ପୋଲସରାରେ ପିଏମ୍‌ଏୱାଇ ଆବାସ ଦୁର୍ନୀତି: ଅଯୋଗ୍ୟ ହା‌ତେଇଛନ୍ତି ଘର

ଯୋଗ୍ୟଙ୍କୁ ମିଳୁନି ପ୍ରୋତ୍ସାହନ ରାଶି, ବୁଧେଇଶୁଣି ପିଇଓଙ୍କୁ ନିଲମ୍ବନ ନିର୍ଦ୍ଦେଶ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ୍‌ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି। ଏହି ବ୍ଲକ୍‌ର ବୁଧେଇଶୁଣି ଗ୍ରାମର ପକ୍କା ଘର ଥିବା ଦୁଇ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ଯୋଜନାରେ ଘର ମଞ୍ଜୁର ହୋଇଛି। ସେପଟେ ଜିଲୁଣ୍ତା ଏବ˚ ନିମିନା ଗ୍ରାମପଞ୍ଚାୟତର ଗରିବ ହିତାଧିକାରୀ ଘର ନିର୍ମାଣର କିସ୍ତି ଅର୍ଥ ଓ ପ୍ରୋତ୍ସାହନ ରାଶି ଠିକଣା ସମୟରେ ପାଇନାହାନ୍ତି। ଏଭଳି ସଙ୍ଗିନ୍ ଅଭିଯୋଗ ଆସିବା ପରେ ପଞ୍ଚାୟତିରାଜ ବିଭାଗ ପକ୍ଷରୁ ତଦନ୍ତ କରାଯାଇଥିଲା। ଯାହାକି ସତ ପ୍ରମାଣିତ ହୋଇଛି। ଆଉ ପୋଲସରା ବ୍ଲକ୍ କର୍ତ୍ତୃପକ୍ଷଙ୍କ ଅପାରଗତା ପଦାରେ ପଡ଼ିଛି। ବୁଧେଇଶୁଣି ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସମ୍ପୃକ୍ତ ଗ୍ରାମପଞ୍ଚାୟତର ଟ୍ୟାଗ୍‌ ଅଫିସର୍‌ଙ୍କୁ କୈଫିୟତ ତଲବ କରିବା ସହ ଅଯୋଗ୍ୟ ହିତାଧିକାରୀଙ୍କ ଠାରୁ ଗୃହ ନିର୍ମାଣ ପାଇଁ ଦିଆଯାଇଥିବା ଅର୍ଥ ଆଦାୟ କରିବା ଲାଗି ପୋଲସରା ଗୋଷ୍ଠୀ ଉନ୍ନୟନ ଅଧକାରୀଙ୍କୁ ନିର୍ଦ୍ଦେଶ ଜାରି ହୋଇଛି। ଖାଲି ଏତିକି ନୁହେଁ, ବ୍ଲକ ପକ୍ଷରୁ ଆବାସ ଯୋଜନାରେ ଗୃହ ନିର୍ମାଣର ତଦାରଖ ହେଉନାହିଁ। ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଗ୍ରାମ ରୋଜଗାର ସେବକ ଗୃହ ନିର୍ମାଣ ଫଟୋ ଉଠାଇବା ଲାଗି ଅର୍ଥ ଦାବି ବି କରୁଥିବା ନେଇ ତଦନ୍ତରୁ ପ୍ରମାଣିତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ବୁଧେଇଶୁଣି, ନିମିନା ଓ ଜିଲୁଣ୍ତା ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜାନରେ ବ୍ୟାପକ ଦୁର୍ନୀତି କରାଯାଇଥିବା ଅଭିଯୋଗ ହୋଇଥିଲା। ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗର କନସଲଟ୍‌ଟାଣ୍ଟ ଏସ୍‌.ବି.ଘୋଷ ଏବ˚ ଏନ୍‌.ବେହେରା ଗତ ଡିସେମ୍ବର ୩ ତାରିଖରେ ୩ ପଞ୍ଚାୟତକୁ ଯାଇ ତଦନ୍ତ କରିଥିଲେ। ନିମିନା ଗ୍ରାମପଞ୍ଚାୟତର ନିମିନା ଗ୍ରାମରେ ତଦନ୍ତ ବେଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତାର ବାସ୍ତବ ଚିତ୍ର ସାମ୍ନାକୁ ଆସିଥିଲା। ଏହି ଗ୍ରାମର ହିତାଧିକାରୀ ଘର ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ସହିତ ଅନୁଦାନ ପାଇଥିଲେ। ହେଲେ ଗୃହ ନିର୍ମାଣ କାର୍ଯ୍ୟାଦେଶ ଦିଆଯାଇ ନଥିଲା। ବୁଧେଇଶୁଣି ଗ୍ରାମପଞ୍ଚାୟତ ବୁଧେଇଶୁଣି ଗ୍ରାମର ଦୁଇଜଣ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ମଞ୍ଜୁର ହେବା ସହିତ ପ୍ରଥମ କିସ୍ତି ଅର୍ଥ ଦିଆଯାଇଛି। ଉକ୍ତ ଗ୍ରାମର ବସନ୍ତ ପରିଡ଼ାଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ମଞ୍ଜୁର ହୋଇଥିଲା। ବସନ୍ତ ଆବାସ ନିର୍ମାଣ ନିମନ୍ତେ କାର୍ଯ୍ୟାଦେଶ ପାଇବା ସହିତ ପ୍ରଥମ ପର୍ଯ୍ୟାୟ କିସ୍ତି ୨୦ହଜାର ଟଙ୍କା ପାଇଛନ୍ତି। କିନ୍ତୁ ତାଙ୍କର ୪ ବଖରା ପକ୍କା ଘର ଥିବା ଜଣାପଡ଼ିଥିଲା। ପ୍ରଥମ ଘରର ଛାତକୁ ଭାଙ୍ଗି ସେ ଘର ନିର୍ମାଣ କରୁଥିବା ଜଣାପଡ଼ିଛି। ସମସ୍ତ ଗାଇଡ୍‌ଲାଇନ୍‌କୁ ଉଲ୍ଲଂଘନ କରି ଅଧିକାରୀ ମାନେ ତାଙ୍କୁ କେଉଁ ଆଧାରରେ ଆବାସ ଯୋଜନାରେ ସାମିଲ କରିଥିଲେ, ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସେହିପରି ଉକ୍ତ ଗ୍ରାମର ଆଦିକନ୍ଦ ସାହୁ ଅନୁରୂପ ଭାବେ ଆବାସ ଯୋଜନାରେ ଅର୍ଥ ପାଇଥିବା ଜଣାପଡିଛି।

