ନବରଙ୍ଗପୁର: ଝରିଗାଁ ବ୍ଲକ୍‌ରେ ପ୍ରଦୀପ ମାଝୀଙ୍କ ସମର୍ଥକଙ୍କୁ ବିଜେଡିରେ ଅଣଦେଖା କରାଯାଉଥିବା ଚର୍ଚ୍ଚା ହେଉଥିଲା। ଏବେ ସାମ୍ନାକୁ ଆସିଥିବା ବେଳେ ତାଙ୍କ ଭାଇ ତଥା ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରସନ୍ନ ମାଝୀ ସ୍ବୀକାର କରିଛନ୍ତି। ଏପରିକି ନିଜ ମନର କଥାକୁ ସେ ଫେସ୍‌ବୁକ୍‌ ମଧ୍ୟମରେ ପ୍ରକାଶ କରିଥିଲେ। ଯଦିଓ କିଛି ସମୟ ପରେ ପୋଷ୍ଟକୁ ହଟାଇ ଦେଇଥିଲେ, ସେତେବେଳକୁ ସ୍କ୍ରିନସଟ୍‌ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଥିଲା। ମୋବାଇଲ୍‌ରୁ ମୋବାଇଲ୍‌ ଘୂରି ବୁଲୁଥିବା ସ୍କ୍ରିନସଟ୍‌ରେ ବିଜେଡି ତାଙ୍କୁ ଗ୍ରହଣ କରୁନଥିବା ପ୍ରସନ୍ନ ଉଲ୍ଲେଖ କରିଛନ୍ତି। କେଉଁ ଦଳକୁ ଗଲେ ସମ୍ମାନର ସହ ସାଧାରଣ ଲୋକ ଏବଂ ସଂଗଠନ ପାଇଁ କାମ କରିବେ ବୋଲି ନିଜ ସମର୍ଥକଙ୍କ ମତାମତ ଲୋଡ଼ିଛନ୍ତି। ପୋଷ୍ଟ କରିବାର କିଛି ମିନିଟ୍‌ ମଧ୍ୟରେ ପ୍ରାୟ ୧୯ଜଣ ମତ ଦେଇଥିଲେ।

Advertisment

ପୂର୍ବତନ ସାଂସଦ ପ୍ରଦୀପ ମାଝୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହୋଇଥିଲେ। ଏହାରି ମଧ୍ୟରେ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ କିଛି ବ୍ଲକରେ ପ୍ରଦୀପଙ୍କ ସମର୍ଥକଙ୍କୁ ପୁରୁଣା ବିଜେଡି କର୍ମୀ ସହଜରେ ଗ୍ରହଣ କରୁନଥିବା ଚର୍ଚ୍ଚା ହେଉଥିଲା। ବିଶେଷ କରି ଝରିଗାଁ ବ୍ଲକ୍‌ରେ ବିଜେଡି କର୍ମୀ ଆଦୌ ସହଜ ଅନୁଭବ କରୁନାହାନ୍ତି ବୋଲି ଦଳ ଭିତରେ ହିଁ ଆଲୋଚନା ହେଉଥିଲା। ଗତକାଲିର ପୋଷ୍ଟ ପରେ ବିଜେଡିରେ କଂପନ ସୃଷ୍ଟି ହୋଇଛି। ଉକ୍ତ ପୋଷ୍ଟ ସମ୍ପର୍କରେ ପ୍ରସନ୍ନଙ୍କୁ ଯୋଗାଯୋଗ କରିବାରୁ ସେ କହିଥିଲେ ତାଙ୍କ ଭାଇ ପ୍ରଦୀପ ବିଜେଡିରେ ପ୍ରାୟ ୧୫ହଜାର ସମର୍ଥକଙ୍କ ସହ ସାମିଲ ହୋଇଥିଲେ। ସେ ନିଜେ ମଧ୍ୟ ସେହି ସମୟରେ ବିଜେଡିରେ ମିଶିଥିଲେ। ସମସ୍ତଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରି ସଂଗଠନକୁ ବଢ଼ାଇବା ପାଇଁ ସେତେବେଳେ କୁହାଯାଉଥିଲା। ତେବେ ଝରିଗାଁ ବ୍ଲକରେ ତାଙ୍କ ସମର୍ଥକଙ୍କୁ ଅଣଦେଖା କରାଯାଉଛି। କୌଣସି ଦଳୀୟ କାର୍ଯ୍ୟକ୍ରମରେ ସାମିଲ କରାଯାଉନି। ସମସ୍ତ ସମର୍ଥକ ଅସହାୟ ‌ମନେ କରୁଛନ୍ତି। ଏହା କହିବା ମଧ୍ୟରେ ପ୍ରସନ୍ନ ବିଜେଡିର ଜଣେ ବିଧାୟକଙ୍କ ଉପରେ ପରୋକ୍ଷରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ପୂର୍ବରୁ ପ୍ରସନ୍ନ କଂଗ୍ରେସ‌ରେ ଥିବାବେଳେ ୨୦୦୨ରୁ ୨୦୦୭, ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଝରିଗାଁ ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ବର୍ତ୍ତମାନ କଟ୍ରିଛାପର ପଞ୍ଚାୟତ ସମିତି ସଭ୍ୟ ଏବଂ ଜିଲ୍ଲା ସମିତି ସଭ୍ୟ ସଂଘ ସଭାପତି ଅଛନ୍ତି।