ଜେଲ୍‌ ଭିତରେ ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା

ଭିଜିଲାନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ

ଭୁବନେଶ୍ବର : ଟାଟା ମୋଟର୍ସ‌‌ରେ ନିଯୁକ୍ତି ନାଁରେ ଠକେଇ ମାମଲାରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଆଜି ଭିଜିଲାନ୍ସ ୨ ଘଣ୍ଟା ଧରି ଜେରା କରିଛି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ତଦନ୍ତ ଆରମ୍ଭ କରିଥିବା ଭିଜିଲାନ୍ସ ସେଲର ଜଣେ ଡିଏସପି ଆଜି ଝାରପଡ଼ା ଜେଲରେ ପହଞ୍ଚି ପ୍ରଦୀପଙ୍କୁ ଦିନ ସାଢ଼େ ୧୦ଟାରୁ ସାଢ଼େ ୧୨ଟା ପର୍ଯ୍ୟନ୍ତ ପଚରାଉଚରା କରିଥିଲେ।

ବର୍ଷକରେ ପ୍ରଦୀପଙ୍କ ବ୍ରହ୍ମପୁର କୋଟପେଟାସ୍ଥିତ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟରେ ଅଢ଼େଇ କୋଟି ଟଙ୍କା ଜମା ନେଇ ଭିଜିଲାନ୍ସ ଅଧିକାରୀ ତାଙ୍କୁ ପଚରାଉଚରା କରିଥିଲେ। ଏହି ଟଙ୍କା କାହିଁକି ଓ କିଏ ଜମା କରିଥିଲା? ଆଇଏଫ୍ଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକଙ୍କ ଆକାଉଣ୍ଟକୁ କାହିଁକି ୫୫ ଲକ୍ଷ ଟଙ୍କା ଟ୍ରାନ୍ସଫର୍‌ କରାଯାଇଥିଲା? ସେ ନେଇ ପଚରାଉଚରା କରାଯାଇଥିବା ଜଣାପଡ଼ିଛି। ଅଭୟକାନ୍ତ ଓ ଆକାଶଙ୍କ ସହ କେତେ ଟଙ୍କା ଦେଣନେଣ ହୋଇଛି, ସେ ନେଇ ମଧ୍ୟ ଖୋଳତାଡ଼ ଆରମ୍ଭ ହୋଇଛି। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପରେ ଆଜି ପ୍ରଥମଥର ପାଇଁ ଜେରା କରାଯାଇଥିବା ବେଳେ ଆଗକୁ ପୁଣି ଜେରା କରାଯାଇପାରେ ବୋଲି ସୂଚନା ମିଳିଛି।

ପ୍ରାଥମିକ ଅନୁସନ୍ଧାନ ଚାଲିଥିବା ବେଳେ ଆୟ ବହିର୍ଭୂତ ସମ୍ପତ୍ତି ପ୍ରମାଣ ମିଳିଲେ ମାମଲା ରୁଜୁ ହେବ ବୋଲି ଜଣେ ଅଧିକାରୀ କହିଛନ୍ତି। ସେହିପରି ପ୍ରଦୀପଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଥିବା ବ୍ୟକ୍ତିଙ୍କୁ ଭିଜିଲାନ୍ସ ଜେରା କରିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ପ୍ରଦୀପ ଗିରଫ ହେବା ପରେ ବହୁ ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିଥିଲା। ସେ ବାର୍ଷିକ ୧୦ ଲକ୍ଷ ଟଙ୍କା ଆୟ ନେଇ ଆୟକର ରିଟର୍ଣ୍ଣ ଦାଖଲ କରିଥିଲେ। କିନ୍ତୁ ତଦନ୍ତ ସମୟରେ ତାଙ୍କ ଆକାଉଣ୍ଟରେ ଗୋଟିଏ ବର୍ଷରେ ଅଢ଼େଇ କୋଟି ଟଙ୍କା ଜମା ହୋଇଥିବା ଜଣାପଡ଼ିଥିଲା। ୪ ମାସ ଭିତରେ ରବୀନ୍ଦ୍ର ସାହୁ ନାମକ ବ୍ୟକ୍ତି ୭୫ ଲକ୍ଷ ଟଙ୍କା, ସୂର୍ଯ୍ୟ ଫିଲିଂ ଷ୍ଟେସନ୍‌ ୪୦ ଲକ୍ଷ ଟଙ୍କା, ଏସ.କେ ମହାରଣା ନାମକ ବ୍ୟକ୍ତି ୨୫ ଲକ୍ଷ ଟଙ୍କା, କମ୍ବୁପାଣି ସାହୁ ନାମକ ବ୍ୟକ୍ତି ୨୦ଲକ୍ଷ ଟଙ୍କା, ଗୁରୁମୂର୍ତ୍ତି ଅଏଲ କମ୍ପାନି ୪୦ ଲକ୍ଷ ଟଙ୍କା କୋଟପେଟାସ୍ଥିତ ପ୍ରଦୀପଙ୍କ ଆକାଉଣ୍ଟରେ ଜମା କରିଥିବା ଜଣାପଡ଼ିଥିଲା। ସେହିପରି ପ୍ରଦୀପଙ୍କ ଆକାଉଣ୍ଟରୁ ୫୫ ଲକ୍ଷ ଟଙ୍କା ଆକାଶ ପାଠକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯାଇଥିଲା।

ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ରୁଜୁ ହୋଇଥିବା ଦୁର୍ନୀତି ମାମଲାକୁ ଲୋକାୟୁକ୍ତ ଗତ ଡିସେମ୍ବର ୧୧ ତାରିଖରେ ଭିଜିଲାନ୍ସକୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଗତ ୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଦୀପଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ ଲାଗି ଲୋକାୟୁକ୍ତଙ୍କୁ ସୁପାରିସ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ସୁପାରିସକୁ ଗ୍ରହଣ କରି ଲୋକାୟୁକ୍ତ ଏଭଳି ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାକୁ ୨ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବା ପାଇଁ ଭିଜିଲାନ୍ସକୁ ନିର୍ଦ୍ଦେଶ ଦେଇଥିବା ବେଳେ ଆସନ୍ତା ଫେବ୍ରୁଆରି ୧୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଲୋକାୟୁକ୍ତ ନିର୍ଦ୍ଦେଶ ଦେଇଥିଲେ। ଗତ ଡିସେମ୍ବର ୩ ତାରିଖରେ ପ୍ରଦୀପଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସମ୍ବନ୍ଧିତ ଖବର