ଜିଲୁଣ୍ତା ପଞ୍ଚାୟତର ସାନବରଗାଁ ଗ୍ରାମର ଗରିବ ବିଧବା ଭାନୁ ଡାକୁଆ । ଏକମାତ୍ର ପୁଅ ଆରପାରିକୁ ଚାଲିଯିବା ପରେ ସେ ଗାଁର ଏକ ଭଡ଼ା ଘରେ ରହୁଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଙ୍କୁ ଗୃହ ମଞ୍ଜୁର ହୋଇଛି। ଛାତ ପର୍ଯ୍ୟନ୍ତ ନିର୍ମାଣ ସରିଲାଣି। କିନ୍ତୁ ବର୍ତ୍ତମାନ ସୁଦ୍ଧା ପ୍ରଥମ କିସ୍ତିରେ ସେ ୨୦ ହଜାର ଟଙ୍କା ପାଇଛନ୍ତି। ବାକି ଅନୁଦାନ ଏଯାଏ ମିଳିନାହିଁ। ସେହିପରି ନିମିନା ଗ୍ରାମର ଶିବରାମ ଗୌଡ଼ଙ୍କୁ ଆବାସ ମଞ୍ଜୁର ହୋଇଥିବା ବେଳେ ସେ ୪ ମାସ ମଧ୍ୟରେ ଗୃହ ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି। କିନ୍ତୁ ତାଙ୍କୁ ଏଯାବତ୍‌ ୨୦ ହଜାର ଟଙ୍କା ପ୍ରୋତ୍ସାହନ ରାଶି ମିଳି ନଥିବା ଜଣାପଡ଼ିଛି। ଅନ୍ୟପକ୍ଷ‌ରେ ଏହି ବ୍ଲକ୍‌ର ଅନ୍ୟ ପଞ୍ଚାୟତରେ ବି ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଥିବା ଅନୁମାନ କରାଯାଉଛି। ଉଚ୍ଚସ୍ତରୀୟ ତଦନ୍ତ ହେ‌ଲେ ବହୁ ଗୁପ୍ତ ରହସ୍ୟ ସାମ୍ନାକୁ ଆସିବ ବୋଲି ଚର୍ଚ୍ଚା ‌ଜୋର୍ ଧରିଛି।

ସମ୍ବନ୍ଧିତ ଖବର