ପ୍ରଦେଶ ଛାତ୍ର କଂଗ୍ରେସର କାର୍ଯ୍ୟକାରିଣୀ ବୈଠକ: ଛାତ୍ର ସଂସଦ ନିର୍ବାଚନ ହେଉ ନ ଥିବା ପ୍ରସଙ୍ଗରେ ନିନ୍ଦା ପ୍ରସ୍ତାବ

ଭୁବନେଶ୍ବର : ପ୍ରଦେଶ ଛାତ୍ର କଂଗ୍ରେସର ପକ୍ଷରୁ ଆଜି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା। ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ସରକାରୀ କଲେଜ ଓ ବିଶ୍ବବିଦ୍ୟାଳୟରେ ଗତ ୪ବର୍ଷ ଧରି ଛାତ୍ର ସଂସଦ ନିର୍ବାଚନ ହେଉ ନ ଥିବା ପ୍ରସଙ୍ଗରେ ନିନ୍ଦା ପ୍ରସ୍ତାବ ଅଣାଯାଇଥିଲା। ଶାସକ ବିଜେଡିର ଗଣତନ୍ତ୍ର ବିରୋଧୀ କାର୍ଯ୍ୟ ସଂପର୍କରେ ସମସ୍ତ ଶିକ୍ଷାନୁଷ୍ଠାନରେ ସଚେତନତା ସୃଷ୍ଟି କରିବା ଲାଗି ନିଷ୍ପତ୍ତି ହୋଇଛି। ଏହାସହ ରାଜ୍ୟର ବନ୍ୟା ପ୍ରଭାବିତ ଜିଲ୍ଲାମାନଙ୍କରେ ସ୍କୁଲଠାରୁ ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନରେ ଫି’ ଛାଡ଼ ପାଇଁ ମଧ୍ୟ ଦାବି କରାଯାଇଛି।

ଏହି ଅବସରରେ ଶ୍ରୀ ନୱାଜ କହିଥିଲେ ଯେ ଶିକ୍ଷାନୁଷ୍ଠାନ ସମ୍ମୁଖରେ ଛାତ୍ର ସଂସଦ ନିର୍ବାଚନ ଦାବି କରିବା ସହ ୨୨ବର୍ଷର ବିଜେଡି ସରକାର ପକ୍ଷରୁ ଛାତ୍ର ସମାଜ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିବାଦ କରାଯିବ। ଆସନ୍ତା ୩ମାସ ମଧ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦, ଦିବ୍ୟାଙ୍ଗ ଓ ଖେଳ ସାର୍ଟିଫିକେଟ୍ ଜାଲ କରି ନାମ ଲେଖା, କଲେଜ ପାଣ୍ଠିର ଅପବ୍ୟବହାର, କଲେଜ ଫି’ ବୃଦ୍ଧି, କ୍ୟାମ୍ପସ ରୢାଗିଂ, ନିଶାମୁକ୍ତ କ୍ୟାମ୍ପସ୍ ଓ ଖାଲି ପଡ଼ିଥିବା ପଦବି ପୂରଣ ପାଇଁ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ହେବ। ଜିଲ୍ଲା କମିଟି/ବିଧାନସଭା ନିର୍ବାଚନ ମଣ୍ଡଳୀ କମିଟି କ୍ୟାମ୍ପସ କାର୍ଯ୍ୟକ୍ରମ ସହିତ ‘ଛାତ୍ର ଯୋଡ଼, ଭାରତ ଯୋଡ଼’ କାର୍ଯ୍ୟକ୍ରମ ହେବ। ଏଥିରେ ଅତିକମ୍‌ରେ ୫ କି.ମି ପଦଯାତ୍ରା ହେବ ବୋଲି ସେ ସୂଚନା ଦେଇଛନ୍ତି।

ରାଷ୍ଟ୍ରୀୟ ଛାତ୍ର କଂଗ୍ରେସର ସଂପାଦିକା ତଥା ଓଡ଼ିଶା ପ୍ରଭାରୀ ଅନୁଲେଖା ବୋଷା କହିଲେ, ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ରାଜ୍ୟର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟମାନଙ୍କରେ କ୍ୟାମ୍ପସ୍ କମିଟି ଗଠନ କରାଯିବ। ୨ମାସ ପୂର୍ବରୁ ଏହି କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୦ଦିନ ଭିତରେ ଏହାକୁ ଶେଷ କରିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏହାସହ ସମସ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ‘ଛାତ୍ର ଯୋଡ଼, ଭାରତ ଯୋଡ଼’ କାର୍ଯ୍ୟକ୍ରମ ଆୟୋଜିତ ହେବ ସେ କହିଥିଲେ। ଏହି ବୈଠକରେ ସାଂସଦ ନିରଜ ଡାଙ୍ଗି, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଗଣେଶ୍ବର ବେହେରା, ଦେବାଶିଷ ପଟ୍ଟନାୟକ, ପଞ୍ଚାନନ କାନୁନ୍‌ଗୋ, ଲଲାଟେନ୍ଦୁ ମହାପାତ୍ର, ବିଭୁତି ମିଶ୍ର, ପ୍ରକାଶ, ନିହାର ବେହେରା, ସୁନିଲ ମାଟିଆ, ମହମ୍ମଦ ଗୁଲଫାମ, କାର୍ତିକେଶ୍ବର କାଣ୍ଡି, ବିଶ୍ବଭୂଷଣ ମହାପାତ୍ର, ସାଗର ପଟ୍ଟନାୟକ ଓ ଅନ୍ୟମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର