ମାହାଙ୍ଗା ଆବାସ ଦୁର୍ନୀତି : ବିଜେଡି ନେତାଙ୍କ ବିରୋଧରେ ମାମଲା ରୁଜୁ ସୁପାରିସ

ସରକାରୀ ଅଧିକାରୀଙ୍କ ଉପରେ ପକାଇଥିଲେ ଚାପ

କଟକ : ମାହାଙ୍ଗା ବ୍ଲକରେ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ଘଟଣାରେ ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ଜିଲ୍ଲା ବିଜେଡିର ସାଧାରଣ ସଂପାଦକ ଭିକାରି ଚରଣ ସ୍ବାଇଁଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ପାଇଁ ସୁପାରିସ ହୋଇଛି। ସରକାରୀ କର୍ମଚାରୀଙ୍କ ଉପରେ ବେଆଇନ ଭାବେ ଚାପ ପକାଇବା ଅଭିଯୋଗରେ ଶ୍ରୀ ସ୍ବାଇଁଙ୍କ ବିରୋଧରେ ଆଇପିସିର ଧାରା ଅନୁଯାୟୀ ମାମଲା ରୁଜୁ କରିବାକୁ କଟକ ଜିଲ୍ଲା ଏସପିଙ୍କୁ ଚିଠି ଲେଖିଛନ୍ତି ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅବଦଲ୍ ଏମ୍ ଅଖତାର। ମାହାଙ୍ଗା ବ୍ଲକ ନୁର୍ତ୍ତାଙ୍ଗ ପଂଚାୟତରେ ହୋଇଥିବା ଆବାସ ଦୁର୍ନୀତି ଘଟଣାରେ ପ୍ରଶାସନର ଏ ପ୍ରକାର ପଦକ୍ଷେପ ଏବେ ଶାସକ ଦଳକୁ ଅଡୁଆରେ ପକାଇଛି। ପଂଚାୟତିରାଜ ବିଭାଗ ମନ୍ତ୍ରୀ ପ୍ରତାପ ଜେନାଙ୍କର ଏହା ନିଜ ଅଞ୍ଚଳ ହୋଇଥିବା ବେଳେ ଶାସକ ଦଳର ଆଗଧାଡିର ନେତାଙ୍କ ଏଭଳି ସଂପୃକ୍ତି ଏବେ ଚର୍ଚ୍ଚାର ବିଷୟ ହୋଇଛି। ଅନ୍ୟପଟେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ କୌଣସି ଚିଠି ଏଯାଏ ତାଙ୍କୁ ମିଳି ନାହିଁ। ଚିଠି ମିଳିବା ପରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କଟକ ଜିଲ୍ଲା ଏସପି ରାଧାବିନୋଦ ପାଣିଗ୍ରାହୀ କହିଛନ୍ତି।

ନୁର୍ତ୍ତାଙ୍ଗ ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତିକୁ ନେଇ ଅଭିଯୋଗ ହୋଇଥିଲା। ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଆବାସ ପାଇଁ ଚୟନ କରାଯାଇଥିଲା। ଏମିତିକି ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାମ ତାଲିକାରେ ଚଢା ଯାଇଥିବା ବେଳେ ପରବର୍ତ୍ତୀ ସମୟରେ ଧରା ପଡ଼ିଯିବା ଆଶଙ୍କାରେ ତାଲିକାରୁ କାଟି ଦିଆଯାଇଥିଲା। ମାହାଙ୍ଗାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଭିକାରି ଚରଣ ସ୍ବାଇଁଙ୍କ ଭାଇ ତ୍ରିଲୋଚନ ସ୍ବାଇଁଙ୍କ ନାମ ଏହି ହିତାଧିକାରୀ ତାଲିକାରେ ସ୍ଥାନ ପାଇବା ସହିତ ପରବର୍ତ୍ତୀ ସମୟରେ କାଟି ଦିଆଯିବା ଘଟଣା ଧରା ପଡିଥିଲା। ଏଭଳି ଅନିୟମିତତାକୁ ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା। ବିଜେପି ପକ୍ଷରୁ ଏହି ଘଟଣାକୁ ନେଇ ଭୁବନେଶ୍ବରରେ ସାମ୍ବାଦିକ ସମ୍ମିଳନୀ କରାଯିବା ସହ ସମସ୍ତ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଏବଂ ମନ୍ତ୍ରୀ ଶ୍ରୀ ଜେନାଙ୍କ ବରଖାସ୍ତ ଦାବି କରାଯାଇଥିଲା।

ଗଲା ୧୭ ତାରିଖ‌ ଦିନ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଘଟଣା ସଂପର୍କରେ ଛାନଭିନ୍ ପାଇଁ ପିଇଓ ମୀନତି ସୋରେନ, ଜିଆରଏସ୍ ଦୈତାରୀ ସାମଲ ଏବଂ ବିପିସି (ଆରଏଚ୍) ସ୍ନେହଦର୍ଶିନୀ ଦେବତାଙ୍କୁ ଅଫିସକୁ ଡକାଇ ସେମାନଙ୍କ ବୟାନ ରେକର୍ଡ କରିବା ସହିତ ସେମାନଙ୍କ ଠାରୁ ‌ଲିଖିତ ସ୍ପଷ୍ଟୀକରଣ ନେଇଥିଲେ। ପିଇଓ ଓ ବିପିସି ଏହି ଅନିୟମିତତାରେ ସେମାନଙ୍କର ସଂପୃକ୍ତିକୁ ଅସ୍ବୀକାର କରିଥିଲେ। ପିଇଓ କହିଥିଲେ ଯେ ସେ ତ୍ରିଲୋଚନ ସ୍ବାଇଁଙ୍କ ନାମ ତାଲିକାରେ ଥିବା ଦେଖି ଏ ସଂପର୍କରେ ବିପିସି (ଆରଏଚ)ଙ୍କୁ କହିଥିଲେ। କିନ୍ତୁ କୌଣସି ଲିଖିତ ସୂଚନା ଦେଇ ନଥିଲେ। ଅନ୍ୟପଟେ ବିପିସି କହିଥିଲେ ଯେ କୌଣସି କର୍ମଚାରୀ ତାଙ୍କୁ ଏ ବିଷୟରେ ସୂଚନା ଦେଇ ନାହାନ୍ତି। ତେଣୁ ତାଙ୍କର ପ୍ରକୃତ ହିତାଧିକାରୀଙ୍କ ସଂପର୍କରେ ଜାଣିବାର ସୁଯୋଗ ନଥିଲା। କିନ୍ତୁ ଜିଆରଏସ୍ ଦୈତାରୀ ସାମଲ ହିତାଧିକାରୀ ଭାବେ ତ୍ରିଲୋଚନ ସ୍ବାଇଁଙ୍କ ନାମ ପଂଜୀକରଣ ଓ ଜିଓ ଟ୍ୟାଗିଂ କରିଥିବା ସ୍ବୀକାର କରିଥିଲେ। କିନ୍ତୁ ଏଥିପାଇଁ ତାଙ୍କୁ ତ୍ରିଲୋଚନଙ୍କ ଭାଇ ଭିକାରି ଚରଣ ସ୍ବାଇଁ ଚାପ ପକାଇଥିଲେ ଏବଂ ସେ ଅନିଚ୍ଛା ସତ୍ତ୍ବେ ଭୟଭୀତ ହୋଇ ଏପରି କରିଥିଲେ ବୋଲି ଜିଆରଏସ୍ ଦୈତାରୀ ସାମଲ ନିଜ ବୟାନରେ କହିଛନ୍ତି।

ତିନି ସରକାରୀ ଅଧିକାରୀଙ୍କ ବୟାନ ରେକର୍ଡ ପରେ ପ୍ରକଳ୍ପ ନିର୍ଦ୍ଦେଶକ ବିପିସି ସ୍ନେହଦର୍ଶିନୀ ଦେବତାଙ୍କୁ ‌ସରକାରୀ ଭାବେ ଲିଖିତ ଚେତାବନୀ ଦେଇଛନ୍ତି। ଏବଂ ଏଭଳି ଘଟଣାରେ ଅଧିକ ସଜାଗ ଓ ସତର୍କ ହୋଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପିଇଓ ମୀନତି ସୋରେନଙ୍କୁ ବ୍ଲକ ବାହାରକୁ ବଦଳି ନିର୍ଦ୍ଦେଶ ଦିଆଯିବା ସହିତ ତାଙ୍କ ଉପରେ ଜରିମାନା ଲାଗୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପଟେ ଜିଆରଏସ୍ ଦୈତାରୀ ସାମଲଙ୍କୁ ଚାକିରିରୁ ନିଲମ୍ବିତ କରାଯିବା ସହ ତାଙ୍କ ବିରୋଧରେ ଅପରାଧୀକ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ନିଷ୍ପତ୍ତି ଏବଂ ଅଧିକାରୀ ମାନଙ୍କ ବୟାନର କପି ଭିଜିଲାନ୍ସ ଓ ଜିଲ୍ଲା ପୁଲିସ ଏସପିଙ୍କ ନିକଟକୁ ପଠାଇ ଦିଆଯାଇଛି।

ମ‌ାହାଙ୍ଗା ବ୍ଲକର ଲଳିତଗିରି ପଂଚାୟତରେ ମଧ୍ୟ ଏଭଳି ଦୁର୍ନୀତି ଧରା ପଡିଛି। ସେଠାରେ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ତାଲିକାରେ ଜିଆରଏସ୍‌ଙ୍କ ବାପାଙ୍କ ନାମ ଚଢିବା ସହିତ ପରବର୍ତ୍ତୀ ସମୟରେ ନାମକୁ ବାଦ ଦିଆଯାଇଥିବା ଜଣା ପଡିଛି।

ସମ୍ବନ୍ଧିତ ଖବର