ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଓ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭରଶୀଳ ମିସନ୍‌ର ଆଜି ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଦେଶର ୧୦୦ଟି ଜିଲ୍ଲାରେ ଏହି ଯୋଜନା ଆରମ୍ଭ କରାଯାଇଛି। ଏଥିରେ ଓଡ଼ିଶାର କନ୍ଧମାଳ, ମାଲକାନଗିରି, ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ଆଜିଠାରୁ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାରେ ଆସନ୍ତା ୬ ବର୍ଷ ପାଇଁ ବର୍ଷକୁ ୨୪ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏଥିରେ ଦେଶର ୧.୭ କୋଟି କୃଷକ ଉପକୃତ ହେବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆଜି ସମ୍ୱଲପୁରର ବସନ୍ତପୁରଠାରେ ୧୦୦ କୋଟି ଟଙ୍କା ବିନିଯୋଗରେ ଏକ ଅତ୍ୟାଧୁନିକ ସମନ୍ୱିତ ଆକ୍ୱା ପାର୍କ ଓ ଭୁବନେଶ୍ୱରର ପାଣ୍ଡରାରେ ପ୍ରାୟ ୬୦ କୋଟି ଟଙ୍କାରେ ଅତ୍ୟାଧୁନିକ ମାଛ ମାର୍କେଟ୍‌ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।  ଓୟୁଏଟିର କୃଷି ଶିକ୍ଷା ସଦନରେ ଏହାର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ।

Advertisment

ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ମିସନ୍‌ର ଶୁଭାରମ୍ଭ
ସମ୍ୱଲପୁରର ବସନ୍ତପୁରରେ ୧୦୦ କୋଟିରେ ଅତ୍ୟାଧୁନିକ ସମନ୍ୱିତ ଆକ୍ୱା ପାର୍କ
ଭୁବନେଶ୍ୱରର ପାଣ୍ଡରାରେ ୬୦ କୋଟିରେ ଅତ୍ୟାଧୁନିକ ମାଛ ମାର୍କେଟ୍‌ ପାଇଁ ଭିତ୍ତିପ୍ରସ୍ତର

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ, ରାଜ୍ୟର ୬୦%ରୁ ଅଧିକ ଓ ଦେଶର ପ୍ରାୟ ୫୦% ଲୋକେ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରୁଛନ୍ତି। ହେଲେ ଆଜି ମଧ୍ୟ ଆମେ ଡାଲି ଓ ଖାଇବା ତେଲ ପାଇଁ ବିଦେଶ ଉପରେ ନିର୍ଭରଶୀଳ। ଏହି ନିର୍ଭରଶୀଳତାକୁ ହ୍ରାସ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ମତ୍ସ୍ୟ ସମ୍ପଦ ଯୋଜନା ଅଧୀନରେ ଭୁବନେଶ୍ୱର ପାଣ୍ଡରା ହୋଲସେଲ୍ ମାଛ ମାର୍କେଟ୍‌ ପ୍ରକଳ୍ପ ୫୯ କୋଟି ୧୩ ଲକ୍ଷ ଟଙ୍କା ବିନିଯୋଗରେ ନିର୍ମାଣ କରାଯିବ। ଏଥିରେ  ୩୦ କୋଟି ଟଙ୍କା କେନ୍ଦ୍ର ଓ ୨୯ କୋଟି ୧୩ ଲକ୍ଷ ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରିବେ। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ଓ ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗରେ କାର୍ଯ୍ୟକାରୀ ହେଉଥିବା ଏହି ମାର୍କେଟ୍‌ ସିଧାସଳଖ ୧୪୩ ବ୍ୟବସାୟୀଙ୍କୁ ଉପକୃତ କରାଇବ। ୨ ହଜାରରୁ ଅଧିକ ଲୋକଙ୍କ ପାଇଁ ପରୋକ୍ଷ ରୋଜଗାର ମଧ୍ୟ ସୃଷ୍ଟି ହେବ। ଭୁବନେଶ୍ୱର ଓ କଟକର ଖାଉଟିଙ୍କ ଚାହିଦାକୁ ପୂରଣ କରିବ। ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ବିଏମ୍‌ସି ସହିତ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ପ୍ରକଳ୍ପ କାର୍ଯ୍ୟ ୨୦୨୭ ନଭେମ୍ବର ମାସ ସୁଦ୍ଧା ସମ୍ପୂର୍ଣ୍ଣ ହେବ। ସମନ୍ବିତ ଆକ୍ବା ପାର୍କ ଓ ହୋଲସେଲ୍ ମାଛ ବିକ୍ରୟ କେନ୍ଦ୍ର ପ୍ରକଳ୍ପ ପ୍ରଥମେ ଉତ୍ପାଦନ ପରେ ପ୍ରସ୍ତୁତି ଓ ବିପଣନ ପର୍ଯ୍ୟନ୍ତ ଏକ ଭ୍ୟାଲୁ ଚେନ୍ ସୃଷ୍ଟି କରିବ। ଭାରତର ନୀଳ ବିପ୍ଳବରେ ଅଗ୍ରଣୀ ରାଜ୍ୟ ଭାବେ ଓଡ଼ିଶା ସ୍ଥାନ ପାଇବ। 

ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ ହୀରାକୁଦରେ ଏହି ଅତ୍ୟାଧୁନିକ ସମନ୍ୱିତ ଆକ୍ୱା ପାର୍କ ୯୫.୪୭ ଏକର ସରକାରୀ ଜମିରେ ନିର୍ମିତ ଏକ ସମୟୋଚିତ ପଦକ୍ଷେପ। ଏଥିରେ କେନ୍ଦ୍ର ସରକାର ୬୦ କୋଟି ଓ ରାଜ୍ୟ ସରକାର ୪୦ କୋଟି ଟଙ୍କା ବିନିଯୋଗ କରିବେ। ଏହା ପୂର୍ବ ଭାରତର ପ୍ରଥମ ଆକ୍ୱା ପାର୍କ ପ୍ରକଳ୍ପ ହେବାକୁ ଯାଉଛି। ପ୍ରକଳ୍ପର କାର୍ଯ୍ୟ ୨୦୨୭ ଜାନୁଆରି ସୁଦ୍ଧା ସମ୍ପୂର୍ଣ୍ଣ କରାଯିବ। ଏହି ପ୍ରକଳ୍ପ ସମ୍ବଲପୁରକୁ ଆଧୁନିକ ମାଛ ଚାଷର ଏକ ଉତ୍କର୍ଷ କେନ୍ଦ୍ରରେ ପରିଣତ କରିବ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଥିଲେ, ଆମେ ଧାନରେ ଆତ୍ମନିର୍ଭର ହୋଇସାରିଛୁ। ମାତ୍ର ଡାଲି ଓ ତୈଳବୀଜରେ ଆତ୍ମନିର୍ଭର ହେବାର ସମୟ ଆସିଛି। ଏଥିସହିତ ନୀଳ ଅର୍ଥନୀତିକୁ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ। ଜୈବିକ ଚାଷ କରି ସ୍ୱସ୍ଥ ଭାରତ ଗଠନ ପାଇଁ ଲୋକଙ୍କୁ ଆହ୍ବାନ କରାଯାଉଛି। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନା ଓ ଡାଲି ଜାତୀୟ ଫସଲରେ ଆତ୍ମନିର୍ଭର ମିସନ୍‌କୁ ଏକ ଯୁଗାନ୍ତକାରୀ ଯୋଜନା ବୋଲି କହିଥିଲେ। କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ବିଶ୍ରାରୁ ଆଭାସୀ ମାଧ୍ୟମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଉପସ୍ଥିତ ଥିଲେ। କୃଷି ଶିକ୍ଷା ସଦନରେ ବିଏମ୍‌ସି ମେୟର ସୁଲୋଚନା ଦାସ, ଓୟୁଏଟି କୁଳପତି ପ୍ରଭାତ କୁମାର ରାଉଳ, ସମବାୟ ସଚିବ ରାଜେଶ ପ୍ରଭାକର ପାଟିଲ, ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ, ବିଏମ୍‌ସି କମିସନର ଚଞ୍ଚଳ ରାଣା ପ୍ରମୁଖ ଉପସ୍ଥିତ ଥିଲେ। କୃଷି ସଚିବ ଅରବିନ୍ଦ ପାଢ଼ୀ ସ୍ୱାଗତ ଭାଷଣ ଓ ମତ୍ସ୍ୟ ବିଭାଗ ନିର୍ଦ୍ଦେଶକ ମହମ୍ମଦ ସାଦିକ୍ ଆଲାମ୍‍ ଧନ୍ୟବାଦ ଦେଇଥିଲେ।