ବିଜେଡି ରାଜନୀତିରେ ପ୍ରଦୀପଙ୍କ ଉତ୍‌ଥାନ-ପତନ : ମୁଖ୍ୟମନ୍ତ୍ରୀଙ୍କ ବିଶ୍ୱାସ ହରାଇଲେ କାହିଁକି?

ଟାଟା ଆନ୍ଦୋଳନରୁ ରାଜନୀତିକୁ ଆସିଥିଲେ
ଏବେ ଟାଟା ନାଁରେ ଭାବି ଜ୍ୱାଇଁଙ୍କ ଠକେଇ ପଡ଼ିଲା ମହଙ୍ଗା

ବ୍ରହ୍ମପୁର : ପ୍ରଦୀପ ପାଣିଗ୍ରାହୀଙ୍କ ରାଜନୈତିକ ପରିଚୟ ଆରମ୍ଭ ହୋଇଥିଲା ମୁଖ୍ୟମନ୍ତ୍ରୀଙ୍କ ପାଖରୁ। ସେ ମୁଖମନ୍ତ୍ରୀ ପ୍ରତିନିଧି ରହି ଜିଲ୍ଲାରେ ବେଶ୍‌ ପ୍ରଭାବ ବିସ୍ତାର କରିଥିଲେ। ପରବର୍ତ୍ତୀ ସମୟରେ ଶ୍ରୀ ପାଣିଗ୍ରାହୀଙ୍କ ସା˚ଗଠନିକ ଦକ୍ଷତାରେ ଖୁସି ହୋଇ ମୁଖ୍ୟମନ୍ତ୍ରୀ ତାଙ୍କୁ ପ୍ରତ୍ୟକ୍ଷ ରାଜନୀତିକୁ ଆଣିଥିଲେ। ସେବେଠାରୁ ସେ ବିଧାୟକ, ମନ୍ତ୍ରୀ ଓ ଦଳର ଜିଲ୍ଲା ସଭାପତି ଭଳି ବହୁ ଗୁରୁତ୍ବପୂର୍ଣ୍ଣ ପଦବି ମଣ୍ତନ କରିଥିଲେ। ତେବେ ମୁଖ୍ୟମନ୍ତ୍ରୀଙ୍କ ନିକଟତର ଭାବେ ଜଣାଶୁଣା ଶ୍ରୀ ପ୍ରାଣିଗ୍ରାହୀ କେଉଁ ପରିସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ବିଶ୍ବାସ ହରାଇଲେ ତାହା ଏବେ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି କରିଛି।

୧୯୮୭ ମସିହାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ର ସ˚ସଦର ସଭାପତି ହୋଇଥିଲେ ପ୍ରଦୀପ ପାଣିଗ୍ରାହୀ। ଛାତ୍ର ରାଜନୀତିରୁ ଆରମ୍ଭ ହୋଇଥିଲା ପ୍ରଦୀପ ପାଣିଗ୍ରାହୀଙ୍କ ରାଜନୈତିକ ଜୀବନ। ୧୯୯୫ ମସିହା ଗୋପାଳପୁରଠାରେ ଟାଟା ଷ୍ଟିଲ୍‌ ସ୍ଥାପନର ପ୍ରକ୍ରିୟା ଆରମ୍ଭ ହୋଇଥିଲା। ୧୯୯୭ରେ ଟାଟା ବିରୋଧୀ ଆନ୍ଦୋଳନ ଜୋର ଧରିଥିବାବେଳେ ଜଣେ ଟାଟା ସପକ୍ଷବାଦୀ ଭା‌ବେ ପ୍ରଦୀପ ପ୍ରଶାସକଙ୍କ ଦୃଷ୍ଟିକୁ ଆସିଥିଲେ। ତତ୍କାଳୀନ ଗଞ୍ଜାମ ଜିଲ୍ଲାର ଜଣେ ଜିଲ୍ଲାପାଳ ତାଙ୍କୁ ସକ୍ରିୟ ରାଜନୀତିକୁ ଆଣିବାରେ ସହାୟକ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ଏହି