ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ଶକ୍ତି ପୁରଷ୍କାର-୨୦୧୯ ପାଇଲେ ଦୁଇ ଓଡ଼ିଆ ପୁଅ ଆୟୁଷ୍ମାନ ତ୍ରିପାଠୀ ଏବଂ ନୈସର୍ଗିକ ଲେଙ୍କା

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ଶକ୍ତି ପୁରଷ୍କାର ୨୦୧୯ ପାଇଲେ ଦୁଇ ଓଡ଼ିଆ ପୁଅ ଆୟୁଷ୍ମାନ ତ୍ରିପାଠୀ ଏବଂ ନୈସର୍ଗିକ ଲେଙ୍କା । ସ୍କଲାଷ୍ଟିକ୍ ବା ଶିକ୍ଷା ସମ୍ବନ୍ଧୀୟ କ୍ଷେତ୍ରରେ କୃତିତ୍ୱ ପାଇଁ ଆୟୁଷ୍ମାନଙ୍କୁ ଏବଂ ଇନୋଭେସନ୍ କ୍ଷେତ୍ରରେ ନୈସର୍ଗିକଙ୍କୁ ଆଜି ସନ୍ଧ୍ୟାରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରଷ୍କୃତ କରିଛନ୍ତି । ଏହି ଅବସରରେ ଦେଶର ମୋଟ୍ ୨୫ ଜଣଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

ଆୟୁଷ୍ମାନଙ୍କ ବାପା ମନୋଜ ତ୍ରିପାଠୀଙ୍କ କହିବା ମୁତାବକ, ଆୟୁଷ୍ମାନ ୨୦୧୮ ଇଣ୍ଡୋନେସିଆରେ ଅନୁଷ୍ଠିତ ହୋଇଥିବା ଇଣ୍ଟରନ୍ୟାସନାଲ୍ ଜୁନିୟର ସାଇନ୍ସ ଅଲମ୍ପିଆଡ଼ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ପାଖାପାଖି ୬୭ଟି ଦେଶକୁ ପଛରେ ପକାଇ ସ୍ୱର୍ଣ୍ଣପଦକ ବିଜୟୀ ହୋଇ ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଥିଲେ ଆୟୁଷ୍ମାନ । ସେହିଭଳି କେ.ଭି.ପି.ୱାଇରେ ଚଳିତ ବର୍ଷ ସର୍ବଭାରତୀୟ ସ୍ତରରେ ୧୦ମ ସ୍ଥାନ ଏବଂ ଓଡ଼ିଶାରେ ପ୍ରଥମ ସ୍ଥାନ ଅଧିକାର କରି ସୁନାମ ଅର୍ଜନ କରିଛନ୍ତି ଆୟୁଷ୍ମାନ ।

ବଲାଙ୍ଗୀର ମାଲପଡ଼ାର ଅଞ୍ଚଳର ନିବାସୀ ମନୋଜ ତ୍ରିପାଠୀ ଏବଂ ନିଳିମା ତ୍ରିପାଠୀଙ୍କ ପୁଅ ଆୟୁଷ୍ମାନ ତ୍ରିପାଠୀ । ୧୭ ବର୍ଷୀୟ ଏହି ଓଡ଼ିଆ ପୁଅ ଆଜି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ସେହିଭଳି ଓଡ଼ିଶାର ୧୬ ବର୍ଷୀୟ ନୈସର୍ଗିକ ଲେଙ୍କାଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ଶକ୍ତି ପୁରଷ୍କାର ୨୦୧୯ ସମ୍ମାନ ମିଳିଛି । ଇନୋଭେସନ୍ କ୍ଷେତ୍ରରେ ନୈସର୍ଗିକଙ୍କୁ ମିଳିଛି ଏହି ପୁରସ୍କାର । ସ୍ମାର୍ଟ ଶୌଚାଳୟ, ମହାନଗର ନଷ୍ଟ ହେଉଥିବା ଜଳକୁ ସଠିକ୍ ପରିଚାଳନା ଭଳି ବିଭିନ୍ନ ଇନୋଭେସନ୍ କରିବା କ୍ଷେତ୍ରରେ ଏହି ୧୬ ବର୍ଷୀୟ ବାଳକଙ୍କ ଭୂମିକାକୁ ରାଷ୍ଟ୍ରପତି ସମ୍ମାନିତ କରିଛନ୍ତି ।

କେବଳ ଏତିକି ନୁହେଁ ଆସନ୍ତା ୨୪ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ମଧ୍ୟାହ୍ନ ଭୋଜନ ଖାଇବାକୁ ନିମନ୍ତ୍ରଣ ହୋଇଛି । ସେହିଭଳି ଆସନ୍ତା ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀର ଆୟୋଜିତ ହେବାକୁ ଥିବା ପ୍ୟାରେଡ଼ରେ ଅଂଶ ଗ୍ରହଣ କରିବାକୁ ଏହି ବାଲ୍ ଶକ୍ତି ପୁରଷ୍କାରପ୍ରାପ୍ତକାରୀଙ୍କୁ ନିମନ୍ତ୍ରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସମ୍ବନ୍ଧିତ ଖବର