ବ୍ଲକ୍ କାର୍ଯ୍ୟାଳୟରେ ପ୍ରଦୀପଙ୍କ ବ୍ୟାନରକୁ ନେଇ ଚର୍ଚ୍ଚା

ଗୋଳନ୍ଥରା : ଗୋପାଳପୁର ବିଧାୟକ ଡ.ପ୍ରଦୀପ ପାଣିଗ୍ରାହୀ ଜେଲ୍‌ ଯିବା ପରେ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଛି। ବି‌ଶେଷ କରି ଗୋପାଳପୁର ନିର୍ବାଚନମଣ୍ଡଳୀରେ ପ୍ରଦୀପ ବି‌ରୋଧୀ ସକ୍ରିୟ ହୋଇ ଉଠିଛନ୍ତି। ଏଭଳି ସ୍ଥିତିରେ ଆଜି ନୂଆ ବର୍ଷରେ କନିଷି ସ୍ଥିତ ରଙ୍ଗେଇଲୁଣ୍ଡା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ପ୍ରଦୀପଙ୍କ ନବବର୍ଷ ଶୁଭେଚ୍ଛା ବ୍ୟାନର୍‌ ଟଙ୍ଗା ଯାଇଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ନିର୍ବାଚନମଣ୍ଡଳୀରେ ଚର୍ଚ୍ଚା ଜୋର ଧରିଛି। ପ୍ରଦୀପ ସମର୍ଥକ ଏବେ ବି ସକ୍ରିୟ ଥିବା ଆଲୋଚନା ହେଉଛି।

ଜନବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଧାୟକ ପ୍ରଦୀପ ବିଜେଡିରୁ ବିଦା ହେଲେ। ଏଥି ସହ ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ମାମଲାରେ କ୍ରାଇମ୍‌ବ୍ରାଞ୍ଚ୍‌ ଦ୍ବାରା ଗରିଫ ହୋଇ ଏବେ ଜେଲ୍‌ରେ। ଏହା ପରଠାରୁ ପ୍ରଦୀପ ବିରୋଧୀ ଗୋଷ୍ଠୀ ସକ୍ରିୟ ହୋଇ ଉଠିଥିଲେ ମଧ୍ୟ ଆଜି କନିଷି ପଞ୍ଚାୟତ ସମିତି କାର୍ଯ୍ୟାଳୟ ହତା ପରିସରରେ ଥିବା ବ୍ଲକ୍‌ କଲୋନୀ ପ୍ରାଥମିକ ବିଦ୍ୟାଳୟ ପାଚେରୀରେ ବିଧାୟକଙ୍କ ନୂତନ ବର୍ଷ ଅଭିନନ୍ଦନ ବାର୍ତ୍ତା ଲେଖାଯାଇ ବ୍ୟାନର୍‌ କିଏ ଟାଙ୍ଗିଲା, ତାହାକୁ ନେଇ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ଏହା ପ୍ରକୃତରେ ପ୍ରଦୀପ ସମର୍ଥକ ଓ ଅନୁଗତଙ୍କ କାମ ନା ପ୍ରଦୀପ ବିରୋଧୀ ଗୋଷ୍ଠୀ ଭିତରୁ କିଏ ଏହା ପଛରେ ଅଛି, ତାହା ସ୍ପଷ୍ଟ ହୋଇନାହିଁ। ବ୍ଲକ୍‌ ପରିସରରେ ଲାଗିଥିଲେ ହେଁ ବ୍ଲକ୍‌ ପ୍ରଶାସନ ପାଖରେ ମଧ୍ୟ ସୂଚନା ନାହିଁ।

ପ୍ରଦୀପ ଜେଲ୍ ଯିବା ପରେ ବିରୋଧୀ ଗୋଷ୍ଠୀଙ୍କ ପକ୍ଷରୁ ଗତ ଡିସେମ୍ବର ୧୯ରେ ଖଜୁରିଆରେ ବୈଠକ ହୋଇଥିଲା। ସେହିଠାରୁ ଗୋପାଳପୁର ରାଜନୀତିରେ ଏକ ନୂତନ ସମୀକରଣ ସୃଷ୍ଟି ହେଉଥିବା ଆଭାସ ମିଳିଥିଲା। କିନ୍ତୁ ଉକ୍ତ ବୈଠକରେ ମଞ୍ଚାସୀନ ନେତା ମାନେ ଏହା ପରେ ପରେ ନିଜକୁ ଗୋପାଳପୁର ଆଗାମୀ ଉତ୍ତରାଧିକାରୀ ଭାବେ ସ୍ବପ୍ନ ଦେଖିବା ଆରମ୍ଭ କରିଛନ୍ତି। ସେମାନଙ୍କ ମଧ୍ୟରୁ କେତେଜଣ ବିଧାୟକ ପ୍ରାର୍ଥୀ ଭାବେ ନିଜକୁ ଉପସ୍ଥାପିତ କରିବା ଆରମ୍ଭ କଲେଣି। ଏହା ଦ୍ବାରା କର୍ମୀଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଯୋଜନାରେ ଲାଗି ପଡ଼ିଛନ୍ତି। ଏହି କାରଣରୁ ପ୍ରଥମେ ମେଳି ବାନ୍ଧିଥିବା ବିଧାୟକ ବିରୋଧୀ ଗୋଷ୍ଠୀ ମଧ୍ୟରେ ମତ ପାର୍ଥକ୍ୟ ଦେଖା ଦେଇଥିଲା। ଏହାର ପ୍ରଭାବ ଗତ ଡିସେମ୍ବର ୨୬ ତାରିଖରେ ଗୋପାଳପୁରରେ ଅନୁଷ୍ଠିତ ବିଜେଡି ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମରେ କେବଳ ଆଶାୟୀ ପ୍ରାର୍ଥୀ ମାନେ ନିଜର ସମର୍ଥକଙ୍କ ସହ ଉପସ୍ଥିତ ଥିବା ବେଳେ ଅନେକ ସରପଞ୍ଚ ଓ ସମିତି ସଭ୍ୟ ଓ ବହୁ ପୁରୁଖା ବିଜେଡି କର୍ମୀ, ସଂଗଠକ ଅନୁପସ୍ଥିତ ଥିଲେ। ସେହିପରି ଗତ ୩୦ ତାରିଖରେ କନିଷି ହାଟରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମରେ କେବଳ କେତେକ ହାତଗଣତି ନେତାଙ୍କ ଦେଖା ମିଳିଥିଲା।

ଏ ଘଟଣାରୁ ଗୋପାଳପୁର ରାଜନୀତିରେ ବିଜେଡି ମଙ୍ଗ ଧରିବାକୁ ନେଇ ଆଶାୟୀଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ଜୋର୍‌ ଧରିଛି। ଏଥି ସହ ବ୍ରହ୍ମପୁର ଅଞ୍ଚଳର ଜନୈକା ବିଜେଡି ନେତ୍ରୀ ଗତ ୩୦ ତାରିଖ ଦିନ ରଙ୍ଗେଇଲୁଣ୍ଡା ବ୍ଲକ୍‌ର କିଛି ପଞ୍ଚାୟତର ସମିତି ସଭ୍ୟଙ୍କୁ ସାଥିରେ ନେଇ ଦଳର ତୁଙ୍ଗ ନେତାଙ୍କୁ ଭେଟିବା ଘଟଣା ଏବେ ଏଠାକାର ରାଜନୈତିକ ବାତାବରଣକୁ ଆହୁରି ଉଷ୍ମ କରିଦେଇଛି। ଏହି ଘଟଣା ପରେ ବ୍ଲକ୍‌ର ଜଣେ ଆଗଧାଡ଼ିର ନିର୍ବାଚିତ ପ୍ରତିନିଧିଙ୍କ ପକ୍ଷରୁ ଭୁବନେଶ୍ବର ଯାଇଥିବା ସମିତି ସଭ୍ୟଙ୍କ ବିଲ୍‌ ଗୁଡ଼ିକୁ ପାସ୍‌ ନ କରିବାକୁ ବ୍ଲକ୍‌ କର୍ମଚାରୀଙ୍କ ଉପରେ ଚାପ ପକାଇଥିବା ଆଲୋଚନା ମଧ୍ୟ ଜୋର୍‌ ଧରିଛି।

ସମ୍ବନ୍ଧିତ ଖବର