ହାଇକୋର୍ଟରେ ପ୍ରଦୀପ ପାଣିଗ୍ରାହୀ ମାମଲା : ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ଖାରଜ

ତଦନ୍ତ କରିପାରିବ ନାହିଁ ଭିଜିଲାନ୍ସ: ହାଇକୋର୍ଟ
ଲୋକାୟୁକ୍ତଙ୍କ ତଦନ୍ତକାରୀ ଶାଖାକୁ ତଦନ୍ତ ଅନୁମତି

କଟକ : ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ମାମଲାରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ହାଇକୋର୍ଟ ବୁଧବାର ଖାରଜ କରି ଦେଇଛନ୍ତି। ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ ଭିଜିଲାନ୍ସ କରିପାରିବ ନାହିଁ ବୋଲି କହିଛନ୍ତି। କେବଳ ସେତିକି ନୁହେଁ, ପାଣିଗ୍ରାହୀଙ୍କ ବିରୋଧରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗର ଆପାତତଃ ପ୍ରମାଣ ରହିଛି ବୋଲି ଲୋକାୟୁକ୍ତଙ୍କ ଉଲ୍ଲେଖକୁ ମଧ୍ୟ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଫଳରେ ପାଣିଗ୍ରାହୀଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ବର୍ତ୍ତମାନ ଏକପ୍ରକାର ଅପ୍ରାସଙ୍ଗିକ ଆଉ ଅକାମି ‌ହୋଇଯାଇଛି।

୨୦୨୦ ଡିସେମ୍ବର ୧୧ରେ ପାଣିଗ୍ରାହୀଙ୍କ ବିରୋଧରେ ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ଆପାତତଃ ପ୍ରମାଣ ରହିଛି ‌ବୋଲି ଲୋକାୟୁକ୍ତ ଉଲ୍ଲେଖ କରିବା ସହିତ ଭିଜିଲାନ୍ସକୁ ମାମଲାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଲୋକାୟୁକ୍ତଙ୍କ ଏପରି ନିର୍ଦ୍ଦେଶ ବିରୋଧରେ ପ୍ରଦୀପ ପାଣିଗ୍ରାହୀ ହାଇକୋର୍ଟରେ ଆବେଦନ କରିଥିଲେ। ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ବିଶ୍ବନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏ ପ୍ରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ ଲୋକାୟୁକ୍ତଙ୍କ ତଦନ୍ତକାରୀ ଶାଖା ଏହି ଅଭିଯୋଗର ତଦନ୍ତ କରିପାରିବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ୬୦ ଦିନ ଭିତରେ ପ୍ରାଥମିକ ରିପୋର୍ଟ ଦେବା ପରେ ଲୋକାୟୁକ୍ତ ଏହି ମାମଲାରେ ଆଗକୁ ବଢିବେ ବୋଲି ରାୟରେ ଉଲ୍ଲେଖ କରାଯାଇଛି।

