ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀ ପ୍ରସଙ୍ଗ : ତଥ୍ୟ ପ୍ରମାଣ ଦେଲା ବିଜେପି, ମନ୍ତ୍ରୀଙ୍କ ବରଖାସ୍ତ ଦାବି

ହାରିବା ପରେ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି: ମନ୍ତ୍ରୀ

ଭୁବନେଶ୍ବର : ୨୦୦୨ ମସିହାରେ ମାହାଙ୍ଗା ନିର୍ବାଚନମଣ୍ଡଳୀର କେଶବ ଜେନା ଇନ୍ଦିରା ଆବାସ ପାଇଥିଲେ। ୨୦୧୪-୧୫ରେ ତାଙ୍କ ପୁଅ ଫକୀର ଜେନା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆଉ ଏକ ଘର ନେଇଥିଲେ। ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟରେ ଏହା ବେଆଇନ ବୋଲି ଦର୍ଶାଯାଇଛି। ଏମିତି ଜଣେ କି ଦୁଇଜଣ ନୁହେଁ, ମାହାଙ୍ଗା ନିର୍ବାଚନମଣ୍ଡଳୀରେ ପାଞ୍ଚ ହଜାରରୁ ଅଧିକ ଘର ବେଆଇନ ଭାବେ ବଣ୍ଟାଯାଇଛି।

ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଯୁବ ନେତା ଶାରଦା ପ୍ରଧାନ ଏଭଳି ସାଂଘାତିକ ଅଭିଯୋଗ ଆଣିବା ସହିତ ସିଧାସଳଖ ପଞ୍ଚାୟତିରାଜ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଚ୍ୟାଲେଞ୍ଜ କରିଛନ୍ତି। ମନ୍ତ୍ରୀ ନିଜ ନିର୍ବାଚନମଣ୍ଡଳୀର ଦୁର୍ନୀତିକୁ ଲୁଚାଇ ଗଣମାଧ୍ୟମ ଆଗରେ ବାହାସ୍ଫୋଟ ମାରୁଛନ୍ତି ବୋଲି ବିଜେପି କଟାକ୍ଷ କରିଛି। ସରକାର ବ୍ୟବସ୍ଥା କଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଅନିୟମିତତାର ଠୋସ୍ ପ୍ରମାଣ ନେଇ ପ୍ରତିଦିନ ୫୦ରୁ ୧୦୦ ଅଭିଯୋଗକାରୀ ପଞ୍ଚାୟତିରାଜ ବିଭାଗ ପାଖରେ ଅଭିଯୋଗ କରିବେ। ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତିରାଜ ମନ୍ତ୍ରୀ ଅଭିଯୋଗ ଶୁଣିବା ପାଇଁ କେବଳ ଦପ୍ତର ଖୋଲା କରିବା ଦରକାର ବୋଲି ଦଳୀୟ ନେତାମାନେ କହିଛନ୍ତି। ଏଥିସହିତ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଦାବି କରିଛି।

ଅନ୍ୟପକ୍ଷରେ ଶ୍ରୀ ଜେନା ଗଣମାଧ୍ୟମ ସାମ୍ନାରେ କହିଛନ୍ତି, ଅଭିଯୋଗ ଆଣିବା ବିଜେପିର ଏକ ପୁରୁଣା ଅଭ୍ୟାସ। ନିର୍ବାଚନ ହାରିବା ପରେ ବାୟା ହୋଇ ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି। ଗୃହ ଆବଣ୍ଟନରେ ଅଭିଯୋଗ ଆସିଲେ ସରକାର ତୁରନ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କେଉଁମାନେ ଘର ପାଇନାହାନ୍ତି, ତାକୁ ନେଇ ସର୍ଭେ ଚାଲିଛି। ରାଜ୍ୟରେ ପାଖାପାଖି ୩୦ଲକ୍ଷ ଲୋକ ଘର ପାଇବାକୁ ବାକି ଥିବା ଆକଳନ କରାଯାଉଛି। ଚଳିତ ବର୍ଷ ସାଢ଼େ ଆଠ ଲକ୍ଷ ପରିବାରକୁ ବାସଗୃହ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ତେବେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ କରିବା ବ୍ୟବସ୍ଥା କିଛି ନାହିଁ ବୋଲି ମନ୍ତ୍ରୀ ସ୍ବୀକାର କରିଛନ୍ତି।

ବିଜେପି ଅଭିଯୋଗ କରିଛି, ୨୦୧୯-୨୦ ଆର୍ଥିକ ବର୍ଷରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମାହାଙ୍ଗା ନିର୍ବାଚନମଣ୍ଡଳୀ ନୃତଙ୍ଗ ପଞ୍ଚାୟତର ହରେକୃଷ୍ଣ ବାରିକ, ତ୍ରିଲୋଚନ ସ୍ବାଇଁ, ଅମିୟ ସାହୁ, ବିଶ୍ବନାଥ ପଣ୍ଡାଙ୍କ ଘରକୁ ଜିଓ ଟ୍ୟାଗିଙ୍ଗ୍ କରାଯାଇଛି। ବାସ୍ତବରେ ଏମାନେ ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ ଓ ଧନୀକ ଶ୍ରେଣୀର ବ୍ୟକ୍ତି। ଶାସକ ଦଳ ସହ ଏମାନଙ୍କ ସଂପୃକ୍ତି ଥିବାରୁ ଏମାନଙ୍କ ଘର ବଣ୍ଟନ କରାଯାଇଛି। କିନ୍ତୁ ଯୋଗ୍ୟ ହିତାଧିକାରୀ ତଥା ଗରିବ ଅସହାୟ ବ୍ୟକ୍ତି ଯଥା ଅମିୟ ଜେନା, ବ୍ରଜ କିଶୋର ଜେନା, ଅମୂଲ୍ୟ କୁମାର ଦାସ, ପରମାନନ୍ଦ ମହାପାତ୍ର ଏବଂ ବାବାଜୀ ସାହୁ ପ୍ରମୁଖ ଯୋଗ୍ୟ ବ୍ୟକ୍ତି ହୋଇ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି।

ବିଜେପି ଆହୁରି କହିଛି, ଦଳୀୟ ଭିତ୍ତିରେ ରାଜ୍ୟ ସରକାର ଘର ବାଣ୍ଟି ଚାଲିଛନ୍ତି। ୨୦୧୬ ମସିହାରେ କଟକ ଜିଲ୍ଲାପାଳ ମାହାଙ୍ଗା ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀ ଆବାସ େଯାଜନାରେ ଅନିୟମିତତା େହାଇଛି େବାଲି ତଦନ୍ତ ରିେପାର୍ଟରେ ଦର୍ଶାଇଥିଲେ। ସେତେବେଳର ବିଧାୟକ ଓ ବର୍ତମାନର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଘର କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ େବାଲି ଶ୍ରୀ ପ୍ରଧାନ ପଚାରିଛନ୍ତି।

ବିଜେପି ତଥ୍ୟ ରଖିଛି ମାହାଙ୍ଗାରେ ନିିମ୍ନ ମାନର କାର୍ଯ୍ୟ େହାଇଥିବା ବିଜୁ େସତୁ ଭୁଶୁଡ଼ି ଯାଇଥିଲା। ମାହାଙ୍ଗା ପୂର୍ତ ବିଭାଗରେ ମଧ୍ୟ ୬୭ େକାଟି ଟଙ୍କା ଦୁର୍ନୀତି େହାଇଛି। ଦୁର୍ନୀତି ଓ ଭ୍ରଷ୍ଟାଚାରରେ ଲିପ୍ତ ଥିବା ମନ୍ତ୍ରୀ ଶ୍ରୀ ଜେନାଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବହିଷ୍କାର କରନ୍ତୁ େବାଲି ବିଜେପି ଦାବି କରିଛି।

ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ଓ ରାଜ୍ୟ ବିଜେପି ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର େଗାଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର