ଜଳେଶ୍ବର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ମିଳିଥିଲା ଘର। ହେଲେ ଜମି ସହ ଉକ୍ତ ଘରକୁ ସେ ୩୫ ଲକ୍ଷ ଟଙ୍କାରେ ଅନ୍ୟ ଜଣକୁ ବିକ୍ରି କରିଦେଲେ। ବାଲେଶ୍ବର ଜିଲ୍ଲା ଜଳେଶ୍ବର ପୌରାଞ୍ଚଳ ଅନ୍ତର୍ଗତ ୪ ନମ୍ବର ୱାର୍ଡର ପଥରପୁରା ଗାଁରୁ ଆବାସ ଯୋଜନାରେ ଏମିତି ସାଂଘାତିକ ଅଭିଯୋଗ ଆସିଛି। ବାଲେଶ୍ବର ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଏହାକୁ ଗମ୍ଭୀରତାର ସହ ନେଇ ଉପଜିଲ୍ଲାପାଳ ନିଲୁ ମହାପାତ୍ରଙ୍କୁ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଏହା ସତ୍ୟ ହୁଏ, ତେବେ ଓଡ଼ିଶାରେ ଏହା ପ୍ରଥମ ଘଟଣା ହେବ ବୋଲି ଜିଲ୍ଲା ପ୍ରଶାସନର ଜଣେ ବରିଷ୍ଠ ପଦାଧିକାରୀ କହିଛନ୍ତି।
ଅଭିଯୋଗ ମୁତାବକ, ୨୦୧୫-୧୬ ଆର୍ଥିକ ବର୍ଷରେ ପଥରପୁରା ଗାଁର ଅମୂଲ୍ୟ ଘୋଷଙ୍କ ପତ୍ନୀ ବାସନ୍ତୀ ଘୋଷଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ ପାଇଁ ଅର୍ଥ ମଞ୍ଜୁର ହୋଇଥିଲା। ଏହାର ମାସ କେଇଟା ମଧ୍ୟରେ ପ୍ଲଟ୍ ନମ୍ବର ୪୨୭/୧୪୯୨, ଖାତା ନମ୍ବର ୩୨୩/୪୩୦ ସାଢ଼େ ୩ ଡିସିମିଲ ଜମି ଉପରେ ବାସନ୍ତୀଙ୍କ ଘରକାମ ମଧ୍ୟ ଶେଷ ହୋଇଥିଲା। ତେବେ ଘର ନିର୍ମାଣର ଦୁଇବର୍ଷ ପରେ ଉକ୍ତ ଘର ସହ ସାଢ଼େ ୩ ଡିସିମିଲ ଜମିକୁ ୨୦୧୯ ମସିହା ଜୁଲାଇ ୧୨ ତାରିଖରେ ମନ୍ମଥ ରଣାଙ୍କ ପତ୍ନୀ ରଞ୍ଜିତା ରଣାଙ୍କୁ ୩୫ ଲକ୍ଷ ଟଙ୍କାରେ ବିକ୍ରି କରିଦିଆଯାଇଛି। ଜଳେଶ୍ବର ସବ୍-ରେଜିଷ୍ଟ୍ରାର ଅଫିସରେ ଏହି କିଣାବିକା ହୋଇଥିବା ବେଳେ ଏହାର ଦଲିଲ୍ ନମ୍ବର ହେଉଛି ୧୩୩୫/୧୯। ଏ ସମ୍ପର୍କରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ତାଙ୍କୁ ଅବଗତ କରାଯାଇଛି। ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଳେଶ୍ବର ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ କୁମାର ମହାପାତ୍ର କହିଛନ୍ତି। ଅନ୍ୟପକ୍ଷରେ, ଜାଗା ସହ ଘରକୁ ସେ ୩୫ ଲକ୍ଷ ଟଙ୍କାରେ କିଣିଥିବା ରଞ୍ଜିତା ରଣାଙ୍କ ସ୍ବାମୀ ମନ୍ମଥ ରଣା ସ୍ବୀକାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/dg8jhd74g89jh7dg89j7dg89j74dg95j49dgjgdjgdjdgjdgjgdjdgj.jpg)