ରାଜ୍ୟସଭା ସାଂସଦ ପଦ ପାଇଁ ଚର୍ଚ୍ଚାରେ ରହିଥିଲେ ପ୍ରଦୀପ, ରମେଶ

ରାୟଗଡ଼ା/ନବରଙ୍ଗପୁର/ ବ୍ରହ୍ମପୁର : ବିଜେଡି ପକ୍ଷରୁ ୪ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି। ଫଳରେ, ପୂର୍ବରୁ ଦକ୍ଷିଣ ଓଡ଼ିଶାର ୨ ପ୍ରମୁଖ ନେତା ପୂର୍ବତନ ସାଂସଦ ପ୍ରଦୀପ ମାଝୀ ଓ ପୂର୍ବତନ ବିଦାୟକ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନାମକୁ ନେଇ ଦଳୀୟ ମହଲରେ ଯେଉଁ ଆଲୋଚନା ଜାରି ରହିଥିଲା, ତାହାର ପୂର୍ଣ୍ଣଚ୍ଛେଦ ପଡିଛି।

ଅବିଭକ୍ତ କୋରାପୁଟ ଜିଲ୍ଲାରେ ଆଶାୟୀ ତାଲିକାରେ ଡ‌ଜନେରୁ ଅଧିକରୁ ନେତା ଥିଲେ। ବେଶ୍ ଚର୍ଚ୍ଚାରେ ଥିଲେ ପୂର୍ବତନ ସାଂସଦ ପ୍ରଦୀପ ମାଝି। ୨୦୧୯ ସାଧାରଣ ନିର୍ବାଚନ ପରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିଲେ ପ୍ରଦୀପ। ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରଦୀପଙ୍କ ବାପା ଭଗବାନଙ୍କୁ ରାଜ୍ୟସଭାକୁ ପଠାଇଥିବାରୁ ନବୀନ ମଧ୍ୟ ଗୁରୁତ୍ବକୁ ଉପଲବ୍ଧି କରି ଭାସ୍କର ରାଓଙ୍କ ପରେ ପ୍ରଦୀପଙ୍କୁ ସୁଯୋଗ ଦେବା ନେଇ ଦଳୀୟ ନେତା, କର୍ମୀ ଆଶାବାଦୀ ଥିଲେ। କିନ୍ତୁ କେଉଁ କାରଣ ପାଇଁ ଶେଷ ମୁହୂର୍ତ୍ତରେ ପ୍ରଦୀପଙ୍କୁ ବିଜେଡି ବାଦ୍ ଦେଲା, ତାକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି।

ସେହିଭଳି, ରାଜ୍ୟସଭା ସାଂସଦ ପଦ ପାଇଁ ବ୍ରହ୍ମପୁରର ପୂର୍ବତନ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କ ନାମକୁ ନେଇ ଦଳୀୟ ମହଲରେ ଆଲୋଚନା ଜାରି ରହିଥିଲା। ଗତ ୨୦୧୯ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡା. ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଯିବ ବୋଲି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ପ୍ରତିଶ୍ରୁତିକୁ ନେଇ ଡା. ଚ୍ୟାଉପଟ୍ଟନାୟକ ବି ବେଶ୍‌ ଆଶାବାଦୀ ରହିଥିଲେ। ଆଜିର ଘୋଷଣା ପରେ ଡା. ଚ୍ୟାଉପଟ୍ଟନାୟକ ଏବଂ ତାଙ୍କ ସମର୍ଥକ ମାନେ ନିରାଶ ହୋଇପଡିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ଡା. ଚ୍ୟାଉପଟ୍ଟନାୟକ ସ୍ବାଗତ କରିଥିଲେ ହେଁ ତାଙ୍କ ସମର୍ଥକ ମାନେ ଦଳର ନିଷ୍ପତ୍ତିକୁ ପ୍ରତିବାଦ ନକଲେ ବି ଭାଙ୍ଗି ପଡିଛନ୍ତି।

‌ପ୍ରତିକ୍ରିୟାରେ ଡା.ଚ୍ୟାଉପଟ୍ଟନାୟକ କହିଛନ୍ତି, ‘ ମୁଖ୍ୟମନ୍ତ୍ରୀ ରାଜ୍ୟସଭାକୁ ପଠାଇବାକୁ ମୋତେ ପ୍ରତିଶ୍ରୁତି ଦେଇଥିଲେ ସତ, କିନ୍ତୁ ମୋତେ ବହୁ ଗୁରୁଦାୟିତ୍ବ ଦେଇଛନ୍ତି। ଗଞ୍ଜାମ ଜିଲ୍ଲାର ଜିଲ୍ଲା ସଭାପତି ସମେତ ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ଼ର ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି।’ ଲୋକଙ୍କ ପାଇଁ କାମ କରିବା ହେଉଛି ସବୁଠାରୁ ବଡ଼କଥା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର