ଚଳିତ ଖରିଫ ପାଇଁ ଫସଲ ବୀମା : ୨୫ ଲକ୍ଷ ଚାଷୀଙ୍କୁ ବୀମା ଛୁଇଁବନି

ଭୁବନେଶ୍ୱର : ୨୦୧୮ ଖରିଫ ଋତୁ ପାଇଁ ରାଜ୍ୟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଅଣଋଣୀ ଚାଷୀମାନଙ୍କ ପଞ୍ଜୀକରଣ ପ୍ରକ୍ରିୟା ଗତକାଲି ସୁଦ୍ଧା ସରିଛି। କିନ୍ତୁ ଜାରି ରହିଛି ଋଣୀ ଚାଷୀଙ୍କ ପଞ୍ଜୀକରଣ। ଆସନ୍ତା ୧୬ ତାରିଖ ବେଳକୁ ପଞ୍ଜୀକୃତ ଚାଷୀଙ୍କ ଚୂଡ଼ାନ୍ତ ତାଲିକା ସମ୍ବନ୍ଧିତ ଡାଟା ଅପ୍‌ଲୋଡ୍‌ ହେବ। ଏଥର ୨୫ ଲକ୍ଷ ଋଣୀ ଓ ଅଣଋଣୀ ଚାଷୀଙ୍କୁ ଫସଲ ବୀମା ପରିସରଭୁକ୍ତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏଥିପାଇଁ ଗାଁ ଗାଁରେ ‘ସମବାୟ ଆପଣଙ୍କ ଦ୍ୱାରରେ’ ଅଭିଯାନ ଚାଲିଛି। କିନ୍ତୁ ଅଣଋଣୀ ଚାଷୀଙ୍କ ସଂଖ୍ୟା ୨ ଲକ୍ଷ ଛୁଇଁଥିବା ବେଳେ ମୋଟ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ସର୍ବାଧିକ ୨୦ ଲକ୍ଷରେ ସୀମିତ ରହିବ ବୋଲି ପଞ୍ଜୀକରଣର ପ୍ରାଥମିକ ଆକଳନରୁ ଅନୁମାନ କରାଯାଉଛି।

ପ୍ରାଥମିକ ଆକଳନ ଅନୁଯାୟୀ ଚଳିତ ଖରିଫ ଋତୁରେ ଫସଲ ବୀମା ଯୋଜନାରେ ଆଜି ସୁଦ୍ଧା ପ୍ରାୟ ୧୨ ଲକ୍ଷ ଋଣୀ ଚାଷୀ ସେମାନଙ୍କ ନାମ ପଞ୍ଜୀକରଣ କରାଇଛନ୍ତି। ପଞ୍ଜୀକରଣ ନିମନ୍ତେ ସେମାନେ ନିର୍ଧାରିତ ପ୍ରିମିୟମ ଜମା କରିଛନ୍ତି। ସେମାନଙ୍କ ଆକାଉଣ୍ଟ ବିଭିନ୍ନ ବ୍ୟାଙ୍କରେ ଥିବାରୁ ସେମାନଙ୍କ ପାଇଁ ବୀମା ପଞ୍ଜୀକରଣ ବାଧ୍ୟତାମୂଳକ। ଏଣୁ, ସେମାନଙ୍କ ସଂଖ୍ୟା ୧୮ ଲକ୍ଷ ଟପିବାର ସମ୍ଭାବନା ରହିଛି। ଗତକାଲି ସୁଦ୍ଧା ପ୍ରାୟ ୨ ଲକ୍ଷ ଅଣଋଣୀ ଚାଷୀଙ୍କ ନାମ ପଞ୍ଜୀକରଣ ହୋଇଛି। ଋଣୀ ଚାଷୀଙ୍କ ପାଇଁ ସାଧାରଣ ସୁବିଧା କେନ୍ଦ୍ର ଜରିଆରେ ପ୍ରିମିୟମ ଜମା ପ୍ରକ୍ରିୟା ବନ୍ଦ ଗତକାଲି ମଧ୍ୟାହ୍ନ ପରଠାରୁ ବନ୍ଦ ହୋଇଯାଇଛି। ଯେଉଁମାନେ ବ୍ୟାଙ୍କ କିମ୍ବା ବୀମା ସଂସ୍ଥାମାନଙ୍କରେ ପ୍ରିମିୟମ ଜମା ଦେଇଛନ୍ତି, ସେମାନଙ୍କ ନାମ ପଞ୍ଜୀକୃତ ତାଲିକାରେ ସ୍ଥାନ ପାଇବ। ଆଗାମୀ ୧୬ ତାରିଖ ସୁଦ୍ଧା ଫସଲ ବୀମା ପଞ୍ଜୀକରଣ କରିଥିବା ଉଭୟ ଋଣୀ ଓ ଅଣଋଣୀ ଚାଷୀଙ୍କ ନାମ ତାଲିକାଭୁକ୍ତ ହେବ ବୋଲି ଜଣାଯାଇଛି।

ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ରାଜ୍ୟ ହୋଇଥିବାରୁ ଚାଷୀଙ୍କୁ ଅନାଗତ ଭବିଷ୍ୟତରୁ ସୁରକ୍ଷା ଯୋଗାଇଦେବା କ୍ଷେତ୍ରରେ ବୀମା ସେବା ଅପରିହାର୍ଯ୍ୟ। ଏଥର ଧାନକୁ ମିଶାଇ ୭ଟି ଫସଲ ବୀମା ପରିସରଭୁକ୍ତ ହୋଇଛି। ଫସଲ ବୀମା ପରିଚାଳନା ପାଇଁ ରାଜ୍ୟରେ ହୋଇଛି ୬ଟି କ୍ଲଷ୍ଟର। ଏଥର ୪ଟି ବୀମା କମ୍ପାନି ଯଥା: ଓରିଏଣ୍ଟାଲ୍‌ ଇନ୍‌ସ୍ୟୁରାନ୍ସ, ରୟାଲ୍‌ ସୁନ୍ଦରମ୍‌, ଚୋଳ ଏମ୍‌ଏସ୍‌ ଓ ରିଲାଏନ୍‌ସ ଜିଆଇସି ନିୟୋଜିତ ହୋଇଛନ୍ତି। ଏଥର ୨୨ ଲକ୍ଷ ଋଣୀ ଓ ୩ ଲକ୍ଷ ଅଣଋଣୀ ଏହିପରି ମୋଟ ୨୫ ଲକ୍ଷ ଚାଷୀଙ୍କୁ ଫସଲ ବୀମା ପରିସରଭୁକ୍ତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। କିନ୍ତୁ ପ୍ରାୟ ୨ ଲକ୍ଷ ଅଣଋଣୀ ଓ ୧୮ ଲକ୍ଷ ଋଣୀ ଚାଷୀଙ୍କୁ ମିଶାଇ ପଞ୍ଜୀକୃତ ଚାଷୀଙ୍କ ସଂଖ୍ୟା ସର୍ବାଧିକ ପ୍ରାୟ ୨୦ ଲକ୍ଷ ଛୁଇଁପାରେ। ସରକାରଙ୍କ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେଉଛି ନା ନାହିଁ ଆଗାମୀ ୧୬ ତାରିଖ ପରେ ସ୍ପଷ୍ଟ ଚିତ୍ର ମିଳିଯିବ।

ସମ୍ବନ୍ଧିତ ଖବର