ଭୁବନେଶ୍ବର: ଓଡ଼ିଶାରୁ ଆରମ୍ଭ ହୋଇଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁବନେଶ୍ବର ଗାଡ଼କଣ ଗାଁ ଶବରସାହିରୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକ ଓ ଯହଜା ନାୟକଙ୍କୁ ଚାବି ଦେଇ ଗୃହପ୍ରବେଶ କରାଇବା ସହ ସେଠାରେ ସମୟ ବିତାଇଛନ୍ତି। ଏଥିସହ ଶବରସାହିର ୩୬ଜଣ ହିତାଧିକାରୀଙ୍କ ଭଲ ମନ୍ଦ ବୁଝିବା ସହ କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନା ସମ୍ପର୍କରେ ଜଣ ଜଣଙ୍କଠାରୁ ପଚାରି ବୁଝିଛନ୍ତି। ଗାଡ଼କଣ ଗାଁରେ ଆଜି ନିଜର ଜନ୍ମଦିନ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ। ଲୋକଙ୍କ ସହ ମିଶି ଚା’, ବିସ୍କୁଟ ଖାଇଛନ୍ତି। ହିତାଧିକାରୀଙ୍କ ହାତ ତିଆରି ଖିରି ଖାଇଛନ୍ତି। ଗାଁ ପରିବେଶରେ ଲୋକଙ୍କ ସହ ଜନ୍ମଦିନ ପାଳିବା ସହ ପାଖାପାଖି ୫୦ ମିନିଟ୍ ସମୟ ଅତିବାହିତ କରିଛନ୍ତି।
ଶବରସାହିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଶୁଭାରମ୍ଭ ପରେ ଜନତା ମଇଦାନଠାରେ ଆୟୋଜିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗଦେଇଥିଲେ। ସେଠାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇ ସେ କହିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭାରତରେ ମହିଳା ସଶକ୍ତୀକରଣର ପ୍ରତିଫଳନ। ସମ୍ପତ୍ତି ଏବେ ମହିଳାଙ୍କ ନାମରେ ପଞ୍ଚିକୃତ ହେଉଛି। ଆଜି ଦେଶରେ ପ୍ରାୟ ୩୦ ଲକ୍ଷ ପରିବାର ଗୃହପ୍ରବେଶ କରିଛନ୍ତି। ୧୫ ଲକ୍ଷ ନୂଆ ହିତାଧିକାରୀଙ୍କୁ ଅନୁମୋଦନପତ୍ର ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ୧୦୦ ଦିନର ସମୟ ମଧ୍ୟରେ ୧୦ ଲକ୍ଷରୁ ଅଧିକ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଅର୍ଥ ହସ୍ତାନ୍ତର ହୋଇଛି। ଓଡ଼ିଶାର ପବିତ୍ର ଭୂମିରୁ ଏହି ଶୁଭ କାର୍ଯ୍ୟ ଆରମ୍ଭ କରିଛୁ। ଏଠାକାର ବହୁ ସଂଖ୍ୟାରେ ଗରିବ ପରିବାର ମଧ୍ୟ ସାମିଲ ହୋଇଛନ୍ତି। ସ୍ଥାୟୀ ଘର ପାଇଥିବା ଲକ୍ଷ ଲକ୍ଷ ପରିବାର ପାଇଁ ଜୀବନର ଏକ ନୂଆ ଆରମ୍ଭ ହେଉଛି।
ଗାଡ଼କଣ ଗାଁରେ ପାଳିଲେ ଜନ୍ମଦିନ
ହିତାଧିକାରୀଙ୍କ ଘରେ ଖିରି ଖାଇଲେ, ଚା ପିଇଲେ
ଦେଶରେ ୩୦ ଲକ୍ଷ ପରିବାରଙ୍କ ଗୃହ ପ୍ରବେଶ
୧୦୦ ଦିନରେ ୧୦ ଲକ୍ଷଙ୍କ ଆକାଉଣ୍ଟକୁ ଅର୍ଥ ହସ୍ତାନ୍ତର
ଆଦିବାସୀ ପରିବାରର ଗୃହପ୍ରବେଶର ଅନୁଭୂତି ସମ୍ପର୍କରେ ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ କହିଲେ, ଆବାସ ଯୋଜନାରେ ପକ୍କାଘର ପାଇବା ପରେ ସେମାନଙ୍କ ଖୁସି ଓ ମୁହଁରେ ଥିବା ସନ୍ତୋଷକୁ କେବେ ଭୁଲିପାରିବି ନାହିଁ। ଏହି ଅନୁଭୂତି ଓ ଅନୁଭବ ମୋ ସମଗ୍ର ଜୀବନର ସମ୍ପତ୍ତିଠାରୁ ମୂଲ୍ୟବାନ। ଗରିବ, ଦଳିତ, ବଞ୍ଚିତ ଓ ଆଦିବାସୀ ସମାଜର ଜୀବନରେ ପରିବର୍ତ୍ତନ ଆସିବା ଫଳରେ ଏହି ଖୁସି ମୋତେ ଅଧିକ ପରିଶ୍ରମ କରିବାକୁ ଶକ୍ତି ଦେଇଛି। ‘ଏକ୍ସ’ ହ୍ୟାଣ୍ଡଲରେ ସେ ଉଲ୍ଲେଖ କରିଛନ୍ତି ଯେ ଭୁବନେଶ୍ୱରରେ ପହଞ୍ଚିବା ପରେ ଅନ୍ତର୍ଯ୍ୟାମୀ ନାୟକ ଓ ଯହଜା ନାୟକଙ୍କ ଘରକୁ ଯାଇଥିଲି। ସେମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଉପକୃତ ହୋଇଛନ୍ତି। ଗର୍ବିତ ଘର ମାଲିକ ଅଟନ୍ତି। ନାତି ସୌମ୍ୟଜିତଙ୍କ ସମେତ ସେମାନଙ୍କ ପରିବାରକୁ ଭେଟିଥିଲି। ନାୟକ ପରିବାର ମଧ୍ୟ ସ୍ୱାଦିଷ୍ଟ କ୍ଷିରି ପରିବେଷଣ କରିଥିଲେ। ଚା’ ପିଇବା ସହ ଆନନ୍ଦଦାୟକ ବାର୍ତ୍ତାଳାପ ହୋଇଥିଲା। ପିଏମ୍ ଆବାସ ଯୋଜନାର ହିତାଧିକାରୀଙ୍କ ସହ ବସି ସେମାନଙ୍କ ଜୀବନ ଯାତ୍ରା ବିଷୟରେ ଶୁଣିଲି। ବହୁ ସଂଖ୍ୟକ ମହିଳା ଏହି ଯୋଜନାରେ ଉପକୃତ ହେଉଥିବା ଦେଖି ଖୁସି ଲାଗୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/Xb1uKqbrbx6gvy9fZ2MI.png)