ଭୁବନେଶ୍ବର : ଅଗଷ୍ଟ ୯ ତାରିଖ କ୍ରାନ୍ତି ଦିବସ ଉପଲକ୍ଷେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସ୍ବାଧୀନତା ସଂଗ୍ରାମର ବରପୁତ୍ରମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ସାମାଜିକ ଦୂରତା ନିୟମ ଅନୁପାଳନ କରିବା ପୂର୍ବକ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ପୂର୍ବାହ୍ନରେ ରାଜ୍ୟ ସଂଗ୍ରହାଳୟ ଛକ ସ୍ଥିତ ସହିଦ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ ପରେ କଂଗ୍ରେସ ଭବନରେ ଥିବା ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରଯାଇଛି।

Advertisment

ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଥିଲେ, ଦେଶର ସ୍ବାଧୀନତା ପାଇଁ ଆଜିର ଦିନରେ ଭାରତ ଛାଡ଼ ଆନ୍ଦୋଳନର ଡାକରା ଦିଆଯାଇଥିଲା। କଂଗ୍ରେସର ପ୍ରତିଷ୍ଠାତାମାନେ ଦେଶକୁ ବ୍ରିଟିଶ କବଳରୁ ମୁକ୍ତ କରିବା ପାଇଁ ଚରମବାଣୀ ଶୁଣାଇଥିଲେ। ଗାନ୍ଧିଜୀଙ୍କ ଆହ୍ବାନରେ ହୋଇଥିବା ଭାରତ ଛାଡ଼ ଆନ୍ଦୋଳନକୁ କ୍ରାନ୍ତି ଦିବସର ମାନ୍ୟତା ଦିଆଯାଇଛି। ଏହି ଦିନଠାରୁ ସାରା ଦେଶରେ ସ୍ବାଧୀନତା ବହ୍ନି ଏତେ ପ୍ରଚଣ୍ଡ ରୂପ ନେଇଥିଲା ଯେ, ୧୯୪୭ ଅଗଷ୍ଟ ୧୫ ତାରିଖରେ ଭାରତ ସ୍ବାଧୀନତା ଲାଭ କରିଥିଲା।

ଏହି କାର୍ଯ୍ୟକର୍ମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ବିଧାୟକ ସୁରେଶ କୁମାର ରାଉତରାୟ, କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ, ଶିବାନନ୍ଦ ରାୟ, ଜାନକୀବଲ୍ଲଭ ପଟ୍ଟନାୟକ, ମନୋରଞ୍ଜନ ଦାଶ, ରଶ୍ମି ମହାପାତ୍ର, ହଳଧର ସେଠୀ, କିଶୋର ଜେନା, ସୁଦର୍ଶନ ଦାସ, ଅଭୟ ବଡ଼ଜେନା ପ୍ରମୁଖ ଉପସ୍ଥିତ ଥିଲେ।