ଆଜି ହାଇକୋର୍ଟରେ ମାମଲାର ଶୁଣାଣି ସମୟରେ ପାଣିଗ୍ରାହୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଦର୍ଶାଇଥିଲେ ଯେ ଭିଜିଲାନ୍ସ ‌ଡିଏସ୍‌ପି ଲୋକାୟୁକ୍ତଙ୍କ ନିକଟରେ କଂପ୍ଲେନ ଦାୟର କରିଥିବା ବେଳେ ଭିଜିଲାନ୍ସକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଏହି ମାମଲାରେ ପାଣିଗ୍ରାହୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ଲୋକାୟୁକ୍ତ ଡିସେମ୍ବର ୧୧ରେ ଭିଜିଲାନ୍ସକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ପାଣିଗ୍ରାହୀ ଗିରଫ ହୋଇ ବିଚାରବିଭାଗୀୟ ହାଜତରେ ଗତ ଡିସେମ୍ବରରୁ ଥିବାବେଳେ ତାଙ୍କୁ ଲୋକୟୁକ୍ତଙ୍କ ପକ୍ଷରୁ କୌଣସି ନୋଟିସ୍ ମିଳି ନଥିଲା। ତାଙ୍କ ବିରୋଧରେ ରହିଥିବା ଅଭିଯୋଗ ସଂପର୍କରେ ମଧ୍ୟ କୌଣସି ଭାବେ ଅବଗତ କରାଯାଇ ନଥିଲା। ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ପୂର୍ବରୁ ଓ ପରେ ପାଣିଗ୍ରାହୀଙ୍କୁ ଏହି ମାମଲାରେ କୌଣସି ନୋଟିସ୍ ଦିଆଯାଇ ନଥିଲା। ଲୋକାୟୁକ୍ତ ଆଇନର ଧାରା ୨୦(୩) ଅନୁସାରେ ପାଣିଗ୍ରାହୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ନ ଦେଇ ଏକତରଫା ଭାବେ ଭିଜିଲାନ୍ସର ଅଭିଯୋଗ ଆଧାରରେ ତାଙ୍କ ବିରୋଧରେ ଆପତତଃ ପ୍ରମାଣ ରହିଥିବା ସିଦ୍ଧାନ୍ତରେ ଲୋକାୟୁକ୍ତ ଉପନୀତ ହେବା ସଂପୂର୍ଣ୍ଣ ଭାବେ ବେଆଇନ ଓ ଅସାମ୍ବିଧାନିକ। ଏପରି ନିର୍ଦ୍ଦେଶ ଲୋକାୟୁକ୍ତ ଆଇନର ବିରୁଦ୍ଧାଚରଣ କରୁଛି ବୋଲି ଶ୍ରୀ ଆଚାର୍ଯ୍ୟ ଦର୍ଶାଇଥିଲେ।

ଯାହା ବିରୋଧରେ ଅଭିଯୋଗ ରହିଛି ତାଙ୍କୁ ପକ୍ଷ ରଖିବାର ସ‌ୁଯୋଗ ଦେବାପରେ ଯାଇ ଆପତତଃ ପ୍ରମାଣ ରହିଛି କି ନାହିଁ ତାହା ଲୋକାୟୁକ୍ତ କହିପାରିବେ। କିନ୍ତୁ ଏହି ମାମଲାରେ ବିଚିତ୍ର ଅବସ୍ଥା ଦେଖିବାକୁ ମିଳିଛି। ପାଣିଗ୍ରାହୀଙ୍କ ପ୍ରସଂଗରେ ତଦନ୍ତ ସରିନାହିଁ। ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନାହିଁ। କିନ୍ତୁ ‌ ଲୋକାୟୁକ୍ତ କହି ସାରିଲେଣି ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଆପାତତଃ ପ୍ରମାଣ ରହିଛି। ଲୋକାୟୁକ୍ତଙ୍କ ଏଭଳି ମନ୍ତବ୍ୟ ଆଇନ ଅନୁସାରେ ସିଦ୍ଧ ନୁହେଁ। ଲୋକାୟୁକ୍ତ ନିଜ କ୍ଷମତା ପରିସର ବାହାରକୁ ଯାଇ ଓ ଲୋକାୟୁକ୍ତ ଆଇନର ଉଲ୍ଲଂଘନ କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଥିଲେ ବୋଲି ଆଚାର୍ଯ୍ୟ ଦର୍ଶାଇଥିଲେ।

ଅନ୍ୟପକ୍ଷରେ, ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଲୋକାୟୁକ୍ତଙ୍କୁ ସୁପାରିସ କରିଥିଲେ ବୋଲି ପ୍ରଚାର କରାଯାଇଥିବା ବେଳେ ଏଥିରେ କୌଣସି ସତ୍ୟତା ନାହିଁ। ତଥାକଥିତ ଭିଜିଲାନ୍ସର ଗୁପ୍ତ ଯାଞ୍ଚ ରିପୋର୍ଟ ଆଧାରରେ ରିପୋର୍ଟ ଦାଖଲ ପରେ ଲୋକାୟୁକ୍ତ ଏହି ପ୍ରସଙ୍ଗରେ ଶୁଣାଣି କରିଥିଲେ। କୋଭିଡ-୧୯ ସାମଗ୍ରୀ କିଣାରେ ବ୍ୟାପକ ଅନିୟମିତତା ଅଭିଯୋଗ ସହିତ ଅନ୍ୟ ଦୁର୍ନୀତି ଅଭିଯୋଗ ସଂପର୍କିତ ମାମଲାରେ ଲୋକାୟୁକ୍ତ ଧାରା ୨୦(୩) ଅନୁସାରେ ପ୍ରଶାସନିକ ଅଧିକାରୀଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦେଇଥିବାବେଳେ ପାଣିଗ୍ରାହୀଙ୍କ ପ୍ରସଂଗରେ କିନ୍ତୁ ଏପରି କରାଯାଇ ନଥିଲା। ରାଜନୈତିକ ଉଦ୍ଦେଶ୍ୟ ରଖି ପାଣିଗ୍ରାହୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ କରାଯାଉଛି। ୨୦୨୦ ନଭେମ୍ବର ୨୯ ପୂର୍ବରୁ ପାଣିଗ୍ରାହୀଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନ ଥିବାବେଳେ ଏହାପରେ ଏକାଧିକ ମାମଲା ରୁଜୁ କରାଯାଇଥିଲା ବୋଲି ଶୁଣାଣି ସମୟରେ ଆବେଦନକାରୀଙ୍କ ପକ୍ଷରୁ ଦର୍ଶାଯାଇଥିଲା। ‌ଏହି ମାମଲାରେ ପାଣିଗ୍ରାହୀଙ୍କ ସାମ୍ବିଧାନିକ ଅଧିକାର କ୍ଷୁଣ୍ଣ ହୋଇଛି। ତାଙ୍କ ବିରୋଧରେ ତଦନ୍ତ ପାଇଁ ଲୋକାୟୁକ୍ତ ଜାରି କରିଥିବା ନିର୍ଦ୍ଦେଶ ରଦ୍ଦ କରାଯାଉ ବୋଲି ଶ୍ରୀ ଆଚାର୍ଯ୍ୟ ଯୁକ୍ତି ଦର୍ଶାଇଥିଲେ। ହାଇକୋର୍ଟ ଶ୍ରୀ ଆଚାର୍ଯ୍ୟଙ୍କ ଯୁକ୍ତିକୁ ଗ୍ରହଣ କରିବା ସହିତ ଉପରୋକ୍ତ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀ ପାଣିଗ୍ରାହୀଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଶ୍ରୀ ଆଚାର୍ଯ୍ୟଙ୍କୁ ଆଇନଜୀବୀ ସୌମିକ ସ୍ପନ୍ଦନ ତ୍ରିପାଠୀ, ଐଶ୍ବର୍ଯ୍ୟା ଦାଶ ଓ ଅଭିଷେକ ମହାନ୍ତି ସହାୟତା କରୁଛନ୍ତି।

ସୂଚନାଯୋଗ୍ୟ ଯେ ବିଧାୟକ ପାଣିଗ୍ରାହୀଙ୍କ ବିରୋଧରେ ଗୁରୁତର ଦୁର୍ନୀତି ଅଭିଯୋଗ ରହିଥିବା ଦର୍ଶାଇ ଭୁବନେଶ୍ବର ଭିଜିଲାନ୍ସ ସେଲ ୟୁନିଟର ଡିଏସପି ରଂଜନ କୁମାର ଦାସ ଲୋକାୟୁକ୍ତଙ୍କ ନିକଟରେ କଂପ୍ଲେନ୍ ଦାୟର କରିଥିଲେ। ଭିଜିଲାନ୍ସ ସେଲ୍‌ର ଏକ ଗୁପ୍ତ ଯାଞ୍ଚ ରିପୋର୍ଟ ଉପରେ ଏହି କଂପ୍ଲେନ ଆଧାରିତ ବୋଲି ଏଥିରେ ଦର୍ଶାଯାଇଥିଲା। ଡିସେମ୍ବର ୧୧ରେ ଲୋକାୟୁକ୍ତ କଂପ୍ଲେନର ଶୁଣାଣି କରି ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ଆପତତଃ ପ୍ରମାଣ ରହିଛି ବୋଲି କହିଥିଲେ। ଏଥିସହିତ ଓଡ଼ିଶା ଲୋକାୟୁକ୍ତ ଆଇନ, ୨୦୧୪ର ଧାରା ୨୦(୧)‌ରେ ପ୍ରଦାନ କରାଯାଇଥିବା କ୍ଷମତା ଆଧାରରେ ଶ୍ରୀ ପାଣିଗ୍ରାହୀଙ୍କ ବିରୋଧରେ ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ନିର୍ଦ୍ଦେଶ ଦେଇଥିଲେ।

ସମ୍ବନ୍ଧିତ ଖବର