ଆଇଏଏସ୍‌ ଅଫିସର ଜଣଙ୍କ ପ୍ରଦୀପଙ୍କ ସହ ଭେଟ କରାଇଥିଲେ। ସେହି ଦିନଠାରୁ ଜାନକୀ ବାବୁଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରହି କାର୍ଯ୍ୟ କରି ଆସୁଥିଲେ। ତେବେ ୨୦୦୦ ମସିହାରେ କ˚ଗ୍ରେସର ବିପର୍ଯ୍ୟୟ ଆରମ୍ଭ ହୋଇଥିଲା। ଏହି ସମୟରେ ଉକ୍ତ ଆଇଏଏସ୍‌ ଅଧିକାରୀ ହିଁ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଶ୍ରୀ ପାଣିଗ୍ରାହୀଙ୍କୁ ସାକ୍ଷାତ କରାଇଥିଲେ। ଆଉ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ନିର୍ବାଚନ ମଣ୍ତଳୀର ପ୍ରତିନିଧି ଭାବେ ପ୍ରଦୀପ କାର୍ଯ୍ୟ କରି ଜିଲ୍ଲା ରାଜନୀତିରେ ନିଜ ପ୍ରଭାବ ବିସ୍ତାର କରିଥିଲେ। ୨୦୦୯ ମସିହା ସାଧାରଣ ନିର୍ବାଚନରେ ଦଳ ତାଙ୍କୁ ଗୋପାଳପୁର ବିଧାନସଭା ନିର୍ବାଚନମଣ୍ତଳୀରୁ ଟିକେଟ ଦେଇଥିଲା। ସେ ନିର୍ବାଚନ ଜିତି ବିଧାୟକ ହୋଇଥିଲେ। ଏହାପରେ ୨୦୧୪ରେ ପୁଣି ବିଧାୟକ ହୋଇ ଉଚ୍ଚଶିକ୍ଷା ମନ୍ତ୍ରୀ ମଧ୍ୟ ହୋଇଥିଲେ। କିନ୍ତୁ କୌଣସି ଅଜ୍ଞାତ କାରଣ ଲାଗି ତାଙ୍କୁ ଅଧାରୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ମୁଖ୍ୟମନ୍ତ୍ରୀଙ୍କ ଅତି ନିକଟତର ହୋଇଥିବା ଡ. ପ୍ରାଣିଗ୍ରାହୀ ୨୦୧୮ରେ ବିଜୁ ଜନତା ଦଳର ଗଞ୍ଜାମ ଜିଲ୍ଲା ସଭାପତି ରହିବା ସହିତ ଗଜପତି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ତୁଲାଇଥିଲେ।

୨୦୧୯ ସାଧାରଣ ନିର୍ବାଚନରେ ମଧ୍ୟ ପ୍ରଦୀପଙ୍କୁ ଗୁରୁ ଦାୟିତ୍ବ ଦିଆଯାଇଥିଲା। ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ଆସନରୁ କେବଳ ସାନଖେମୁଣ୍ତି ଆସନକୁ ଛାଡ଼ି ବାକି ୧୨ଟି ଯାକ ଆସନ ବିଜେଡି ଜିତିଥିଲା। ଗଜପତି ଜିଲ୍ଲାର ମୋହନା ଓ ପରାଳାଖେମୁଣ୍ତି ଆସନକୁ ମିଶାଇଲେ ଅବିଭକ୍ତ ଗଞ୍ଜାମ ଜିଲ୍ଳାର ୧୫ଟି ଆସନରୁ ବିଜେଡି ୩ଟି ଆସନ ହରାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରଦୀପ ନିଜ ନିର୍ବାଚନମଣ୍ତଳୀରେ କଡ଼ା ମୁକାବିଲାର ସମ୍ମୁଖୀନ ହୋଇଥିଲେ। କମ୍‌ ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ। ଏହାକୁ ନେଇ ଦଳ କିଛି ମାତ୍ରରେ ପ୍ରଦୀପଙ୍କ ଉପରେ ଅସନ୍ତୁଷ୍ଟ ଥିଲା। ନିର୍ବାଚନ ପରବର୍ତ୍ତୀ ସମୟରେ ମଧ୍ୟ ଶ୍ରୀ ପାଣିଗ୍ରାହୀ ନିଜ ନିର୍ବାଚନ ମଣ୍ତଳୀରେ କଡ଼ା ବିରୋଧରେ ସମ୍ମୁଖୀନ ହୋଇଥିଲେ। ରଙ୍ଗେଇଲୁଣ୍ତା ବ୍ଲକ୍‌ ବିଜେଡିର ନେତୃବୃନ୍ଦ ବିଧାୟକ ପ୍ରଦୀପଙ୍କ ବିରୋଧରେ ‘ଯୁଦ୍ଧଂ ଦେହୀ’ ଡାକରା ଦେଇଥିଲେ। ଏହି କଥା ଦଳର ସୁପ୍ରିମୋଙ୍କ ପର୍ଯ୍ୟନ୍ତ ଯାଇଥିଲା। ସମାଧାନ ଲାଗି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। କିନ୍ତୁ ସମାଧନ ପନ୍ଥା ବାହାରି ନ ଥିଲା। ଏବେ ଯାଏ ଅସନ୍ତୋଷ କୁହୁଳୁଥିଲା। ଏହାର ପ୍ରମୁଖ କାରଣ ଥିଲା ବିଧାୟକଙ୍କ ଅହ˚କାର ଓ ବ୍ୟବହାର। ଗତ ଜାନୁଆରି ମାସରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲାର ଜିଲ୍ଲା ପରିଷଦ ବୈଠକରେ ମଧ୍ୟ ଶ୍ରୀ ପାଣିଗ୍ରାହୀ ସିଧାସଳଖ ଜିଲ୍ଲା ପ୍ରଶାସନକୁ ଟାର୍ଗେଟ କରି ଚକ୍ଷୁଶୀଳ ହୋଇଥିଲେ। ଏହାପରେ ପରେ ସେ ଦଳରୁ ଏକରକମର କୋଣଠେସା ହୋଇ ଯାଇଥିଲେ। ଦଳର ଜିଲ୍ଲା ସଭାପତି ଏବ˚ ଗଜପତି ପର୍ଯ୍ୟବେକ୍ଷକ ଦାୟିତ୍ବରୁ ତାଙ୍କୁ ଅବ୍ୟାହତି ଦିଆଯାଇଥିଲା। ଏହାପରେ ସରକାରୀ ଓ ରାଜନୈତିକ କାର୍ଯ୍ୟକ୍ରମଗୁଡ଼ିକରେ ପ୍ରାୟତଃ ଶ୍ରୀ ପାଣିଗ୍ରାହୀଙ୍କୁ ଦେଖିବାକୁ ମିଳି ନ ଥିଲା। ମାର୍ଚ୍ଚ ପରଠାରୁ ଗଞ୍ଜାମ ଜିଲ୍ଲାରେ କରୋନା ବିପତ୍ତି ଆରମ୍ଭ ହେବା ପରେ ଜିଲ୍ଲାରେ କୋଭିଡ଼୍ ପରିଚାଳନା ଉପରେ ଅଙ୍ଗୁଳି ଉଠାଇ ଶ୍ରୀ ପାଣିଗ୍ରାହୀ ଗତ ମେ’ ୧୫ତାରିଖରେ ମୁଖ୍ୟମନ୍ତ୍ରୀଙ୍କୁ ଦୁଇଟି ଚିଠି ଲେଖିଥିଲେ। ଏହି ସବୁ କାରଣରୁ ସେ ଦଳ ତଥା ସୁପ୍ରିମୋଙ୍କ ଅସ୍ଥା ହରାଇଥିଲେ ବୋଲି କୁହାଯାଉଛି।

ଏହା ପରଠାରୁ ଜିଲ୍ଲାରେ ହୋଇଥିବା ବିଭିନ୍ନ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରୁ ତାଙ୍କୁ ଦୂରେଇ ରଖାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ କୋଭିଡ଼୍ କର୍ମଶାଳା, ଅଶ୍ବିନୀ କୋଭିଡ଼୍ ହସ୍ପିଟାଲ ଉଦ୍‌ଘାଟନ, ଲାଞ୍ଜିପଲ୍ଲୀ ଓଭରବ୍ରିଜର ଉଦ୍‌ଘାଟନ, ହଳଦିଆପଦର ବସଷ୍ଟାଣ୍ତରେ ଆୟୋଜିତ ‘ଓଡ଼ିଶା ମୋ ପରିବାର’ କାର୍ଯ୍ୟକ୍ରମ ଆଦିକୁ ମଧ୍ୟ ଶ୍ରୀ ପାଣିଗ୍ରାହୀଙ୍କୁ ଡକା ଯାଇନଥିଲା। ଏମିତି ସମୟରେ ଭିଜିଲାନ୍ସ ରାଜ୍ୟ ତଥା ରାଜ୍ୟ ବାହାରେ ୧୨ଟି ସ୍ଥାନରେ ଚଢ଼ଉ କରି ଆଇଏଫ୍ଏ‌ସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ କଳା କାରନାମା ସାମ୍ନାକୁ ଆଣିଥିଲା। ଅଭୟଙ୍କ ପୁଅ ଆକାଶଙ୍କ ସହିତ ଶ୍ରୀ ପାଣିଗ୍ରାହୀଙ୍କ ଝିଅର ବାହାଘର ହେବାକୁ ଯାଉଥିବା ବିଷୟ ଜଣାପଡ଼ିଥିଲା। ତେବେ ଆକାଶ ନିଜକୁ ଟାଟା ମୋଟର୍ସର ଏମ୍‌ଡି ବୋଲି ଦର୍ଶାଇ ଗୋପାଳପୁର ଅଞ୍ଚଳର ଟାଟା ବିସ୍ଥାପିତ ଯୁବତ ଯୁବତୀଙ୍କୁ ଚାକିରି ଦେବାକୁ କହି ବିପୁଳ ଅର୍ଥ ନେଇଛନ୍ତି ବୋଲି ଅଭିଯୋଗ ଆସିବାରୁ ଏହି ଲିଙ୍କ୍‌ରେ ବି ଶ୍ରୀ ପାଣିଗ୍ରାହୀ ଯୋଡ଼ି ହୋଇ ଯାଇଥିଲେ। ଶ୍ରୀ ପାଣିଗ୍ରାହୀଙ୍କ ପୃଷ୍ଠପୋଷକତାରେ ଭାବି ଜ୍ବାଇଁ ଆକାଶ ନିରୀହ ଲୋକଙ୍କୁ ଠକିଥିବା ଅଭିଯୋଗ ଆସିବା ପରେ ବିଜେଡି ସୁପ୍ରିମୋ ବିଧାୟକ ଶ୍ରୀ ପାଣିଗ୍ରାହୀଙ୍କ ଦଳରୁ ବହିଷ୍କାର କରିଛନ୍ତି। ମୋଟାମୋଟି ଭାବେ କହିବାକୁ ଗଲେ ଟାଟା ବିସ୍ଥାପିତ ଆନ୍ଦୋଳନରୁ ନେତା ପାଲଟିଯାଇଥିବା ଶ୍ରୀ ପାଣିଗ୍ରାହୀ ଶେଷରେ ଟାଟାକୁ କେନ୍ଦ୍ର କରି ପତନ ଆଡ଼କୁ ମୁହାଁଇଥିବା କୁହାଯାଉଛି।

ସମ୍ବନ୍ଧିତ ଖବର