ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା: କେବଳ ଖାତାରେ କ୍ଷେତ ପୋଖରୀ!

ଯାଜପୁର/କୋରେଇ : ମୃର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ବିଭାଗ ଦ୍ବାରା ଚାଷୀଙ୍କ କ୍ଷେତକୁ ଜଳସେଚନ ପାଇଁ ହୋଇଥିବା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା(ପିଏମ୍‌କେଏସ୍‌ୱାଇ)ରେ ବ୍ୟାପକ ଅନିୟମିତତା ହୋଇଛି। କ୍ଷେତରେ ପୋଖରୀ ନଖୋଳି ଖାତାରେ ଦର୍ଶାଇ ଅନୁଦାନ ହଡ଼ପ ହୋଇଥିବା ଅଭିଯୋଗ ଉଠିଛି। ଯାଜପୁର ଜିଲ୍ଲାର କୋରେଇ ବ୍ଲକ୍‌ରେ ୯୮ଟି ‌କ୍ଷେତ ପୋଖରୀ ଖନନ ଓ ପୁନଃଉଦ୍ଧାର ନାମରେ ୪କୋଟି ୭୪ଲକ୍ଷ ଟଙ୍କା ବ୍ୟୟ କରାଯାଇଛି। ହେଲେ ବାସ୍ତବରେ ଏତେ ସଂଖ୍ୟକ ପୋଖରୀ ନାହିଁ।

କୋରେଇ ବ୍ଲକ୍ ଅନ୍ତର୍ଗତ ଗୌରପୁର ପଞ୍ଚାୟତର ୫ଟି ଗ୍ରାମରେ ୮ଟି ନୂତନ ପୋଖରୀ ଖନନ ଏବଂ ୩ଟି ପୁନରୁଦ୍ଧାର କରାଯାଇ ୫୧ଲକ୍ଷ ୫୧ ହଜାର ୮୦୯ ଟଙ୍କା ବ୍ୟୟ କରାଯାଇଥିବା ଦର୍ଶାଯାଇଛି। କେତେକ ସ୍ଥାନରେ ପୋଖରୀ ଖନନ ନକରି କେବଳ ଫଳକ ଲଗାଇ ଅନୁଦାନ ଚଳୁ କରାଯାଇଥିବାର ଅଭିଯୋଗ ହୋଇଛି।

ଏହି ଯୋଜନାରେ ୨୦୧୭–୧୮ ଆର୍ଥିକ ବର୍ଷରେ ଗୌରପୁର ପଞ୍ଚାୟତର ମଙ୍ଗଳପୁର ଗ୍ରାମରେ ଗୋଟିଏ କ୍ଷେତ ପୋଖରୀ ଖନନ ବାବଦକୁ ୪ ଲକ୍ଷ ୪୧ ହଜାର ୬୫୮ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ସେହି ଗ୍ରାମରେ ଅନ୍ୟ ଏକ ‌କ୍ଷେତ ପୋଖରୀ ଖନନ ବାବଦକୁ ୪ ଲକ୍ଷ ୯୮ ହଜାର ୭୧୬ଟଙ୍କା ଏବଂ ପୂର୍ବରୁ ଥିବା ଯୋରା ଗଡ଼ିଆର ପୁନରୁଦ୍ଧାର ପାଇଁ ୩ ଲକ୍ଷ ୬୦ ହଜାର ୧୮୨ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ୨୦୧୯–୨୦ ଆର୍ଥିକ ବର୍ଷରେ ମଧ୍ୟ ସେହି ଗ୍ରାମରେ ଗୋଟିଏ ପ୍ରକଳ୍ପରେ ୩ ଲକ୍ଷ ୯୩ ହଜାର ୬୨୪ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଅନ୍ୟଏକ ପ୍ରକଳ୍ପ ବାବଦକୁ ୩ ଲକ୍ଷ ୯୭ ହଜାର ୯୫ ଟଙ୍କା ଖର୍ଚ୍ଚ କରାଯାଇଥିବା ଦର୍ଶଯାଇଛି। ୨୦୨୦–୨୧ରେ ସେହି ଗ୍ରାମରେ ଗୋଟିଏ ପ୍ରକଳ୍ପରେ ୪ ଲକ୍ଷ ୯୮ ହଜାର ୫୪୯ ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଅନ୍ୟଏକ ପ୍ରକଳ୍ପରେ ୨ ଲକ୍ଷ ୩୨ ହଜାର ୩୯୫ ଟଙ୍କା ଖର୍ଚ୍ଚ କରାଯାଇଛି। ସେହିପରି ତୁଳସୀପୁର ଗ୍ରାମରେ ୨୦୧୮–୧୯ରେ ପୋଖରୀ ପୁନରୁଦ୍ଧାର ନାଁରେ ଗୋଟିଏ ପ୍ରକଳ୍ପରେ ୫ ଲକ୍ଷ ୧୨ ହଜାର ୯୯୨ ଟଙ୍କା, ଅନ୍ୟଏକ ପୋଖରୀ ଖନନ ବାବଦକୁ ୨୦୧୯–୨୦ ରେ ୪ଲକ୍ଷ ୪୫ ହଜାର ୬୯ଟଙ୍କା ଏବଂ ୨୦୨୦–୨୧ରେ ୫ ଲକ୍ଷ ୮୫ ହଜାର ୯୭୫ ଟଙ୍କା ବ୍ୟୟ କରାଯାଇଛି। ୨୦୨୦–୨୧ରେ ନଟଗଡ଼ିଆ ଗ୍ରାମରେ ପୋଖରୀ ଖନନ ନାଁରେ ୭ ଲକ୍ଷ ୮୫ ହଜାର ୫୫୪ ଟଙ୍କା ବିଲ୍ କରାଯାଇଛି। ପୂର୍ବତନ ସରପଞ୍ଚ ଅଞ୍ଜନା ସାହୁଙ୍କ ସ୍ବାମୀ ରମେଶ ସାହୁ କହନ୍ତି ପଞ୍ଚାୟତର ସମସ୍ତ ପ୍ରକଳ୍ପ କରାଯାଇଛି। ତେବେ ସ୍ଥାନୀୟ ଚାଷୀ ଶରତ କୁମାର ମହାରଣା କହନ୍ତି ମଙ୍ଗଳପୁର ଗ୍ରାମରେ ଗୋଟିଏ ପୋଖରୀର ପୁନରୁଦ୍ଧାର କରାଯାଇଥିବା ବେଳେ ସୁନାମୁହିଁରେ ୨ଟି ପୋଖରୀ ଏବଂ ହାତୀସାହିରେ ଦୁଇଟି ପୋଖରୀ ଖନନ ହୋଇଛି। ଏହି ୫ଟି ପ୍ରକଳ୍ପକୁ ଛାଡ଼ିଦେଲେ ପଞ୍ଚାୟତରେ ଅନ୍ୟ କୌଣସି ପୋଖରୀ ଖୋଳାଯାଇ ନାହିଁ କିମ୍ବା ପୁନରୁଦ୍ଧାର କରାଯାଇ ନାହିଁ। ଏଭଳି ଖାତାରେ କ୍ଷେତପୋଖରୀ ଖୋଳି ଅନୁଦାନ ହଡ଼ପ ହୋଇଥିବା ଅଭିଯୋଗ ହେଉଛି। ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର