୨୪ରେ ପ୍ରଦୀପ ପାଣିଗ୍ରାହୀଙ୍କ ଜାମିନ ଶୁଣାଣି

କଟକ : ଚାକିରି ଆଶାୟୀଙ୍କ ନିକଟରୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଟଙ୍କା ସଂଗ୍ରହ କରିଥିବା ଅଭିଯୋଗ ରହିଛି। ଏହି ଟଙ୍କା ସେ ନିମ୍ନ ଅଦାଲତରେ ଜମା କରିବାକୁ ଆଗ୍ରହୀ ବା ନୁହନ୍ତି, ସେ ନେଇ ହାଇକୋର୍ଟରେ ଜବାବ ରଖିବେ। ଏ ନେଇ ସତ୍ୟପାଠ ମାଧ୍ୟମରେ ଶ୍ରୀ ପାଣିଗ୍ରାହୀ ପରବର୍ତ୍ତୀ ଶୁଣାଣି ସମୟରେ ଅବଗତ କରିବେ। ହାଇକୋର୍ଟରେ ଏ ସମ୍ପର୍କିତ ମାମଲାର ଶୁଣାଣି ସମୟରେ ଜଷ୍ଟିସ ସଙ୍ଗମ କୁମାର ସାହୁଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

ଶ୍ରୀ ପାଣଗ୍ରାହୀଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ସୋମବାର ଖଣ୍ଡପୀଠରେ ସରକାରଙ୍କ ପକ୍ଷରୁ କେତେକ ନଥିପତ୍ର ଓ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ଚାକରି ଆଶାୟୀଙ୍କ ନିକଟରୁ ଆବେଦନକାରୀ ଟଙ୍କା ସଂଗ୍ରହ କରିଥିବା କଥା ତଦନ୍ତରୁ ସ୍ପଷ୍ଟ ହୋଇଛି। ଏବେ ତଦନ୍ତ ଚାଲିଥିବାରୁ ଏହି ଅର୍ଥର ପରିମାଣ ବଢିପାରେ ବୋଲି ସରକାରଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଖଣ୍ଡପୀଠ ଏହି ଅର୍ଥ ନିମ୍ନ ଅଦାଲତରେ ଆବେଦନକାରୀ ଜମା କରିବାକୁ ଆଗ୍ରହୀ ବା ନୁହେଁ ଜାଣିବାକୁ ଚାହିଁଥିଲେ। ଏଥିପାଇଁ ଆବେଦନକାରୀଙ୍କ ପକ୍ଷରୁ ସମୟ ଲୋଡ଼ା ଯାଇଥିଲା। ଫେବ୍ରୁଆରି ୨୪କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଥିବାବେଳେ ଶ୍ରୀ ପାଣିଗ୍ରାହୀଙ୍କୁ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଶ୍ରୀ ପାଣିଗ୍ରାହୀ ଓ ଆକାଶ ପାଠକଙ୍କ ନିୟମିତ ଜାମିନ ଆବେଦନର ହାଇକୋର୍ଟରେ ଏକତ୍ର ଶୁଣାଣି ଚାଲିଛି।

ସମ୍ବନ୍ଧିତ ଖବର