ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଖଣ୍ଡପଡ଼ାରୁ ହରାଇବା ଲାଗି ମଧ୍ୟ ଦାୟିତ୍ବ ଦିଆଯାଇଥିଲା।

ଅନ୍ୟପକ୍ଷରେ ତାଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ ମଧ୍ୟ ଆଜି ଅସନ୍ତୋଷ ଝାଡ଼ିଛନ୍ତି। ସୁଜାତା ପରୋକ୍ଷରେ ମୁଖ୍ୟନ୍ତ୍ରୀଙ୍କ ଆଡ଼କୁ ଇଙ୍ଗିତ କରି କହିଥିଲେ, ୨୦୦୦ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନମଣ୍ଡଳୀ ପ୍ରତିନିଧି ଥିବା ପ୍ରଦୀପ ପାଣିଗ୍ରାହୀ ୨୦ ବର୍ଷ ଧରି ବିଭିନ୍ନ ଦାୟିତ୍ବରେ ରହି ଆସିଛନ୍ତି। ପ୍ରଦୀପ ଯଦି ଜନବିରୋଧୀ ଥିଲେ, ସ୍ବଚ୍ଛ ଚରିତ୍ର ପାଇଁ ଜଣାଶୁଣା ମୁଖ୍ୟମନ୍ତ୍ରୀ ତାଙ୍କୁ କିଭଳି ନିଜ ପ୍ରତିନିଧି ରଖିଥିଲେ? ପ୍ରଦୀପ ପାଣିଗ୍ରାହୀ କିଏ ଏବଂ ପ୍ରଦୀପଙ୍କ ଚରିତ୍ର କ’ଣ ତାହା ଗଞ୍ଜାମବାସୀ ଜାଣିଛନ୍ତି। ବରଂ ଜନବିରୋଧୀ କାର୍ଯ୍ୟ କ’ଣ ? ମୋ ସ୍ୱାମୀ କ’ଣ ଜନବିରୋଧୀ କାର୍ଯ୍ୟ କରିଛନ୍ତି ? ତା’ର ସମ୍ପୂର୍ଣ୍ଣ ବିବରଣୀ ଦିଅନ୍ତୁ ବୋଲି ସେ ଦାବି କରିଥିଲେ।

ସମ୍ବନ୍ଧିତ ଖବର